ରଥ ନିର୍ମାଣର ନ‌ାୟକ

ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାର ନାୟକମାନେ ରଥ ପ୍ରସ୍ତୁତି କରିଥାନ୍ତି। ପବିତ୍ର ଅକ୍ଷୟ ତୃତୀୟା ଦିନ ରଥକାଠ ଅନୁକୂଳ ହୋଇଥାଏ। ଶ୍ରୀମନ୍ଦିର ପୁରୋହିତ ଯଜ୍ଞ କାର୍ଯ୍ୟ କରିବା ପରେ ଆଜ୍ଞାମାଳ ଆସି ରଥ ନିର୍ମାଣ କାମ ଆରମ୍ଭ ହୋଇଥାଏ। ରଥ ନିର୍ମାଣର ଏହି ମହାନାୟକମାନେ ବିଶ୍ବକର୍ମା (ମହାରଣା ସେବକ), ଓଝା ମହାରଣା, ରଥ ଭୋଇ, ରୂପକାର, ଚିତ୍ରକର, ତାମରା ବଶୋଇ, ଦରଜି ସେବକଙ୍କ ପ୍ରମୁଖ ଭୂମିକା ରହିଛି। ସ୍ବତ୍ବଲିପିର ୧୦୫ ନମ୍ବର ସେବାରେ ବଢେଇ ମହାରଣା ସେବା ସଂପର୍କରେ ଉଲ୍ଲେଖ ରହିଛି। ତିନି ରଥ ପାଇଁ ତିନି ଜଣ ବିଶ୍ବକର୍ମାଙ୍କୁ ଦାୟିତ୍ବ ଦିଆଯାଇଥାଏ। ପ୍ରତି ରଥରେ ଜ‌ଣେ ଲେଖା ମୁଖ୍ୟ ମହାରଣା ରହିଥାନ୍ତି। ସେହିଭଳି ଜଣେ ଲେଖା ସୂତାର ମହାରଣ‌ା, ତଳି ମହାରଣା ନିୟୋଜିତ ହୋଇଥାନ୍ତି। ରଥକାଠ ମାପ ଚୁପ ପାଇଁ ଅମିନ ରହିଥାନ୍ତି। ସେହିଭଳି ସ୍ବତ୍ବଲିପି ସେବା ନଂ ୧୦୧ରେ ଓଝା ମହାରଣା ସେବା ସଂପର୍କ‌ରେ ଉଲ୍ଲେଖ ରହିଛି। ରଥ ନିର୍ମାଣ ସମୟରେ ସମସ୍ତ ଲୁହାକଣ୍ଟା, ବଳା ଓ ପନ୍ଦାରି ଏମାନେ ଯୋଗାଇଥାନ୍ତି। ଅକ୍ଷୟ ତୃତୀୟାରେ ରଥ ଅନୁକୂଳ ପାଇଁ ତିନୋଟି ଟାଙ୍ଗିଆ ଯୋଗାଇଥାନ୍ତି। ଦୋଳବୋଦି କୁଞ୍ଜରେ ଏହି କାମ ହୋଇଥାଏ। ସେବ‌ା ନଂ ୯୭ରେ ରଥ ଭୋଇ ସେବା ସଂପର୍କ‌ରେ ଉଲ୍ଲେଖ ରହିଛି। ରଥଖଳା‌ରେ ‌ଯେତେ ମୂଲିଆ ଦରକାର ହୁଏ ଭୋଇ ସର୍ଦ୍ଦାର ଏହାର ତଦାରଖ କରନ୍ତି। ରଥକାଠ ବୁହା, ରଥଟଣାରେ ମଧ୍ୟ ଏମାନେ ସହଯୋଗ କରିନ୍ତି। ସ୍ବତ୍ବଲିପିର ସେବା ନଂ ୯୫ରେ ଦରଜି ସେବକଙ୍କ ସଂପର୍କରେ ଉଲ୍ଲେଖ ରହିଛି। ସ୍ନାନପୂର୍ଣ୍ଣିମା ପରେ ଦର୍ଜି ସେବକମାନେ ଆବଶ୍ୟକ କପଡା ସିଲେଇ କାମ କରନ୍ତି। ରଥ ପାଇଁ ଆ‌ବଶ୍ୟକ ବତା, ବିଳାସପଟୀ, ଦୁଆର ବେଢା, ଚନ୍ଦ୍ରଶାଳି, ଅଁଳାଶ୍ରୀ, ମେଣ୍ଢାମୁଣ୍ଡିଆ, ପୋଲବତା, ପୋଲ ଚ‌ାଦର, ଗୋଲ ମୁଦ୍ରା, ପୁଲିସ ପତାକା, ଧ୍ବଜ‌ା, ସାରଥୀ ପୋଷାକ, ରଥ ଘେର, ସିଂହାସନ, ଚାନ୍ଦୁଆ , ସେନାପଟା, ବାହୁଟ ପାଇଁ ଲ‌ାଗି ଲୁଗା ପ୍ରସ୍ତୁତ କରିଥାନ୍ତି। ‌ସେବା ନଂ ୯୦ରେ ତାମରା ବିଶୋଇ‌ ‌ସେବା ରହିଛି। ଏହି ସେବକ ରଥଯାତ୍ରା ଓ ବାହୁଡା ନୀତି ଅନୁସାରେ ତାମ୍ର ପଟା ତିଆରି କରିଥାନ୍ତି। ବାହୁଟ ଓ ସେନାପଟାରେ ତାମରା ଦେଇଥାନ୍ତି। ସେବା ନଂ ୯୧ରେ କରତିଆ ‌ସେବା ରହିଛି। ରଥର କାଠ ପଟା କାମ ଓ କରତିଆ କାମ ଏମାନେ କରିଥାନ୍ତି। ସେବା ନଂ ୮୮ ରେ ରୂପକାର ସେବକମାନଙ୍କ ସଂପର୍କରେ ଉଲ୍ଲେଖ ରହିଛି। ରଥ ନିର୍ମାଣରେ ଯେତେ ରୂପ କାମ ‌ଏମାନଙ୍କ ଦ୍ବାରା ସଂପନ୍ନ ହୋଇଥାଏ। ଏମ‌ାନେ ନବକ‌ଳେବର ସମୟରେ ସାରଥୀ, ସଖୀ, ଓଲଟ ଶୁଆ, କଳସ, ପାର୍ଶ୍ବଦେବ‌ାଦେବୀ ଘୋଡା‌, ଅୟୁଧ, ଅଁଳା ଓ ଧ୍ବଜା ମୂର୍ତ୍ତି ନିର୍ମାଣ କରିଥା’ନ୍ତି। ତିନି ରଥର ତିନି ରୂପକାର ବାଡଗ୍ରାହୀ ରହିଛନ୍ତି। ରୂପକାର ସେବକମାନେ ରଥ ସମୟରେ ପଟ‌ାଗୁଜ, କୋଣଗୁଜ, ନାଟଗୋଡ, ପ୍ରଭା, ସିଂହାସନ, ଚାରପଡିଶା ଓ ଘୋଡା ବନ୍ଧା କରିଥାନ୍ତି। ସେବା ନଂ ୮୭‌ରେ ଚିତ୍ରକରଙ୍କ ସେବା ବିଷୟରେ ଉଲ୍ଲେଖ ରହିଛି । ତିନି ରଥର ତିନି ଚିତ୍ରକାର ରଥବାଡ, ପାର୍ଶ୍ବ ଦେବାଦେବୀ, ଓଲଟ ଶୁଆ, କଳସ ଓ ରଥର ଚିତ୍ର କାମ କରିଥାନ୍ତି। ଘୋଡା, ସିଂହାସନ, ପ୍ରଭା ଆଦି କାମ ଚିତ୍ରକର ସେବକମାନଙ୍କ ଦ୍ବାରା ହୋଇଥାଏ।

ସମ୍ବନ୍ଧିତ ଖବର