ପୁରୀ, (ସୁମନ୍ତ ପରିଡ଼ା): ପୁଷ୍ପା ଗୁରୁମା। ଅନ୍‌ଲାଇନ୍‌ ପାଠପଢ଼ାରେ ଏକ ବିପ୍ଳବ କହିଲେ ଅତ୍ୟୁକ୍ତି ହେବନି। କରୋନା ଭଳି ମହାମାରୀ ସମୟରେ ବି ସେ କେବେ ପିଲାଙ୍କୁ ପାଠପଢ଼ାରୁ ବଞ୍ଚିତ ରଖିନାହାନ୍ତି। ଦୈନିକ କିଛି ନା କିଛି ସୁନ୍ଦର ଗୀତ, ଗପ ଲେଖି ଏହା ଜରିଆରେ ପିଲାମାନଙ୍କୁ ସ୍ବତନ୍ତ୍ର ଶୈଳୀରେ ପାଠ ପଢ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି। କେବଳ ନିଜ ବିଦ୍ୟାଳୟ ନୁହେଁ, ଜିଲ୍ଲା ତଥା ସାରାରାଜ୍ୟର ଛାତ୍ରଛାତ୍ରୀ ତାଙ୍କର ଏହି ଗୀତ ଓ ଗପକୁ ବି ଅନୁସରଣ କରୁଛନ୍ତି। ଆଉ ପାଦେ ଆଗକୁ ଯାଇ ତୃତୀୟରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ସେ ଏକ ସ୍ବତନ୍ତ୍ର ୟୁ-ଟ୍ୟୁବ୍‌ ଚ୍ୟାନେଲ୍‌ ବି ଖୋଲିଛନ୍ତି।

Advertisment

ପୁରୀ ସଦର ବ୍ଲକ ମଧୁବନବାଲିଆ ୟୁଜିୟୁପି ସ୍କୁଲରେ ଶିକ୍ଷୟିତ୍ରୀ ଚାକିରି କରିଛନ୍ତି ପୁଷ୍ପାରାଣୀ ପଣ୍ଡା। ଇଂରାଜୀରେ ସ୍ନାତକୋତ୍ତର କରିଥିବା ଶ୍ରୀମତୀ ପଣ୍ଡା ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ସହ ଅନ୍ୟ ବିଷୟ ପଢ଼ାଉଛନ୍ତି। କରୋନା ପାଇଁ ବିଦ୍ୟାଳୟ ସବୁ ବନ୍ଦ ରହିଥିବାବେଳେ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ଶ୍ରୀମତୀ ପଣ୍ଡା ସଦା ତତ୍ପର ରହିଛନ୍ତି। ଏକ ୱାଟ୍‌ସଆପ୍‌ ଗ୍ରୁପ୍‌ ଖୋଲି ଦୈନିକ ବିଭିନ୍ନ ବିଷୟବସ୍ତୁ ସଂପର୍କିତ ପାଠ୍ୟକ୍ରମ ଅପ୍‌ଲୋଡ୍‌ କରୁଛନ୍ତି। ଛାତ୍ରଛାତ୍ରୀ ଯେଭଳି ସହଜରେ ଏହାକୁ ବୁଝିପାରିବେ, ସେଥିପାଇଁ ସେ ନିଜସ୍ବ ଉଦ୍ୟମରେ ଏହାକୁ ସ୍ବତନ୍ତ୍ର ଶୈଳୀରେ ଲେଖୁଛନ୍ତି। ପୁଷ୍ପା ଗୁରୁମାଙ୍କ ଏଭଳି ପାଠପଢ଼ା ଶୈଳୀ କେବଳ ଜିଲ୍ଲା ଭିତରେ ସୀମିତ ନାହିଁ, ସାରା ରାଜ୍ୟର ଛାତ୍ରଛାତ୍ରୀମାନେ ବି ତାଙ୍କର ଏହି ଅଧ୍ୟୟନ ଶୈଳୀକୁ ଅନୁସରଣ କରୁଛନ୍ତି। ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ଦୀକ୍ଷା ଇ-ଲର୍ଣ୍ଣିଂ ପୋର୍ଟାଲ୍‌ରେ ଇଂରାଜୀ ବିଷୟବସ୍ତୁ ସଂପର୍କିତ ଭିଡିଓ ବି ପ୍ରସ୍ତୁତ କରି ଅପ୍‌ଲୋଡ଼୍‌ କରୁଛନ୍ତି। ତାଙ୍କର ଏହି ନିଆରା ଉଦ୍ୟମ ପାଇଁ 'ଓସେପା'ର ନିର୍ଦ୍ଦେଶକ୍ରମେ ପୁରୀ ଜିଲ୍ଲା ଦୀକ୍ଷା ସଂଯୋଗ କାର୍ଯ୍ୟକ୍ରମରେ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଇଂରାଜୀ ଓ ଓଡ଼ିଆ ବିଷୟବସ୍ତୁ ସଂପର୍କିତ ଭିଡିଓ ଓ ଅଡିଓ ଆଦି ପ୍ରସ୍ତୁତ କରୁଛନ୍ତି। ଯାହାକୁ ଜିଲ୍ଲାର ସମସ୍ତ ବ୍ଲକ୍ ଓ ବିଦ୍ୟାଳୟ ସ୍ତରୀୟ ୱାଟ୍‌ସଆପ୍‌ ଗ୍ରୁପ୍‌ରେ ସେୟାର କରାଯାଉଛି।

publive-image

ପୁଷ୍ପା ଗୁରୁମା’ଙ୍କ ପାଠପଢ଼ା ପାଇଁ ପ୍ରସ୍ତୁତ ଏହି ଭିଡିଓ, ଅଡିଓ ଏତେ ସୁନ୍ଦର ଓ ଉପଯୋଗୀ ଯେ ଅନ୍ୟ ରାଜ୍ୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ଏହାକୁ ବ୍ୟବହାର କରୁଛନ୍ତି। ସାରା ରାଜ୍ୟର ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ସେ ଖୋଲିଥବା ୟୁ-ଟ୍ୟୁବ୍‌ ଚ୍ୟାନେଲ୍‌ରେ ଦୈନିକ ବିଷୟବସ୍ତୁ ଆଧାରିତ ନିଜସ୍ବ ଭିଡିଓ, ଅଡିଓ ଅପ୍‌ଲୋଡ୍‌ କରୁଛନ୍ତି।