ଶାନ୍ତନୁ ପାତ୍ର ଆତ୍ମହତ୍ୟା ଘଟଣା : ପତ୍ନୀ ଓ ପ୍ରେମିକଙ୍କୁ ଜେରା

ପୁରୀ : ଫେସ୍‌ବୁକ୍‌ରେ ଭିଡିଓ ଅପଲୋଡ୍‌ କରି ଯୁବକଙ୍କ ଆତ୍ମହତ୍ୟା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ପୁଲିସ ଆଜି ମୃତକ ଶାନ୍ତନୁ ପାତ୍ରଙ୍କ ପତ୍ନୀ ଅନୀତା ଏବଂ ତାଙ୍କ ପ୍ରେମିକ ଅମରେଶ ସ୍ୱାଇଁଙ୍କୁ ତଦନ୍ତ ପରିସରଭୁକ୍ତ କରି ମାମଲାର ଛାନଭିନ୍‌ ଆରମ୍ଭ କରିଛି। ସାକ୍ଷୀଗୋପାଳ ଥାନା ଅଞ୍ଚଳରୁ ଅନୀତାଙ୍କୁ ଆଣି ସଦର ଥାନାରେ ଜେରା କରିବା ପରେ ଜଗତସିଂହପୁରରୁ ତାଙ୍କର ତଥାକଥିତ ପ୍ରେମିକ ଅମରେଶଙ୍କୁୁ ଆଣି ପଚରାଉଚରା କରାଯାଉଛି। ଉଭୟଙ୍କଠାରୁୁ ଅଲଗା ଅଲଗା ସୂଚନା ହାସଲ କରିବା ପରେ ପୁଣି ମୁହାମୁହିଁ ବସାଇ ଏହି ସୂଚନାକୁ ପରଖାଯାଇଛି। ତେବେ ଆଜି ଅନୀତା ଏବଂ ଅମରେଶଙ୍କ ବିଭିନ୍ନ ଅନ୍ତରଙ୍ଗ ଫଟୋ ସୋସିଆଲ ମିଡିଆରେ ଘୂରି ବୁଲିବା ଘଟଣା ମାମଲାକୁ ଅଧିକ ଗମ୍ଭୀର କରିଛି। ଏହି ଫଟୋ କିଏ ଓ କାହିଁକି ପୋଷ୍ଟିଂ କରିଛି ତାକୁ ନେଇ ପୁଲିସ ଖୋଳତାଡ଼ ଚଳାଇଥିବା ଜଣାପଡ଼ିଛି।

ଜେରା ସମୟରେ ଅନୀତା ଅନେକ ସୂଚନା ପୁଲିସକୁ ଦେଇଥିବା ଜଣାପଡ଼ିଛିି। ତାଙ୍କ ବୟାନ ଅନୁସାରେ ବିବାହ ପୂର୍ବରୁ ଅମରେଶ ସହିତ ତାଙ୍କର ୪/୫ ବର୍ଷ ଧରି ପ୍ରେମ ସଂପର୍କ ଥିଲା। ଏପରିକି ଉଭୟଙ୍କ ବିବାହ ପ୍ରସ୍ତାବ ବି ପଡ଼ିଥିଲା। ମାତ୍ର ଏହି ସମୟରେ ଶାନ୍ତନୁଙ୍କ ପ୍ରସ୍ତାବ ଆସି ପହଂଚିଥିଲା। ଶାନ୍ତନୁ ଜଣେ ସଫ୍‌ଟୱେର ଇଂଜିନିୟର ବୋଲି କୁହାଯାଇଥିଲା। ଅମରେଶ ଠାରୁ ପ୍ରସ୍ତାବ ଭଲ ଥିବାରୁ ପରିବାର ଲୋକେ ଶାନ୍ତନୁଙ୍କ ସହିତ ତାଙ୍କ ବିବାହ କରାଇ ଦେଇଥିଲେ। କିଛି ଦିନ ପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କ ଭଲରେ ଚାଲିଥିଲା। ହେଲେ ପରେ ଶାଶୂ ସବୁବେଳେ ଗାଳିମନ୍ଦ କରିବାରୁ ସେ ଶାନ୍ତନୁଙ୍କ ସହ ବାଙ୍ଗାଲୋର ଚାଲି ଯାଇଥିଲେ। ହେଲେ ସେଠାରେ ସେ ଜଣେ ସିକ୍ୟୁରିଟି ଗାର୍ଡ ବୋଲି ଜାଣିବା ପରେ ଏହାକୁ କେନ୍ଦ୍ର କରି ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା। ସେଠାରେ ରହିବା ଅସମ୍ଭବ ହେବାରୁ ସେ ଘରକୁ ଫେରି ଆସିଥିଲେ। ଶାଶୂ ଘରେ ନିର୍ଯାତନା ଓ ସ୍ୱାମୀଙ୍କ ଠକେଇରେ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ନର୍ସ ଚାକିରି କରିଥିବାରୁ ପରେ କଟକ ଚାଲି ଯାଇଥିଲେ। ସେଠାରେ ଅମରେଶ ସହିତ ତାଙ୍କର ପୁରୁଣା ପ୍ରେମ ସଂପର୍କ ପୁଣି ନିବିଡ଼ ହୋଇଥିଲା। ଏହା ଜାଣିବା ପରେ ଶାନ୍ତନୁ ଅମରେଶ ନାମରେ ଫେସବୁକ୍‌ରେ ଫେକ୍‌ ଏକାଉଣ୍ଟ ଖୋଲି ଅନୀତାଙ୍କୁୁ ନେଇ ସୋସିଆଲ ମିଡିଆରେ ବଦନାମ କରିଥିଲେ। ତେଣୁ ଅନୀତା ଓ ଶାନ୍ତନୁଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା। ଏନେଇ ଉଭୟେ ସଦର ଥାନା ଏବଂ ସତ୍ୟବାଦୀ ଥାନାକୁ ମଧ୍ୟ ଯାଇଥିଲେ। ଅମରେଶ ବିରୋଧରେ ମାମଲା କରିବା ପାଇଁ ଶାନ୍ତନୁ ଅନୀତା ଓ ତାଙ୍କ ବାପ ଘର ଲୋକଙ୍କୁ କହିଥିଲେ। କିନ୍ତୁ ଅନୀତାଙ୍କ ବାପଘର ଲୋକେ ଏନେଇ ଥାନାରେ କୌଣସି ଅଭିଯୋଗ କରିନଥିଲେ।

ସେହିଭଳି ଅମରେଶ ଜେରା କାଳରେ ଅନୀତାଙ୍କ ସହ ତାଙ୍କ ପ୍ରେମ ସଂପର୍କ ଥିବା କଥାକୁ ସ୍ୱୀକାର କରିଛନ୍ତି। ପୁଲିସକୁ କହିଛନ୍ତି ଯେ ଅନୀତାଙ୍କ ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ସଂପର୍କ ଥିଲା। ତେବେ ତାଙ୍କର ଏହି ସମ୍ପର୍କକୁ ନେଇ ଶାନ୍ତନୁ ସନ୍ଦେହ କରିବା ସହିତ ତାଙ୍କ ନାମରେ ଫେସ୍‌ବୁକ୍‌ରେ ଫେକ୍‌ ଏକାଉଣ୍ଟ ଖୋଲି ପତ୍ନୀ ଅନୀତାଙ୍କ ସମ୍ପର୍କରେ ଅନେକ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟିଂ କରୁଥିଲେ। କିନ୍ତୁ ଅଯଥା ଏକ ପରିବାର ନଷ୍ଟ ହୋଇଯିବ ବୋଲି ଆଶଙ୍କା କରି ସେ ଏନେଇ ଚୁପ୍‌ ରହିଥିଲେ ବୋଲି ପୁଲିସକୁ କହିଛି।

କିନ୍ତୁ ଅନୀତା ଓ ଅମରେଶଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଶାନ୍ତନୁ ପୂର୍ବରୁ ଅନେକ ଥର ଫେସବୁକ୍‌ରେ ଲେଖିଛନ୍ତି। ଉଭୟଙ୍କ ମଧ୍ୟରେ ଥିବା ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋଚିତ୍ର ଅମରେଶ ତାଙ୍କୁ ହ୍ଵାଟ୍‌ସଆପ୍‌ରେ ପଠାଇଥିବା ମଧ୍ୟ ସେ ସୁଇସାଇଡାଲ ନୋଟ୍‌ରେ ଲେଖିଛନ୍ତି। ଶାନ୍ତନୁଙ୍କ ଆତ୍ମହତ୍ୟା ପରେ ବି ଏବେ ଅନୀତା ଏବଂ ଅମରେଶଙ୍କ ମଧ୍ୟରେ ଥିବା ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛିି। ଏହି ଫଟୋ ସବୁ ପୁଲିସର ହସ୍ତଗତ ହୋଇଛି। ପୁଲିସ ଏହି ଫଟୋ ନେଇ ଅମରେଶଙ୍କୁ ପଚରାଉଚରା କରୁଛି। ଉଭୟେ ଶାନ୍ତନୁଙ୍କୁ ମାନସିକ ନିର୍ଯାତନା ଦେଇ ଆତ୍ମହତ୍ୟା ଲାଗି ବାଧ୍ୟ କରାଇଥିବାର ଯଦି ପ୍ରମାଣ ମିଳେ ତେବେ ଉଭୟେ ବନ୍ଧା ହେବେ ବୋଲି ପୁଲିସ କହିଛି।

ସୂଚନାଯୋଗ୍ୟ ଯେ ଗତ ୮ ତାରିଖ ବିଳମ୍ବିତ ରାତିରେ ଆତ୍ମହତ୍ୟା କରିବାକୁ ଯାଉଥିବା ନେଇ ଗଡ଼ଭିଙ୍ଗୁରାର ଶାନ୍ତନୁ ଫେସବୁକ୍‌ରେ ଭିଡିଓ ଅପଲୋଡ୍‌ କରିଥିଲେ। ଏଥିରେ ଶାନ୍ତନୁ ପତ୍ନୀଙ୍କ ଛଳନା ଏବଂ ପରପୁରୁଷ ସହ ତାଙ୍କର ଶାରୀରିକ ସମ୍ପର୍କ ସନ୍ଦେହରେ ଆତ୍ମହତ୍ୟା କରୁଥିବା ବଖାଣିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ବେଳକୁ ତାଙ୍କର ଝୁଲନ୍ତା ଶବ ଗାଁ ମୁଣ୍ଡ ପୋଖରୀ ପାଖ ବରଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଖବର ପାଇ ସଦର ଥାନା ପୁଲିସ ଶାନ୍ତନୁଙ୍କ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲାରେ ବ୍ୟବଚ୍ଛେଦ କରାଇଥିଲା। ସଦର ଥାନା ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଅମରେଶ ଓ ଅନୀତାଙ୍କୁ ଜେରା ଚଳାଇଛି।  ରାତିରେ ଏସପି ଡା. ସାର୍ଥକ ଷଡଙ୍ଗୀ ଓ ଏସଡିପିଓ ଅଲେଖ ପହୀ ଉଭୟଙ୍କୁ ପୁନର୍ବାର ଜେରା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର