‘କରୋନା’ ପାଇଁ ଶ୍ରୀମନ୍ଦିର ଖାଁ ଖାଁ : ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ଚାରିପଟେ ପଡ଼ିଲା ବାଡ଼, ମାସ୍କ ପିନ୍ଧା ଭକ୍ତଙ୍କୁ ମିଳିଲା ଦର୍ଶନ ଅନୁମତି

ଶ୍ରୀମନ୍ଦିର ପ୍ରଶାସନ ଦେଲା ସାନିଟାଇଜର୍‌, ପ୍ରଥମ ଦିନରେ ଘୋଷଣାନାମା ନିୟମ କୋହଳ

ପୁରୀ : ‘କରୋନା’ ପ୍ରଭାବ ଆଜି ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନର କଟକଣା ପରେ ଆଜି କାଁଭାଁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛନ୍ତି। ଯେଉଁ ଭକ୍ତମାନେ ଦର୍ଶନ ପାଇଁ ଆସିଛନ୍ତି, ବିନା ମାସ୍କରେ ସେମାନଙ୍କୁ ପ୍ରବେଶ ଅନୁମତି ମିଳିନି। ଯେଉଁମାନେ ମାସ୍କ ପିନ୍ଧିନାହାନ୍ତି, ସେମାନଙ୍କୁ ରୁମାଲ୍‌ ଅବା କପଡ଼ାରେ ମୁହଁ ବାନ୍ଧି ମନ୍ଦିର ଭିତରକୁ ଯିବାକୁ ବାଧ୍ୟ କରାଯାଇଛି।

ମନ୍ଦିର ପ୍ରଶାସନ ପକ୍ଷରୁ ଆଜି ସମସ୍ତ ଭକ୍ତଙ୍କ ହାତକୁ ସାନିଟାଇଜର ଦେଇ ହାତ ଧୋଇବାକୁ ବାଧ୍ୟ କରାଯାଇଥିଲା। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଯେଉଁ ଘୋଷଣାନାମା ନିୟମ ଲାଗୁ କରିଛି, ପ୍ରଥମ ଦିନରେ ଏହି ନିୟମକୁ କୋହଳ କରାଯାଇଛି। ବିନା ଘୋଷଣାପତ୍ରରେ ଆଜି ଭକ୍ତମାନେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଇଛନ୍ତି। କିନ୍ତୁ ସ୍ପର୍ଶ ନିୟମକୁ କଡ଼ାକଡ଼ି କରାଯାଇଛି। ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ଚାରିପଟେ ବ୍ୟାରିକେଡ୍‌ ପଡ଼ିଛି।

ଶ୍ରୀମନ୍ଦିରରେ ଦୈନିକ ଲକ୍ଷାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଏଥିପାଇଁ ଶ୍ରୀମନ୍ଦିର, ସିଂହଦ୍ବାର ଓ ବଡ଼ଦାଣ୍ଡ ଗହଳଚହଳ ଥାଏ। ‘କରୋନା’ ପାଇଁ ଗତକାଲି ଠାରୁ ଶ୍ରୀମନ୍ଦିର ପ୍ରଶାସନ ଦର୍ଶନରେ କଟକଣା ଲଗାଇବା ପରେ ଆଜି ଭକ୍ତଙ୍କ ସଂଖ୍ୟା ଯଥେଷ୍ଟ କମିଥିଲା। ଗହଳଚହଳ ରହୁଥିବା ବାଇଶିପାହାଚ ଖାଁ ଖାଁ ହୋଇ ପଡ଼ିଥିଲା। ଗତକାଲିର ଘୋଷଣା ମୁତାବକ ଶ୍ରୀମନ୍ଦିର ପ୍ରଶାସନ ଆଜି ସକାଳୁ ଭକ୍ତଙ୍କ ପ୍ରବେଶ ବେଳେ ଘୋଷଣାନାମା ଲେଖିବାକୁ ଭକ୍ତଙ୍କୁ ବାଧ୍ୟ କରିଥିଲା। କିଛି ସମୟ ଏହି ବ୍ୟବସ୍ଥା ଚାଲିବା ପରେ ଘୋଷଣାନାମା ନିୟମକୁ ବନ୍ଦ କରି ଦିଆଯାଇଥିଲା। ବିନା ଘୋଷଣାନାମାରେ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇଥିଲେ। ନୂଆସେଡ୍‌ ପ୍ରବେଶ ପଥରେ କିନ୍ତୁ ମାସ୍କ ପିନ୍ଧା ନିୟମକୁ କଡ଼ାକଡ଼ି କରାଯାଇଥିଲା। ଯେଉଁ ଭକ୍ତମାନେ ମାସ୍କ ପିନ୍ଧିନଥିଲେ, ସୁରକ୍ଷା କର୍ମୀମାନେ ସେମାନଙ୍କୁ ପ୍ରବେଶ ଅନୁମତି ଦେଇନଥିଲେ। ବାଧ୍ୟ ହୋଇ ଯେଉଁ ଭକ୍ତମାନେ ମାସ୍କ ଆଣିନଥିଲେ, ଚଢ଼ା ଦରରେ ରୁମାଲ୍‌ କିଣି ଏହାକୁ ମୁହଁରେ ବାନ୍ଧି ଦର୍ଶନ ପାଇଁ ଯାଇଥିଲେ।

ମହିଳା ଭକ୍ତଙ୍କୁ ମହିଳା ପୁଲିସମାନେ ଓର୍ଣ୍ଣି ଅବା ଲୁଗାର କାନି ବାନ୍ଧି ମନ୍ଦିର ଭିତରକୁ ଯିବାକୁ ବାଧ୍ୟ କରିଥିଲା। ଏପରିକି ବହୁ ଭକ୍ତଙ୍କ ମୁହଁରେ ମହିଳା ପୁଲିସମାନେ ଓର୍ଣ୍ଣି, ଲୁଗାର କାନି ବାନ୍ଧି ଦେଉଥିବା ଦେଖିବାକୁ ମିଳିଥିଲା। ସିଂହଦ୍ବାର ସମ୍ମୁଖକୁ ଯିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ମୁତୟନ ହୋଇଥିବା ଏକାଧିକ ବ୍ୟକ୍ତି ଭକ୍ତଙ୍କ ହାତକୁ ହାତ ଧୋଇବା ପାଇଁ ଲିକୁଇଡ୍‌, ସାନିଟାଇଜର୍‌ ଦେଉଥିବା ଦେଖିବାକୁ ମିଳିଥିଲା। କେବଳ ସିଂହଦ୍ବାରରେ ଏହି ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଅନ୍ୟଦ୍ବାରରେ କିନ୍ତୁ ଏହି ନିୟମ ଲାଗୁ କରାଯାଇନି।

ସମ୍ବନ୍ଧିତ ଖବର