ପୁଣି ଏଟିଏମ୍‌ ଭାଙ୍ଗି ୮ ଲକ୍ଷ ଟଙ୍କା ଲୁଟ୍‌

ପୁରୀ: ୟୁନାଇଟେଡ ବ୍ୟାଙ୍କର ଏଟିଏମ୍‌ରୁ ରବିବାର ରାତିରେ ୮ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ପୁରୀ ଭିଆଇପି ରୋଡ଼ରେ ଥିବା ଏକ ଏଟିଏମ୍‌ ଭାଙ୍ଗି ୮ ଲକ୍ଷ ଟଙ୍କା ଲୁଟ୍‌ କରି ଫେରାର ହୋଇ ଯାଇଛନ୍ତି। ସୂଚନା ମିଳିବା ପରେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରି ଦେଇଛି।

ସୂଚନାଯୋଗ୍ୟ ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଅଞ୍ଚଳରେ ଦୁର୍ବୃତ୍ତମାନେ ଏଟିଏମ୍‌ରୁ ୧୦ ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ। ଶ୍ରୀରାମ ବଜାର ଅନ୍ତର୍ଗତ ନୂଆ ଜଗନ୍ନାଥ ସଡ଼କ ପାର୍ଶ୍ୱରେ ଥିବା ଏକ୍ସିସ୍‌ ବ୍ୟାଙ୍କ୍‌, ନିରାକାରପୁର ଶାଖାର ଏଟିଏମ୍‌ କଟା ଯାଇ ଚୋରି ହୋଇଛି। ଆଜି ସକାଳେ ସ୍ଥାନୀୟ ଲୋକେ ଏ ଘଟଣା ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ପୁଲିସ ଓ ପରେ ପରେ ବ୍ୟାଙ୍କ ଅଧିକାରୀ ଆସି ପହଞ୍ଚି ଥିଲେ। ଚୋରମାନେ ଗ୍ୟାସ୍‌ କଟର୍‌ ସାହାଯ୍ୟରେ ଏଟିଏମ୍‌ ମେସିନ୍‌ କାଟି ଟଙ୍କା ନେଇଥିବା ଜଣାପଡ଼ିଛି। ଠିକ୍‌ କେତେ ଟଙ୍କା ଚୋରି ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ। କିନ୍ତୁ, ଶୁକ୍ରବାର ଦିନ ସେଥିରେ ୧୪ ଲକ୍ଷ ଟଙ୍କା ଭରା ଯାଇଥିଲା। ଶୁକ୍ରବାର ଏବଂ ଶନିବାର ତମାମ ଗ୍ରାହକମାନେ କିଛି ଟଙ୍କା ଉଠାଇ ଥିବେ। ଅନୁମାନ କରାଯାଉଛି ଚୋରମାନେ ପ୍ରାୟ ୮ ରୁ ୧୦ ଲକ୍ଷ ଟଙ୍କା ନେଇ ଥାଇ ପାରନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ଥାନାର ଭାରପ୍ରାପ୍ତ ଅଧିକାରୀ ଏବଂ ବାଲୁଗାଁ ଏସ୍‌ଡିପିଓ ମଧ୍ୟ ଉପସ୍ଥିତ ଅଛନ୍ତି। ଘଟଣାର ସବିଶେଷ ତଦନ୍ତ କରାଯିବା ପାଇଁ ପୁରୀରୁ ସାଇଣ୍ଟିଫିକ୍‌ ଟିମ୍‌ ମଗାଯାଇଛି।

 

ସମ୍ବନ୍ଧିତ ଖବର