ପୁରୀ : ‘କରୋନା’ ଭୟାବହତା ପାଇଁ ଜିଲ୍ଲା ପ୍ରଶାସନ ତୁହାକୁ ତୁହା ବୈଠକ କରିବା ସହ ଏକପ୍ରକାର ଘରୁ ନବାହାରିବା ପାଇଁ ଲୋକଙ୍କୁ କହିଛି। ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ସ୍କୁଲ, କଲେଜ, ସପିଂ ମଲ୍, ସବୁ କିଛି ବନ୍ଦ କରି ଦିଆଯାଇଛି। ଟୁରିଷ୍ଟ ବସ୍ ଚଳାଚଳରେ କଟକଣା ଲଗାଯାଇଛି। କୋଣାର୍କ ବନ୍ଦ କରି ଦିଆଯାଇଥିବାବେଳେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ କଟକଣା ଲାଗିଛି। ଏଭଳି ସ୍ଥିତିରେ ପୁରୀ ରେଳ ଷ୍ଟେସନ୍ ଅନେକ ଗୁରୁତ୍ବ ବହନ କରୁଛି।
କାରଣ ବିଶ୍ବ ପର୍ଯ୍ୟଟନରେ ପୁରୀର ସ୍ବତନ୍ତ୍ର ସ୍ଥାନ ରହିଛି। ଏଠାକୁ ଯାତାୟାତ ପାଇଁ ଟ୍ରେନ୍ ଏକ ପ୍ରମୁଖ ମାଧ୍ୟମ। ଦେଶ ବିଦେଶରୁ ପର୍ଯ୍ୟଟକ ଟ୍ରେନ୍ ଯୋଗେ ଏଠାକୁ ଯାତ୍ରା କରୁଛନ୍ତି। କିନ୍ତୁ ରେଳ ଷ୍ଟେସନ୍ ଭଳି ଏକ ସମ୍ବେଦନଶୀଳ ସ୍ଥାନରେ ଆଜି ପର୍ଯ୍ୟନ୍ତ କରୋନା କଟକଣା ଲାଗିପାରିନି। ସମାନ ଅବସ୍ଥା ରେଳ ବିଭାଗରେ କାମ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏମାନେ ନା ମାସ୍କ ପିନ୍ଧୁଛନ୍ତି, ନା କରୋନ ନିୟମାବଳୀକୁ ମାନୁଛନ୍ତି। ଆଜି ଏହାର ସ୍ଥିତି ଅନୁଧ୍ୟାନ ପାଇଁ ଆମେ ପୁରୀ ରେଳ ଷ୍ଟେସନ୍କୁ ଯାଇଥିଲୁ। ସବୁଠୁ ଯାତ୍ରୀମାନେ ଏକାଠି ହୋଇ ବସିବା ସହ ଖାଉଥିବାର ଦେଖିବାକୁ ମିଳିଛି। ବହୁ ଯାତ୍ରୀ ଏକାଠି ଶୋଇଥିବାର ବି ଦେଖିବାକୁ ମିଳିଥିଲା। ଯେଉଁମାନଙ୍କ ସଂଖ୍ୟା ୩୦ ରୁ ୫୦ ପର୍ଯ୍ୟନ୍ତ ରହିଥିଲା। ଦେଶ ବିଦେଶରୁ ପର୍ଯ୍ୟଟକ ଏଠାକୁ ଆସୁଥିବାରୁ ଟ୍ରେନ୍ରେ କରୋନା ଭୂତାଣୁ ବ୍ୟାପିବାର ଭୟ ଅଧିକ ଥାଏ। ଯେଉଁଠି ଟୁରିଷ୍ଟ ବସ୍ କ୍ଷେତ୍ରରେ କଟକଣା ଲଗାଯାଇଛି, ସେଠି ପୁରୀ ରେଳ ଷ୍ଟେସନ୍ରେ ଏହି କଟକଣା କୋହଳ କରାଯିବାକୁ ସାଧାରଣରେ ସମାଲୋଚନା କରାଯାଇଛି।