ଖସିଗଲେ ୬ ଜୁଆଡ଼ି, ଜଣେ ଗିରଫ; ୩ ଗାଡ଼ି, ମୋବାଇଲ ଓ ୭୨ ହଜାର ଟଙ୍କା ଜବତ

ପୁରୀ : ପୁରୀ ଟାଉନ ଥାନା ଅନ୍ତର୍ଗତ ଜଗନ୍ନାଥ ବଲ୍ଲଭ ପାର୍କିଂ ଭିତରେ ଜୁଆ ଖେଳ ହେଉଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପୁଲିସ ସେଠାରେ ଚଢ଼ଉ କରି ଗତକାଲି ଜଣେ ଜୁଆଡ଼ିକୁ ଗିରଫ କରିଛି। ତେବେ ଏହି ସମୟରେ ସେଠାରୁ ଅନ୍ୟ ଜୁଆଡ଼ିମାନେ ଖସି ପଳାଇ ଯିବାରେ ସକ୍ଷମ ହୋଇଥିଲେ। ପୁଲିସ ଘଟଣା ସ୍ଥଳରୁ ତିନିଟି ବାଇକ୍‌, ଗୋଟିଏ ମୋବାଇଲ ଏବଂ ୭୨ ହଜାର ଟଙ୍କା ଜବତ କରିଥିବା ଜଣାପଡ଼ିଛି। ଏବେ କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁଁ ପୁରୀକୁ କୌଣସି ଗାଡ଼ି ମୋଟର ଚଳାଚଳ ହେଉନଥିବାରୁ ଜଗନ୍ନାଥ ବଲ୍ଲଭ ପାର୍କିଂ ଅଞ୍ଚଳ ଜନଶୂନ୍ୟ ହୋଇ ରହୁଛି। ଏହାର ଫାଇଦା ଉଠାଉଛନ୍ତି ଜୁଆଡ଼ି । ଏଠାରେ ବସି ନିର୍ଭୟରେ ଜୁଆ ଖେଳ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ତେଣୁ ଗତକାଲି ଅପରାହ୍ଣ ୫ଟା ସମୟରେ ସ୍ପେଶାଲ ସ୍କ୍ବାର୍ଡ ଟିମ୍‌ ଟାଉନ ଥାନା ପୁଲିସର ସହାୟତାରେ ସେଠାରେ ଚଢ଼ଉ କରି ସଦର ଥାନା ଅନ୍ତର୍ଗତ ହଳଦିଆ ନିବାସୀ ଶେଷଦେବ ପାଢ଼ୀ(୩୫)କୁ ଗିରଫ କରିଛି। ଏହି ସମୟରେ ଅନ୍ୟ ୬ ଜଣ ଜୁଆଡ଼ି ସେଠାରୁ ‌ଖସିଯିବାରେ ସକ୍ଷମ ହୋଇଥିଲେ।

ମାତ୍ର ସେଠାରୁ ପୁଲିସ ଓଡି-୧୩ଜେ-୭୮୬୭ ନମ୍ବର ବିଶିଷ୍ଟ ପଲସର ଗାଡ଼ି, ଓଡି-୧୩କେ-୭୨୯୦ ନମ୍ବର ବିଶିଷ୍ଟ ୟାମାହ ଏଫଜେଡ୍‌ଏସ୍‌ ଏବଂ ଓଡି-୧୩କେ-୭୨୦୦ ନମ୍ବର ବିଶିଷ୍ଟ ଟିଭିଏସ୍‌ ଜୁପିଟର ଗାଡ଼ି ଜବତ କରିଥିଲା। ଏହା ସହିତ ସେଠାରୁ ୭୨ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ମଧ୍ୟ ଜବତ ହୋଇଛି। ମାମଲାରେ ସମ୍ପୃକ୍ତ ଅନ୍ୟ ଜୁଆଡ଼ିମାନଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧିତ ଖବର