ପୁରୀ: ବଡ଼ ଦେଉଳରେ ବଡ଼ ଧରଣର ଅଘଟଣ ଘଟିଥିବାର ଦେଖିବାକୁ ମିଳିଛି। ଆଜି ସକାଳ ପ୍ରାୟ ୯ଟା ସମୟରେ ପତିତପାବନ ବାନା ଛିଣ୍ଡି ଖଣ୍ଡବିଖଣ୍ଡିତ ହୋଇଯାଇଥିବା ସୂଚନା ରହିଛି। ନୀଳଚକ୍ରରେ ପତିତପାବନ ବାନା ସହ ବନ୍ଧା ହୋଇଥିବା ବାଉଶଁ ବି ଖସିପଡ଼ିଥିବା ଜାଣିବାକୁ ମିଳିଛି। ପୂର୍ବରୁ ବାନା ଏପରି ଭାବେ କେବେ ଛିଣ୍ଡି ଖଣ୍ଡ ଖଣ୍ଡ ହୋଇନଥିଲା। ଏପରି ପ୍ରଥମ ଥର ପାଇଁ ହୋଇଥିବା ହେତୁ ଭକ୍ତଙ୍କ ଭିତରେ ଏକ ଅଜଣା ଆଶଙ୍କା ସୃଷ୍ଟି ହୋଇଛି।

Advertisment

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କ‌ାହିଁ ‌କେତେ ପବନରେ ବାନା ସୁରକ୍ଷିତ ରହିଥିବା ବେଳେ ଆଜି ବିନା ପବନରେ ଏପରି ଅଘଟଣ ଘଟିଛି। ତେବେ ବଜ୍ରପାତ ହେତୁ ଏପରି ହୋଇ ଥାଇପାରେ ବୋଲି ସ୍ଥାନୀୟ ଲୋକେ ଅନୁମାନ ଲଗାଉଛନ୍ତି। ଆଜି ସକାଳ ପ୍ରାୟ ୮.୩୦ରୁ ପୁରୀରେ ବର୍ଷା ଘଡ଼ଘଡ଼ି ଅରମ୍ଭ ହୋଇ ଯାଇଥିଲା। ବଜ୍ରପାତ ଯଦି ବାନା ଛିଣ୍ଡିଥାଏ ତେବେ ବି ଏହା ପ୍ରଥମ। ପୂର୍ବରୁ ଶ୍ରୀମନ୍ଦିରକୁ କେବେ ବି ବଜ୍ରପାତ ହୋଇନଥିଲା।

publive-image
go2india

ଏଯାବତ୍‌ ବାନାର କୌଣସି ଅଂଶ ମିଳିନାହିଁ। ବାନା ଛିଣ୍ଡି କରି ଉଡ଼ି ଉଡ଼ି ଯାଉଥିବା ବେଳେ ପୁରୀ ବାସିନ୍ଦା ଦେଖିବାକୁ ପାଇଥିଲେ। ମାତ୍ର ଏବେ ବି ବାନା କେଉଁଠା‌ରେ ପଡ଼ିଥିବାର କେହି ପାଇନାହାନ୍ତି।

ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମନ୍ଦିରରେ ବାନା ନଥିଲେ ମହାପ୍ରଭୁଙ୍କ ନୀତି ପାଳନ ହେବନାହିଁ । ପୁଣି ବାନା ବନ୍ଧା ଯିବା ପରେ ମନ୍ଦିରରେ ମହାପ୍ରଭୁଙ୍କ ନୀତି ଚାଲିବ । ମହାପ୍ରଭୁ ଏବେ ଅଣସର ଘରେ ଥିବା ବେଳେ ମନ୍ଦିରରୁ ବାନା ଉଡିଯିବାକୁ ନେଇ ଭକ୍ତଙ୍କ ମଧ୍ୟରେ ଅନେକ ଚର୍ଚା ଜୋର ଧରିଛି ।