ପୁରୀ : ଖୋଦ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ପଛର ବାସ୍ତବତା ଅଛି କି ନାହିଁ, ତାହା ଉପରୁ ପରଦା ଏଯାଏ ହଟିନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ହେଲେ ଲୋକସଭା କଥା ଦୂରେ ଥାଉ, ପୁରୀ ବିଧାନସଭା ଆସନରେ ସ୍ଥାନୀୟ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବିରୋଧରେ ବିଜେପି ପ୍ରାର୍ଥୀ କିଏ? ତାହା ଏଯାଏ ନିର୍ଣ୍ଣୟ ହୋଇନାହିଁ। ସେହିଭଳି ଆଠଗଡ ଆସନକୁ ଆଖେଇ ଥିବା ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ ଯଦି କଂଗ୍ରେସରୁ ପ୍ରାର୍ଥୀ ନ ହୁଅନ୍ତି, ତେବେ ଦଳ ସେଠାରୁ କାହାକୁ ଲଢାଇବ, ତାହାକୁ ନେଇ ଏବେ ପୁରୀ ରାଜନୀତିରେ ଚର୍ଚ୍ଚା ଜୋର ଧରିଲାଣି।
ଗତ ୫ଟି ବିଧାନସଭା ନିର୍ବାଚନରେ ମହେଶ୍ୱର ଓ ଉମାବଲ୍ଲଭ ପରସ୍ପରର ନିକଟତମ ପ୍ରତିଦ୍ଵନ୍ଦ୍ୱୀ ହୋଇ ରହିଛନ୍ତି। ଶ୍ରୀ ରଥ ଦୁଇ ଥର କଂଗ୍ରେସ, ଦୁଇ ଥର ସ୍ୱାଧୀନ ଓ ଥରେ ବିଜେପିରୁ ପ୍ରତିଦ୍ଵନ୍ଦ୍ୱିତା କରିଥିବା ବେଳେ ସବୁଥର ହାରହାରି ୪୦ ହଜାରରୁ ଅଧିକ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ମହେଶ୍ୱର ଅପରାଜେୟ ଅଛନ୍ତି।
ଏଥର ଉମା ପୁରୀ ଆସନ ପ୍ରତି ଅନାଗ୍ରହ ପ୍ରଦର୍ଶନ କରୁଥିବା ପରିପ୍ରେକ୍ଷୀରେ ପ୍ରାକ୍ ନିର୍ବାଚନ ରାଜନୀତି ରୋଚକ ମୋଡ଼ ନେଉଛି। ଗୋଟିଏ ପଟେ ଉଭୟ କଂଗ୍ରେସ ଓ ବିଜେପି ପ୍ରାର୍ଥୀ କିଏ ହେବ, ସେ ନେଇ ଦ୍ୱନ୍ଦ୍ୱ ରହିଛି। ତା ସହିତ ପୁଣି ମହେଶ୍ୱରଙ୍କୁ କିଭଳି ମାତ୍ ଦିଆଯିବ, ସେ ଚିନ୍ତା ବି ଘାରିଛି ନେତୃତ୍ୱଙ୍କୁ। ପୁରୁଣା ମୁହଁ ବଦଳରେ ଉଭୟ ଦଳ ନୂଆ ମୁହଁ ଖୋଜୁଥିବା ଚର୍ଚ୍ଚା ହେଉଛି। ଯେହେତୁ ଉଭୟ ଦଳର ସଂଗଠନ ସେଭଳି ପ୍ରଭାବୀ ନାହିଁ, ଏଣୁ ଟାଣୁଆ ତଥା ଲୋକପ୍ରିୟ ନେତାଙ୍କୁ ଖୋଜାଚାଲିଛି।
ପୁରୀରେ ମହେଶ୍ୱରଙ୍କ ପ୍ରତିଦ୍ଵନ୍ଦ୍ୱୀ ଭାବେ ଜଣାଶୁଣା ତଥା ବର୍ତ୍ତମାନର ପୌରାଧ୍ୟକ୍ଷ ଜୟନ୍ତ ଷଡଙ୍ଗୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଜୟନ୍ତଙ୍କୁ ଦଳକୁ ନେବା ପାଇଁ କଂଗ୍ରେସ ପକ୍ଷରୁ ପ୍ରାରମ୍ଭିକ ଆଲୋଚନା ହୋଇଥିବା ଏକ ସୂତ୍ରରୁ ଜଣାପଡିଛି। ଜୟନ୍ତଙ୍କୁ ପ୍ରାର୍ଥୀ କଲେ ବିଜେଡି ଭୋଟ ବିଭାଜନ ଘଟିବ ଓ ଚିତ୍ର ବଦଳିଯିବ ବୋଲି କଂଗ୍ରେସ ନେତା ଭାବୁଛନ୍ତି। ବିଜେପି ମଧ୍ୟ ସମାନ ରଣନୀତି ଆପଣେଇ ପୁରୀରେ ଜଣେ ନୂଆ ମୁହଁକୁ ଆଣିବା ପାଇଁ ପ୍ରୟାସ ଚଳାଇଛି। କୁହାଯାଉଛି, ବିଜେପି ମଧ୍ୟ ଜୟନ୍ତଙ୍କ ଉପରେ ନଜର ପକାଇଛି। ପୌରାଧ୍ୟକ୍ଷଙ୍କୁ ହାତେଇବା ଲାଗି ଦୁଇ ଦଳ ଚାହୁଁଥିବା ବେଳେ ଜୟନ୍ତ କିନ୍ତୁ ଏ ସଂପର୍କରେ କିଛି ସ୍ପଷ୍ଟ କରିନାହାନ୍ତି। ଅନ୍ୟପକ୍ଷରେ ମହେଶ୍ୱରଙ୍କ ସହିତ ପଟୁନଥିବା ଜୟନ୍ତ ସତ୍ୟବାଦୀ ବିଧାନସଭା ଆସନ ଉପରେ ଆଖି ରଖିଥିବାରୁ ପୁରୀ ରାଜନୀତି ଗୋଳିଆ ଧରିଛି। ଜୟନ୍ତଙ୍କୁ ଛାଡି କଂଗ୍ରେସରେ ବି ବହୁ ଯୁବ ନେତା ପୁରୀ ଆସନ ଉପରେ ଆଖି ରଖିଛନ୍ତି। କିନ୍ତୁ ସେମାନଙ୍କୁ ଆଗକୁ ବଢିବା ଲାଗି କୌଣସି ସବୁଜ ସଙ୍କେତ ଦେଇନାହାନ୍ତି।
ପୁରୀରେ ଜନ୍ମଲାଭ କରିଥିବା ତଥା କେନ୍ଦ୍ରୀୟ ଉଦ୍ୟୋଗର ଗୁରୁତ୍ଵପୂର୍ଣ୍ଣ ପଦବିରେ ଅବସ୍ଥାପିତ ଜଣେ ଅଧିକାରୀ ବିଜେପିର ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର୍ ଚାଲିଛି। ଏମାନଙ୍କ ଛ଼ଡା ବିଜେପିର କୃଷ୍ଣଚନ୍ଦ୍ର ପଣ୍ଡା, କୃଷ୍ଣ ଜଗଦେବଙ୍କ ଭଳି ଅନେକ ନେତା ପୁରୀ ଆସନକୁ ନେଇ ଆଶାୟୀ ଅଛନ୍ତି।