ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ 

ଭୁବନେଶ୍ୱର : ବରିଷ୍ଠ ଦଇତା ସେବାୟତ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ ହୋଇଛି ।  ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁହୋଇଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ସେ ହଠାତ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ଶ୍ରୀ ଦାସମହାପାତ୍ର ପୂର୍ବରୁ ଦୀର୍ଘ ଦିନ ଧରି ଦଇତାପତି ନିଯୋଗର ସଂପାଦକ ଥିଲେ । ୨୦୧୫ ନବକଳେବର ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଉଲ୍ଲେଖଯୋଗ୍ୟ, ଶ୍ରୀ ଦାସମହାପାତ୍ର କରୋନା ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହୋଇ ଡାକ୍ତରଖାନାରୁ ୩ ଦିନ ତଳେ ଡିସଚାର୍ଜ ହୋଇଥିଲେ। ଏହାପରେ ସେ ଘରେ ସଙ୍ଗରୋଧରେ ଥିଲେ। ତାଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।

ପୁରୀରେ ଭୟଙ୍କର ହେଉଛି କରୋନା। ରଥଯାତ୍ରା ସମୟ ଓ ପରେ ସୁରକ୍ଷିତ ଥିବା ସେବକ ସମାଜ ହଠାତ୍‌ ଏବେ କ‌ରୋନା କବଳିତ ହୋଇପଡ଼ିଛନ୍ତି। ସେବକଙ୍କ ଘରେ ଘରେ ଏବେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୧୫ ଦିନ ଭିତରେ ପ୍ରାୟ ୨ ଶହରୁ ଅଧିକ ସେବକ କରୋନା ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏପରିକି ଜଣକ ପରେ ଜଣେ ସେବକଙ୍କ ମୃତ୍ୟୁ ହେଉଛି। ପୁରୀରେ ମୋଟ ମୃତ୍ୟୁରୁ ୫ ଜଣ ସେବକଙ୍କ ମୃତ୍ୟୁ ହୋଇସାରିଛି। କିଛି ସେବକ ଗୁରୁତର ଅସୁସ୍ଥ ମଧ୍ୟ ରହିଛନ୍ତି। ସେବକଙ୍କ ମଧ୍ୟରେ କରୋନା ବ୍ୟାପିବା ଏବେ ଚିନ୍ତାଜନକ ରହିଛି।

ସମ୍ବନ୍ଧିତ ଖବର