ପ୍ରଦୀପ ମହାରଥୀଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ପରାମର୍ଶ ଦେଲେ ମନ୍ତ୍ରୀ ସମୀର ଦାଶ

ପିପିଲି: ପ୍ରଦୀପ ମହାରଥୀଙ୍କ ପରିବାରରୁ ଜଣଙ୍କୁ ପ୍ରାର୍ଥୀ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରସ୍ତାବ ଦେଇଛନ୍ତି । ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । ହେଲେ ପିପିଲି ଗଡ଼ ରକ୍ଷା ପାଇଁ ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଦେଇଛି ଶାସକ ବିଜୁ ଜନତା ଦଳ । ତେବେ ଦଳ ଏଠାରୁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଲୋକଙ୍କ ଭିତରେ ଉତ୍ସୁକତା ରହିଛି।

ଏତିକିବେଳେ ଏକ ବଡ଼ ବୟାନ ଦେଇଛନ୍ତି ମନ୍ତ୍ରୀ ସମୀର ଦାଶ । ତାଙ୍କ କହିବା କଥା, ପିପିଲି ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କର ବିଶେଷ ଅବଦାନ ଥିଲା । ତେଣୁ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଏଠାରୁ ପ୍ରାର୍ଥୀ କରିବା ଉଚିତ ବୋଲି ସେ ପ୍ରସ୍ତାବ ଦେଇଛନ୍ତି । ପିପିଲି ତାଙ୍କ ପାଖ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଲୋକଙ୍କ ମାନସିକତା କିଭଳି ଅଛି ବୋଲି ପ୍ରଶ୍ନର ଉତ୍ତର‌ରେ ମନ୍ତ୍ରୀ ସମୀର ଦାଶ ଏହିଭଳି ପ୍ରତିକ୍ରିୟା ରଖିଛନ୍ତି । ସେପଟେ ପିପିଲି ଉପନିର୍ବାଚନ ପାଇଁ ବିଜେପି ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି ଦଳର ଉପନେତା ବିଷ୍ଣୁ ସେଠୀ ।

ଫେବ୍ରୁଆରି ପ୍ରଥମ ସପ୍ତାହରେ ପିପିଲି ବିଧାନସଭା ଉପନିର୍ବାଚନ ଲାଗି ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଘରେ ମାନସ ମନ୍ଥନ ହୋଇଥିଲା । ମହାରଥୀଙ୍କ ପରିବାରରୁ ପ୍ରତିନିଧିତ୍ୱ ପାଇଁ ଦାବି କରିଥିଲେ ସ୍ଥାନୀୟ ନେତା। ପିପିଲି ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ କହିଥିଲେ,ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ ଚୂଡାନ୍ତ କରିବେ ତାଭ୍କୁ ସେ ସମର୍ଥନ କରିବେ । ତେବେ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କୁ ପ୍ରାର୍ଥୀ କଲେ ଭଲ ହେବ ବୋଲି ସେ ପ୍ରସ୍ତାବ ଦେଇଥିଲେ।

ପର୍ଯ୍ୟବେକ୍ଷକଙ୍କ ଘରେ ବସିଥିବା ବୈଠକରେ ପିପିଲି ଓ ଡେଲାଙ୍ଗ ଅଞ୍ଚଳର ବ୍ଲକସ୍ତରୀୟ ନେତାଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନେଇଥିଲେ ପ୍ରତାପ ଦେବ । ଏସବୁ ଭିତରେ ପୁଅ ରୁଦ୍ର ମହାରଥୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା । ଯେହେତୁ ପିପିଲିର ଯୁବ-ଛାତ୍ର ଗୋଷ୍ଠୀଙ୍କ ସହ ରୁଦ୍ର ସିଧାସଳଖ ଭାବେ ଯୋଡି ହୋଇ ରହିଛନ୍ତି ତେଣୁ ତାଙ୍କୁ ମଧ୍ୟ ସୁଯୋଗ ମିଳିପାରେ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର