ରଥ ଖଳା ହାଲଚାଲ : ପଡ଼ିଲା ଦଣ୍ଡା, ଚଉତା କାଠ

ପୁରୀ : ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ଘୋଷ ଯାତ୍ରାକୁ ପ୍ରାୟ ଦୁଇ ମାସ ବାକିଥିବା ବେଳେ ତା’ ପୂର୍ବରୁ ରଥ ନିର୍ମାଣ କାମ ଶେଷ ପାଇଁ ବିଶ୍ୱକର୍ମାଙ୍କଠାରୁ ଆରମ୍ଭ କରି ରୂପକାର ସେବକ, ଭୋଇ ସେବକ, କମାର ସେବକମାନେ ଲାଗି ପଡ଼ିଛନ୍ତି। ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟକୁ ଆଜିକୁ ୨୫ ଦିନ ପୂରିଛି। ଇତିମଧ୍ୟରେ ବିଶ୍ୱକର୍ମାମାନେ ଚକ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବା ସହ ଦଣ୍ଡା ଓ ଚଉତା କାମ ବି ଆରମ୍ଭ କରିଛନ୍ତି। ତିନି ରଥ ପାଇଁ ୪୦ ଫୁଟିଆ ଦଣ୍ଡା କାଠ ୨୫ଟି ଓ ପାର୍ଶ୍ୱ ମୁହାଣ୍ଟ ପାଇଁ ୬ଟି କାଠ ଆବଶ୍ୟକ ଥିବା ବେଳେ ଆଜି ପ୍ରାଥମିକ ପର୍ଯ୍ୟାୟରେ ତିନି ରଥ ପାଇଁ ତିନୋଟି ଦଣ୍ଡା କାଠ ପଡ଼ିଛି। ଶନିବାର ଅପରାହ୍‌ଣ ସୁଦ୍ଧା ଭୋଇ ସେବକମାନେ ଏହି ସବୁ କାଠ ରଥଖଳାରେ ପକାଇଛନ୍ତି। ନନ୍ଦିଘୋଷ ରଥ ପାଇଁ ୯ଟି, ତାଳଧ୍ୱଜ ରଥ ପାଇଁ ୯ଟି ଏବଂ ଦର୍ପଦଳନ ରଥ ପାଇଁ ୭ଟି ଦଣ୍ଡା କାଠ ଆବଶ୍ୟକ ଥିବା ବେଳେ ଆଜି ତିନି ରଥ ପାଇଁ ଗୋଟିଏ ଲେଖା କାଠ ପଡ଼ିଛି ବୋଲି କହିଛନ୍ତି ଭୋଇ ସର୍ଦ୍ଦାର ରବି ଭୋଇ। ସେହିପରି ତିନି ରଥ ପାଇଁ ପାର୍ଶ୍ୱ ମୁହାଣ୍ଟ ୨ଟି ଲେଖା ୬ଟି କାଠ ଆବଶ୍ୟକ ଥିବା ବେଳେ ଆଜି ୬ଟି ଯାକ କାଠ ରଥଖଳାରେ ପକାଯାଇଛି। ଗତକାଲି ରଥଖଳାରେ ଗୟଳ କାଠ ପକାଯାଇଥିଲା।

ସମ୍ବନ୍ଧିତ ଖବର