ସ୍ନାନ ପୂର୍ଣ୍ଣିମା ସୁଦ୍ଧା ସରିବନି ନାହାକା କାମ

ପୁରୀ : ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ତିନି ରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନର ଚାରିନାହାକା କାମ ସରିବାର ପରମ୍ପରା କାହିଁ କେତେ ବର୍ଷରୁ ରହିଆସିଛି। କିନ୍ତୁ ଚଳିତ ବର୍ଷ ଏହି ପରମ୍ପରା ଭଙ୍ଗ ହେବାର ଆଶଙ୍କା ଦେଖାଦେଇଛି। ରଥ ନିର୍ମାଣ କାମ ବର୍ତ୍ତମାନ ଯେଉଁ ସ୍ଥିତିରେ ରହିଛି, ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ନାହାକା କାମ ସରିବା ନେଇ ସନ୍ଦେହ ଜାତ ହୋଇଛି। ଏଭଳି ଆଶଙ୍କା ପରେ ବିଶ୍ବକର୍ମାମାନେ ରଥ ନିର୍ମାଣ କାମ ପାଇଁ ଦେଢ଼ଗୁଣା ମଜୁରି ଦାବି କରିଛନ୍ତି। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ନାହାକା କାମ ସାରିବାକୁ ହେଲେ ରଥଖଳାରେ ଅଧିକ ସମୟ ଦେବାକୁ ପଡ଼ିବ। ସକାଳୁ ଆସି ସଂଧ୍ୟାରେ ଯିବାକୁ ପଡ଼ିବ। ଏ ବାବଦରେ ଦେଢ଼ା ମଜୁରି ଦେବାକୁ ତିନି ରଥର ମୁଖ୍ୟ ବିଶ୍ବକର୍ମାମାନେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ‌ଯୋଗେ ଜଣାଇଛନ୍ତି। ପରମ୍ପରା ମୁତାବକ ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିବା ବେଳେ ଶୀତଳ ଷଷ୍ଠୀରେ ଚକଡ଼େରା କାମ ଶେଷ ହୁଏ। କିନ୍ତୁ ଚଳିତ ବର୍ଷ ଗୁଆଲିର ପରଦିନ ଚକଡେରା କାମ ଶେଷ ହୋଇଛି। ସେହି ଅନୁଯାୟୀ ଅନ୍ୟାନ୍ୟ କାମ ମଧ୍ୟ ବିଳମ୍ବିତ ହୋଇଛି। ମୁଖ୍ୟ ବିଶ୍ବକର୍ମାମାନଙ୍କ କହିବା ମୁତାବକ, ଏ ବର୍ଷ ରଥଖଳାରେ ବିଳମ୍ବରେ କାଠ ପହଞ୍ଚିଥିଲା। ତୁମ୍ବ କାଠ ବିଳମ୍ବରେ ପହଞ୍ଚିବାରୁ ତୁମ୍ବ କାମ ବିଳମ୍ବରେ ଶେଷ ହୋଇଛି। ଆଜି ସୁଦ୍ଧା ଚାରିନାହାକା ହଣା କାମ ସରିଯିବା କଥା। କିନ୍ତୁ ଏହି କାମ ଅଧା ବି ଛୁଇଁନି। ସେପଟେ ଅସହ୍ୟ ତାତି ଯୋଗୁ ରଥଖଳାରେ ଛିଡ଼ା ହୋଇ କାମ କରିବା କଷ୍ଟସାଧ୍ୟ ହୋଇପଡ଼ିଛି। ଦେବସ୍ନାନ ପୂର୍ଣ୍ଣିମା ସୁଦ୍ଧା ଚାରିନାହାକା କାମ ଶେଷ ହେବାର ପରମ୍ପରା ରହିଛି। ଦିନ ମଜୁରି ହିସାବରେ କାମ ଚାଲିଲେ ନାହାକା କାମ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ସରିବା ଅସମ୍ଭବ। ତେଣୁ ବଡ଼ି ସକାଳୁ ଆସି କାମ କରିବାକୁ ପଡ଼ିବ। ଏଥି ପାଇଁ ଅଧିକ ମଜୁରି ନଦେଲେ ବିଶ୍ବକର୍ମାମାନେ କାମ କରିବେନି ବୋଲି କହୁଛନ୍ତି। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ବକର୍ମାମାନଙ୍କୁ ଦେଢ଼ା ମଜୁରି ଦେବାକୁ ତିନି ରଥର ବିଶ୍ବକର୍ମାମାନେ ଦାବି କରିଛନ୍ତି। ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ବକର୍ମା ବିଜୟ କୁମାର ମହାପାତ୍ର କହିଛନ୍ତି, ଗତକାଲି ମୁଖ୍ୟ ପ୍ରଶାସକଙ୍କୁ ଏ ନେଇ ଦାବିପତ୍ର ଦିଆଯାଇଥିଲା। କିନ୍ତୁ ଏ ସଂପର୍କରେ ମୁଖ୍ୟ ପ୍ରଶାସକ କିଛି ସ୍ପଷ୍ଟ କରିନାହାନ୍ତି। ସୂଚନାଯୋଗ୍ୟ, ପ୍ରତିବର୍ଷ ବିଶ୍ବକର୍ମାମାନଙ୍କ ମଜୁରିରେ ୧୦ ପ୍ରତିଶତ ବୃଦ୍ଧି କରାଯାଏ। ଗତବର୍ଷ ବିଶ୍ବକର୍ମାମାନେ ୪୪୦ ଟଙ୍କା ମଜୁରି ପାଉଥିଲେ। ଚଳିତ ବର୍ଷ ୪୮୪ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ଦେଢ଼ଗୁଣା ମଜୁରି ଦାବି କରୁଛନ୍ତି। ଅନ୍ୟପଟେ ତିନି ରଥ ପାଇଁ ଚାରିଟି ଲେଖା ୧୨ଟି ଚାରିନାହାକା ଆବଶ୍ୟକ ଥିବା ବେଳେ ଏଯାବତ୍‌ ଚାରିନାହାକା ହଣା କାମ ଶେଷ ହୋଇନାହିଁ।

ସମ୍ବନ୍ଧିତ ଖବର