ପୁରୀ: ଷଣ୍ଢ ଆକ୍ରମଣରେ ଜୀବନ ହାରିଲେ ଅନ୍ଧ

ପୁରୀ: ପୁରୀରେ ବୁଲା ଷଣ୍ଢଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି। ଟାଉନ ଥାନା ଅନ୍ତର୍ଗତ କାଳିକାଦେବୀ ସାହିର ଗଚ୍ଛକାଳୀ ଲେନ୍‌ରେ ରବିବାର ଅପରାହ୍ଣରେ ଜଣେ ଅନ୍ଧଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ୫୦ରୁ ୬୦ ପ୍ରତିଶତ ଦୃଷ୍ଟି ଶକ୍ତି ହରାଇଥିବା ପ୍ରଶାନ୍ତ ବେହେରା ନିଜର ଘରୁ ବାହାରୁ ଥିବା ବେଳେ ବୁଲା ଷଣ୍ଢ ଟେକି କଚାଡ଼ି ଦେଇଥିଲା। ସୂଚନା ପାଇଁ ପୁଲିସ ପ୍ରଶାନ୍ତକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରଶାନ୍ତଙ୍କ ମୃତ୍ୟୁ ନେଇ ପରିବାର ଓ କାଳିକାଦେବୀ ସାହିରେ ଶୋକର ଛାୟା ଖେଳିଯାଇଛି।

ସୂଚନାଯୋଗ୍ୟ ଯେ ପୁରୀରେ ଷଣ୍ଢ ଆକ୍ରମଣ ଘଟଣା ନୁଆଁ ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। ୩ ବର୍ଷ ତଳେ ଜଣେ ଶ୍ରୀମନ୍ଦିର ସେବାୟତଙ୍କ ମୃତ୍ୟୁ ହୋଇଥିଲା। ଏକ ବୁଲା ଷଣ୍ଢ ସେବାୟତଙ୍କୁ କଚାଡ଼ି ଦେବାରୁ ସେ ଗୁରୁତର ହୋଇଥିଲେ। ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କୋମାରେ ୩ ମାସ ରହିବା ପରେ ସେବାୟତ ଜୀବନ ହାରିଥିଲେ।

ବୁଲା ଷଣ୍ଢମାନଙ୍କୁ ହେପାଜତରେ ରଖିବା ପାଇଁ ବିଭିନ୍ନ ମହଲରେ ଅନେକ ଥର ଦାବି ହୋଇ ଆସୁଛି। କିନ୍ତୁ ଜିଲ୍ଲା ପ୍ରଶାସନ ଅଥବା ନଗରପାଲିକା ତରଫରୁ ଏହାର କୌଣସି ପ୍ରତିକାର ହୋଇପାରୁ ନାହିଁ। ପୁରୀ ଏକ ଆଧ୍ୟାତ୍ମିକ ସହର ହୋଇଥିବାରୁ ଏଠାକୁ ଦେଶ-ବିଦେଶରୁ ବର୍ଷ ସାରା ପର୍ଯ୍ୟଟକ ଓ ଶ୍ରୀଜଗନ୍ନାଥଙ୍କ ଭକ୍ତ ଆସୁଥିଲେ ମଧ୍ୟ ସେମାନଙ୍କର ସୁରକ୍ଷା ଦୃଷ୍ଟିରୁ ବୁଲା ଷଣ୍ଡଙ୍କୁ ଘଉଡାଇବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନ କରିବା କ୍ଷୋଭର ବିଷୟ ବୋଲି ବୁଦ୍ଧିଜୀବୀମାନେ ଆଲୋଚନା କରୁଛନ୍ତି।

ସମ୍ବନ୍ଧିତ ଖବର