ବାମନାଳ: ପୁରୀଜିଲ୍ଲା ନିମାପଡ଼ାରେ ମଙ୍ଗଳବାର ସହିଦ ଦିବସ ପାଳନ ହୋଇଯାଇଛି। ନିମାପଡ଼ା ସହିଦ ସ୍ମୁତି ସଂସଦ ପକ୍ଷରୁ ଆୟୋଜନ ଏହି ସମାରୋହରେ ଆମ ଓଡ଼ିଶାର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବ ଯୋଗ ଦେଇଥିଲେ। ଶ୍ରୀ ପଟ୍ଟନାୟକ ସହିଦ୍ ସ୍ତମ୍ଭ ନିକଟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସେ କହିଥିଲେ, ଆମେ ସତ୍ୟ ସହିତ ସଙ୍ଗାତ ହେଲେ ନିଶ୍ଚିତ ଲିଡର ହୋଇପାରିବା।
୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ନିମାପଡ଼ାର ବୀର ସଂଗ୍ରାମ ମାନଂକର ଭୂମିକା ତଥା ସେପ୍ଟେମ୍ବର ୧୬ ତାରିଖରେ ସହିଦ ଉଛବ ମଲିକ ବଳିଦାନ ନିମାପଡ଼ାର ଏକ ସ୍ୱର୍ଣାଭ ଇତିହାସରେ ଲିପିବଦ୍ଧ ହୋଇ ରହିଛି। ଏହି ଗୌରବ ମୟ ଇତିହାସ ପୃଷ୍ଠାର ମହାନାୟକ ମାନଂକର ଆଦର୍ଶ ଆଜିର ଛାତ୍ର ଓ ଯୁବ ସମାଜ ତଥା ସାଧାରଣ ଜନତାଙ୍କୁ ଅନୁପ୍ରାଣିତ କରି ଗାନ୍ଧିଜୀଙ୍କ ଗ୍ରାମ ସ୍ୱରାଜ ପ୍ରତିଷ୍ଠା ଦିଗରେ ଆଗାମୀ ଭବିଷ୍ୟତ ପିଢ଼ିର ସହାୟତା ହେବା ପାଇଁ ଆଜି ଏହି ପବିତ୍ର ଦିବସରେ ନିମାପଡାରେ ସହିଦ ଦିବସ ପାଳନ ହେଉଛି।
ଏହି ଅବସରରେ ସହିଦଙ୍କ କେଉଟତୋଟା ଡିହବାରିସ୍ଥିତ ଗଡ଼ଅଣ୍ଡିଆ ଗାନ୍ଧୀପୀଠରୁ ଏକ ମଶାଲ ଶୋଭାଯାତ୍ରା ବାହାରି ଥିଲା। ଶୋଭାଯାତ୍ରାରେ ଛାତ୍ରଛାତ୍ରୀ ଓ ଜନସାଧାରଣ ଯୋଗ ଦେଇଥିଲେ। ନିମାପଡ଼ା ପୁଲିସଙ୍କ ଦ୍ୱାରା ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହି ସଭାରେ ସଭାପତିତ୍ୱ କରିଥିଲେ ପୂର୍ବତନ ମନ୍ତ୍ରୀ ତଥା ସହିଦ ସ୍ମୁତି ସଂସଦର ସଭାପତି ସମୀର ରଂଜନ ଦାଶ। ଏ ମାଟି ଲଢେଇରେ ମାଟି। କେବେ ହାରି ନାହିଁ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ।
କାର୍ଯ୍ୟକ୍ରମରେ ବହ୍ନିଶିଖା ପୁସ୍ତକ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଭାତ ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ମହାପୁରୁଷଙ୍କ ସଂଗ୍ରାମୀ ଫଳକରେ ମାଲ୍ୟାର୍ପଣ କରାଯାଇଥିଲା। ଏକ ପ୍ରତିନିଧି ଦଳ କରିଥିଲେ। ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯନିର୍ବାହୀ ଅଧିକାରୀ ଚିନ୍ମୟ ଦାସ, ନିମାପଡ଼ା ସହିଦ ସ୍ମୃତି ସଂସଦ ସମ୍ପାଦକ ଡକ୍ଟର ବେଣୁଧର ସେନାପତି, ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମାର ଦାସ, ନିମାପଡ଼ା ବ୍ଲକ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଯୋଗଦେଇଥିଲେ।
Soumya Ranjan Patnaik