ଚଳନ୍ତା ଟ୍ରେନ୍‌ରୁ ଲୁଟ୍ ଉଦ୍ୟମ:ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ:  ତପସ୍ବିନୀ ଏକ୍ସପ୍ରେସ ଟ୍ରେନରୁ ଜଣେ ଜନୈକ ଯାତ୍ରୀଙ୍କୁ ଠେଲି ଲୁଟ୍ ଉଦ୍ୟମ ହୋଇଛି। ଲୁଟେରା ଗ୍ୟାଙ୍ଗ ସମ୍ପୂର୍ଣ୍ଣ ଫିଲ୍ମ ଷ୍ଟାଇଲରେ ଲୁଟ୍ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ବିଫଳ ହୋଇଛନ୍ତି। ଖବର ନେବାରେ ଜଣାପଡ଼ିଛି ଯେ, ସତ୍ୟବାଦୀର କିଶୋର ଚନ୍ଦ୍ର ପଣ୍ଡା ଆଜି ରାତିରେ ପୁରୀ ରେଳ ଷ୍ଟେସନରୁ ତପସ୍ବିନୀ ଏକ୍ସପ୍ରେସରେ ଚଢ଼ିଥିଲେ। ଯଦିଓ ତାଙ୍କର ସାକ୍ଷୀଗୋପାଳ ଷ୍ଟେସନରେ ଓହ୍ଲାଇବାର ଥିଲା, ଟ୍ରେନଟି ସେଠାରେ ରହିବନି ବୋଲି ଜାଣିବା ପରେ ସେ ଚିନ୍ତାରେ ପଡ଼ି ଯାଇଥିଲେ। ତେବେ ସାକ୍ଷୀଗୋପାଳ ଷ୍ଟେସନ ପାଖରେ ଟ୍ରେନ୍‌ର ଗତି ସାମ‌ାନ୍ୟ ମନ୍ଥର ହେବାରୁ ସେ ଓହ୍ଲାଇବାକୁ ଚେଷ୍ଟା କରିଥିଲେ। ଟ୍ରେନ ବଗିରୁ କିଶୋର ଓହ୍ଲାଇବା ସମୟରେ ତାଙ୍କ ବେକରେ ଥିବା ସୁନେଲି ରଙ୍ଗର ଏକ ସୂତାକୁ ଲୁଟେରା ଗ୍ୟାଙ୍ଗ ଝାମ୍ପିନେଇ ତାଙ୍କୁ ଠେଲି ଦେଇଥିଲେ। ଫଳରେ କିଶୋର ତଳେ ପଡ଼ିଯାଇ ଖଣ୍ଡିଆଖାବରା ହୋଇ ଯାଇଥିଲେ ମଧ୍ୟ ମରଣମୁହଁରୁ ବର୍ତ୍ତି ଯାଇଥିଲେ। ତେବେ ଏହି ଲୁଟେରା ଗ୍ୟାଙ୍ଗ ଯାହାକୁ ସୁନାଚେନ୍ ଭାବି ଝାମ୍ପି ନେଇଥିଲେ ତାହା ପ୍ରକୃତରେ ସୁନା ଚେନ୍ ନଥିଲା, ବରଂ ଏହା ଏକ ସୁନେଲି ରଙ୍ଗର ସୂତା ବୋଲି ଜଣାପଡ଼ିଥିଲା। କିଶୋର ଆହତ ଅବସ୍ଥାରେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର