ପୁରୀ ଆକାଶରେ ଇନ୍ଦ୍ରଧନୁ

ପୁରୀ : ରାତି ପାଖାପାଖି ୨ଟାରୁ ‌ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ବେଶ ସାମଗ୍ରୀ ଶ୍ରୀମନ୍ଦିରକୁ ବିଜେ ହେବା ପରେ ବେଶ ଆରମ୍ଭ ପ୍ରସ୍ତୁତ ହେବା ବେଳକୁ ହଠ‌ାତ୍ ପୁରୀ ଆକାଶରେ ଏକ ଇନ୍ଦ୍ରଧନୁ ଶୋଭା ପାଇଥିଲା। ଏହା ଅଦ୍ଭୁତ ସଂଯୋଗ ବୋଲି ଲୋକେ କହିବା ଆରମ୍ଭ କରି ଦେଇଥିଲେ। ସେ ପଟେ ମହାପ୍ରଭୁ ଧନୁ, ଶର ଭର୍ତ୍ତି ତୁଣୀରେ ସଜେଇ ହୋଇ ବୀର ବେଶ ହେଉଥିବା ବେଳେ ଆକାଶରେ ମଧ୍ୟ ଇନ୍ଦ୍ରଧନୁ ପଡ଼ିଥିଲା। ଲାଗୁଥିଲା ସତେ ‌ଯେମିତି ଇନ୍ଦ୍ର ଦେବ ମହାପ୍ରଭୁଙ୍କ ଏ ଦୁର୍ଲ୍ଲଭ ବେଶକୁ ଅପେକ୍ଷା କରି ରହିଥିଲେ। ପୁରା ଆକାଶ ମଧ୍ୟ ଉଜ୍ଜ୍ବଳ ହୋଇ ଉଠିଥିଲା। ଶ୍ରୀମନ୍ଦିର ଉପର ଆକାଶ ବି ଅଦ୍ଭୁତ ଭାବେ ପରିବର୍ତ୍ତନ ହୋଇଥିଲା। ଲାଲ ରଙ୍ଗ ସହ ଇନ୍ଦ୍ରଧନୁର ଦୃଶ୍ୟ ପୂରା ଆକାଶକୁ ଆଚ୍ଛାଦିତ କରିଥିଲା। ଭୋରରୁ ଇନ୍ଦ୍ରଧନୁ ପଡ଼ିବା ଏକ ଅସାଧାରଣ ଘଟଣା। ତେବେ ଆଜି ପୁରୀ ଆକାଶରେ ଏ ଚମକ ଦେଖିବାକୁ ମିଳିଥିଲା। ଏ ଦୃଶ୍ୟ ଦେଖିଥିବା ପ୍ରତ୍ୟେକ ଭକ୍ତ ଭାବବିହ୍ବଳ ହୋଇପଡ଼ିଥିଲେ। ମହାପ୍ରଭୁଙ୍କ ବେଶ ଦର୍ଶନ ପାଇଁ ସମଗ୍ର ଦେବଗଣ ଯେ ପ୍ରତୀକ୍ଷାରେ ଥିଲେ, ସକାଳର ଏହି ମନୋରମ ଦୃଶ୍ୟରୁ ଭକ୍ତମାନେ ତାହା ଅନୁଭବ କରିପାରୁଥିଲେ। ଧନ୍ୟ ମହାପ୍ରଭୁ, ଧନ୍ୟ ତୁମ ଲୀଳା କହି ଭକ୍ତ, ସେବକ ଓ ସ୍ଥାନୀୟ ଲୋକେ ଜୟ ଜୟକାର କରିବା ସହିତ ଜୟ ଜଗନ୍ନାଥ ଧ୍ବନିରେ ପୁରୀ ପ୍ରକମ୍ପିତ ହୋଇଥିଲା।

ପତ୍ନୀଙ୍କୁ ମିଳିଲାନି ଦର୍ଶନ ସୁଯୋଗ
ପୁରୀ : ନାଗାର୍ଜୁନ ବେଶ ପ୍ରସ୍ତୁତ କରୁଥିବା ଦାତା ବଳରାମ ଖୁଣ୍ଟିଆ ଓ ତାଙ୍କ ପତ୍ନୀ ମାସେ ଧରି ହବିଷାନ୍ନ ସେବନ କରୁଥିଲେ। ସଂକଳ୍ପ ନେଇଥିଲେ ମହାପ୍ରଭୁଙ୍କ ଦର୍ଶନ କଲେ ଯାଇ ବ୍ରତ ଭାଙ୍ଗିବେ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀ ଖୁଣ୍ଟିଆଙ୍କୁ ଦର୍ଶନ ଅନୁମତି ଦେଇଥିଲେ ବି ତାଙ୍କ ପତ୍ନୀଙ୍କ ଦର୍ଶନ ଅନୁମତିକୁ ଅଗ୍ରାହ୍ୟ କରିଦେଇଛି। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀ ଖୁଣ୍ଟିଆ। ସେ କହିଛନ୍ତି, ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କଲା ପରେ ଆମେ ବ୍ରତ ଭାଙ୍ଗିଥାନ୍ତୁ। କିନ୍ତୁ ସେ ସୌଭାଗ୍ୟ ମିଳିଲାନି। ଯେହେତୁ ଦୁଇଜଣ ଏକାଠି ସଂକଳ୍ପ ନେଇଥିଲୁ, ସେହି ଦୃଷ୍ଟିରୁ ଯେଉଁଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ମିଳିବ, ସେବେ ଦୁଇଜଣ ଏକାଠି ବ୍ରତ ଭାଙ୍ଗିବୁ। କିନ୍ତୁ ମାସେ ଧରି ଯେଉଁ ହବିଷାନ୍ନ ସେବନ କରୁଥିଲୁ ତାହା କରିବୁନି। ଦର୍ଶନ ନ ମିଳିବା ପର୍ଯ୍ୟନ୍ତ ଉଭୟ ବିନା ପିଆଜ ଓ ରସୁଣରେ ପ୍ରସ୍ତୁତ ଖାଦ୍ୟ ସେବନ କରିବୁ। ଘରେ ବି ପିଆଜ, ରସୁଣ ପଶିବନି କି ଏଥିରେ ଖାଦ୍ୟ ପ୍ରସ୍ତୁତ ହେବନି ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି।

ପଶିଗ‌ଲେ ବାହାର ରାଜ୍ୟ ଭକ୍ତ, ଅଟକ ରଖି ଛାଡ଼ିଦେଲା ପୁଲିସ
ପୁରୀ : ଆଜି ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ନେଇ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ କଡ଼ା କଟକଣା ହୋଇଥିଲା। ଏହି କଟକଣାକୁ ମାନି ପୁରୀର ସ୍ଥାନୀୟ ଲୋକେ ଘରେ ରହିଥି‌ଲେ। ରଥଯାତ୍ରା ଭଳି ନାଗାର୍ଜୁନ ବେଶ ପାଇଁ ଥିବା କଟକଣା ମାନି ନେଇଥିଲେ। ମାତ୍ର ସବୁ କଟକଣା ସତ୍ତ୍ବେ ଜଣେ ବାହାର ରାଜ୍ୟର ଭକ୍ତ ଅବାଧରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ତାଙ୍କୁ କୌଣସି ପୁଲିସ କି ସୁରକ୍ଷା କର୍ମୀ ଅଟକାଇ ନଥିଲେ। ସଂପୃକ୍ତ ଭକ୍ତ ମନ୍ଦିର ଭିତରେ ବୁଲୁଥିବା ବେଳେ ତାଙ୍କୁ ପୁଲିସ ଅଟକାଇଥିଲା। ଭକ୍ତଜଣକ ଅଜାଣତରେ ପ୍ରବେଶ କରିଥିବା କହିବା ପରେ ପୁଲିସ ତାଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି। ଭକ୍ତ ଜଣଙ୍କୁ ମନ୍ଦିର ଭିତରେ ପ୍ରବେଶ କରାଇବାରେ କାହାର ହାତ ଥିଲା ତାହା ସ୍ପଷ୍ଟ ହୋଇନାହିଁ। ଏତେ ସୁରକ୍ଷା ଭିତରେ କିଭଳି ଜଣେ ଅଣ‌ସେବକ ମନ୍ଦିର ଭିତରକୁ ଗଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏହାର ତଦନ୍ତ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର