ଯୁବକଙ୍କ ଆତ୍ମହତ୍ୟା ଘଟଣା : ପତ୍ନୀ ଓ ପ୍ରେମିକ ଟଣାହେବେ

ପୁରୀ : ବିବାହର ମାତ୍ର ୮ ମାସ ମଧ୍ୟରେ ପତ୍ନୀଙ୍କ ଅନୈତିକ ସମ୍ପର୍କକୁ ନେଇ ଯୁବକଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ଭିନ୍ନ ଆଡ଼କୁ ମୁହାଁଇଲାଣି। ଯୁବକଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏ ସଂକ୍ରାନ୍ତରେ କେବଳ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଥିଲେ ହେଁ ମୃତକଙ୍କ ଭିଡିଓ ବୟାନ ଆଧାରରେ ପତ୍ନୀ ଓ ତାଙ୍କ ପ୍ରେମିକକୁ ତଦନ୍ତ ପରିସରଭୁକ୍ତ କରିବା ଲାଗି ପୁଲିସ ଯୋଜନା କରୁଛି। ଏସପି ଡା. ସାର୍ଥକ ଷଡ଼ଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ମୃତ ଯୁବକ ଶାନ୍ତନୁ ପାତ୍ର ଆତ୍ମହତ୍ୟା ପୂର୍ବରୁ ଫେସ୍‌ବୁକରେ ଭାଇରାଲ୍‌ କରିଥିବା ଭିଡିଓ ବୟାନ ଅନୁଯାୟୀ ତାଙ୍କ ପତ୍ନୀ ଓ ପତ୍ନୀଙ୍କ ତଥାକଥିତ ଜଗତସିଂହପୁରର ଅମରେଶ ସ୍ୱାଇଁଙ୍କୁ ତଦନ୍ତ ପରିସରକୁ ଆଣି ପଚରାଉଚୁରା କରାଯିବ। ଶାନ୍ତନୁଙ୍କ ଆତ୍ମହତ୍ୟାର କାରଣକୁ ଯାଞ୍ଚ କରାଯିବ। ଯଦି ଶାନ୍ତନୁଙ୍କ ଅଭିଯୋଗର କୌଣସି ସତ୍ୟତା ଥାଏ ତେବେ ତାଙ୍କ ପତ୍ନୀ ଓ ଅମରେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଡା. ଷଡଙ୍ଗୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗଡ଼ଭିଙ୍ଗୁରାର ଶାନ୍ତନୁ ପାତ୍ର ଗତ ଫେବ୍ରୁଆରି ୨ ତାରିଖ ଦିନ ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ କାଞ୍ଜିଆ ଗ୍ରାମର ଅନିତା ପ୍ରଧାନଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ବିବାହ ପରେ ପତ୍ନୀଙ୍କ ଚାରିତ୍ରିକ ତ୍ରୁଟି ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଗତ ୮ ତାରିଖ ବିଳମ୍ବିତ ରାତିରେ ଆତ୍ମହତ୍ୟା କରିବାକୁ ଯାଉଥିବା ନେଇ ସେ ଫେସବୁକ୍‌ରେ ଏକ ଭିଡିଓ ଅପଲୋଡ଼ କରିଥିଲେ। ୧୫ ମିନିଟ୍‌ ଅବଧିର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ବେଳକୁ ତାଙ୍କର ଝୁଲନ୍ତା ଶବ ଗାଁ ମୁଣ୍ଡ ପୋଖରୀ ନିକଟରେ ଥିବା ବରଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ନିକଟରେ କିଛି ଔଷଧ, ପାଣି ବୋତଲ ଏବଂ ଏକ ଟର୍ଚ୍ଚ ଲାଇଟ୍‌ ଦେଖିବାକୁ ମିଳିଥିଲା। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶାନ୍ତନୁଙ୍କ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲାରେ ବ୍ୟବଚ୍ଛେଦ କରାଇଥିଲା। ତେବେ ଶାନ୍ତନୁ ନିଜ ପତ୍ନୀଙ୍କ ଛଳନା ଏବଂ ପରପୁରୁଷ ସହିତ ତାଙ୍କର ଶାରୀରିକ ସମ୍ପର୍କ ରହିଥିବାର ସନ୍ଦେହ କରି ସେ ଆତ୍ମହତ୍ୟା କରୁଛନ୍ତି ବୋଲି ଏହି ଭିଡିଓରେ ବଖାଣିଥିଲେ। ଏପରିକି ଅମରେଶ ତାଙ୍କ ପାଖକୁ ପତ୍ନୀଙ୍କ ଅଶ୍ଳୀଳ ଫଟୋଚିତ୍ର ସହ ଉଭୟଙ୍କର ଅନୈତିକ ସଂପର୍କର ଫଟୋ ତାଙ୍କ ପାଖକୁ ପଠାଇଥିବା ସେ ଏହି ଭିଡିଓରେ ଦର୍ଶାଇଛନ୍ତି। ତେଣୁ ପ୍ରକୃତରେ ଶାନ୍ତନୁଙ୍କ ଏହି ବୟାନ ଏକପାଖିଆ ନା ତାଙ୍କ ସଂଦେହରେ କିଛି ସତ୍ୟତା ରହିଛି ସେନେଇ ପୁଲିସ ତଦନ୍ତ ଆରମ୍ଭ କରିବ।

ସମ୍ବନ୍ଧିତ ଖବର