ପୁରୀ: ଜୁଲାଇ ୭ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ରଥଯାତ୍ରା ଯେତିକି ନିକଟତର ହେଉଛି, ସେତିକି ରଥଖଳା ଚଳଚଞ୍ଚଳ ହେଉଛି। ତେବେ ତିନିରଥର ୪୨ ଗୋଟି ଚକର ନିର୍ମାଣ ଶେଷ ହୋଇଛି। ସେହିପରି ରଥ ନିର୍ମାଣ ଅଗ୍ରଗତିରେ ତିନି ରଥର ମୋଟ ୨୧ ଗୋଟି ଅଖ ନିର୍ମାଣ ଶେଷ ହୋଇଛି। ତିନି ରଥର ନିର୍ମାଣ ଶେଷ ହୋଇଥିବା ଆଗ, ପଛ ଦୁଇଟି ଲେଖାଏଁ ମୁହାଁଟର ଅନୁକୂଳ ପୂଜା ହୋଇ ବିନ୍ଧ କାର୍ଯ୍ୟ ଆରମ୍ଭ ହେବ। ଏଥିସହ ତିନି ରଥର ପାଞ୍ଚଦଣ୍ଡାର ଅନୁକୂଳ ପୂଜା ହୋଇ ଦଣ୍ଡାଗୁଡ଼ିକର ଚଉପଟ କାର୍ଯ୍ୟ ଆରମ୍ଭ ହେବ। ଆଜି ନନ୍ଦିଘୋଷ ରଥର ପାଞ୍ଚ ଦଣ୍ଡାର ଅନୁକୂଳ ପୂଜା ହୋଇ ଚଉପଟ କାର୍ଯ୍ୟ ଆରମ୍ଭ ହେବ। ଶୀତଳଷଷ୍ଠୀ ପୂର୍ବରୁ ତିନି ରଥର ୨୧ଟି ଅଖ ଓ ୪୨ଟି ଚକ କାର୍ଯ୍ୟ ସମ୍ପନ୍ନ କରାଯାଇ ଚକ ଅଖ ସଂଯୋଗ କରାଯିବ ବୋଲି କହିଛନ୍ତି ବିଶ୍ୱକର୍ମା ମହାରଣା।

Advertisment

ଅନ୍ୟପଟେ ମହାପ୍ରଭୁଙ୍କ ରଥଯାତ୍ରା ଯେତେ ନିକଟତର ହେଉଛି ସେତିକି ରଥ ନିର୍ମାଣ କାର୍ଯ୍ୟ ଆଗକୁ ବଢୁଛି। ଏହାରି ଭିତରେ ରଥଖଳାରେ ସ୍ୱଚ୍ଛତା ରହୁନଥିବା ଦେଖିବାକୁ ମିଳିଛି। ଗତ ଦୁଇ-ତିନି ଦିନ ଧରି ରଥ ଖଳା ପରିଷ୍କାର ହେଉନାହିଁ । ପରିଷ୍କାର କରିବାକୁ କର୍ମଚାରୀମାନେ ଆସୁନଥିବା କହିଛନ୍ତି ବିଶ୍ୱକର୍ମା ମାନେ। ସେପଟେ ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ ହୋଇଛି। ନନ୍ଦପଡ଼ାର ଦେବାଧିଦେବ ମହାଦେବ ଓ ଜଗଜ୍ଜନନୀ ମା’ ପାର୍ବତୀଙ୍କର ପତରପେଣ୍ଡି ବା ନିର୍ବନ୍ଧ ଅନୁଷ୍ଠିତ ହୋଇଛି। ସମ୍ବଲପୁର ନନ୍ଦପଡ଼ାର ବମବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡୀ ବା ନିର୍ବନ୍ଧ ଉତ୍ସବ ରାତିରେ ସମ୍ପନ୍ନ ହୋଇଯାଇଛି। ଆଜି ଦେବ ନିମନ୍ତ୍ରଣ ରହିଛି।