ପୁରୀ: ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ ଅଭିଯୋଗ ହୋଇଛି। ଏମବିବିଏସ୍ ଦ୍ବିତୀୟ ବର୍ଷର କିଛି ଛାତ୍ର ଜଣେ ପ୍ରଥମ ବର୍ଷ ଛାତ୍ରଙ୍କ ନିଶଦାଢ଼ି କାଟି ଦେଇଥିବା ନେଇ ପେଣ୍ଠକଟା ମେରାଇନ ଥାନାରେ ଏତଲା ଦେଇଛନ୍ତି କଲେଜ ଡିନ୍। ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି ପୁଲିସ। ଏନେଇ ୩ ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ସୂଚନା ଅନୁଯାୟୀ, ଗତ ୧୭ ତାରିଖରେ ଜଣେ ପ୍ରଥମ ବର୍ଷର ଛାତ୍ର ଇଣ୍ଟରନାଲ୍ ପରୀକ୍ଷା ଦେବାକୁ ଯାଉଥିବା ବେଳେ ତାଙ୍କୁ ୫୦୮ ନମ୍ବର ରୁମକୁ ଡକାଯାଇଥିଲା। ସେ ନିଶ ଦାଢ଼ି କାଟିଥିଲେ ମଧ୍ୟ ପୁଣି ଥରେ ନିଶଦାଢ଼ି କାଟିବା ପାଇଁ ପୀଡ଼ିତଙ୍କୁ କୁହାଯାଇଥିଲା। ପରେ ଉକ୍ତ ଛାତ୍ରମାନେ ତାଙ୍କୁ ଚଟାଣରେ ବସାଇ ଗଳା ଚିପି ନିଶଦାଢ଼ି କାଟି ଦେଇଥିଲେ। ଏନେଇ ଛାତ୍ର ଜଣଙ୍କୁ ୧୮ ତାରିଖରେ ଡିନଙ୍କ ନିକଟରେ ଅଭିଯୋଗ କରିଥିଲେ। ପରୀକ୍ଷା ଚାଲିଥିବା ବେଳେ ସେ ଏପରି ଘଟଣା ପାଇଁ ଶାରୀରିକ ଓ ମାନସିକ ଭାବେ ପ୍ରଭାବିତ ହୋଇଥିବା ଅଭିଯୋଗ କରିଥିଲେ।
ଆଣ୍ଟି ରାଗିଂ କମିଟି ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ୩ ଜଣ ସିନିଅରଙ୍କୁ ଛାତ୍ର ସଂସଦ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ୟୁଜିସି ଓ ଏନଏମସିର ନିୟମ ଅନୁଯାୟୀ ସଂପୃକ୍ତ ଛାତ୍ରମାନଙ୍କର ଅଭିଭାବକମାନଙ୍କୁ ଚିଠି ଲେଖାଯିବା ଲାଗି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/deb44dcb-29ef-4c2f-8a2e-c0eb89ff4b79.jpg)