ସାକ୍ଷୀଗୋପାଳ: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ବ୍ଲକ୍ ଛକଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ବାମୀ ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ପୁରୀ ନବକଳେବର ରୋଡ୍ର ଶିବପ୍ରସାଦ ମିଶ୍ର (୪୩)ଙ୍କ ପତ୍ନୀ ସସ୍ମିତା ମିଶ୍ର (୩୯)। ଦୁର୍ଘଟଣାରେ ଶିବପ୍ରସାଦ ଓ ତାଙ୍କ ୧୩ ବର୍ଷର ଝିଅ ସ୍ତୁତିପ୍ରଜ୍ଞା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହାର ସ୍ଥାୟୀ ପ୍ରତିକାର ଦାବି କରି ଲୋକମାନେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥକୁ ୨ ଘଣ୍ଟା ଅବରୋଧ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ପୁରୀ ନବକଳେବର ରୋଡ୍ର ଶିବପ୍ରସାଦ ମିଶ୍ରଙ୍କ ଶ୍ବଶୁର ଘର ଭୁବନେଶ୍ବର ସୁନ୍ଦରପଦା ନିକଟ କୁଆ ଗାଁରେ। ରଜ ଉତ୍ସବ ପାଇଁ ପତ୍ନୀ ସସ୍ମିତା ଓ ଝିଅ ସ୍ତୁତିପ୍ରଜ୍ଞା (୧୩)ଙ୍କୁ ଧରି ଶିବପ୍ରସାଦ ଆଜି ପୂର୍ବାହ୍ନ ୯ଟାରେ ବାଇକ୍ ଯୋଗେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ଦିନ ପ୍ରାୟ ୧୧ଟା ବେଳେ ସତ୍ୟବାଦୀ ବ୍ଲକ୍ ଛକଠାରେ ଏକ ବାଲି ବୋଝେଇ ଟ୍ରକ୍ ଏକ ଲୁହା ଆଙ୍ଗଲ ବୋଝେଇ ଡାଲା ଅଟୋକୁ ଧକ୍କା ଦେବା ସହ ଭାରସାମ୍ୟ ହରାଇ ଶ୍ରୀ ମିଶ୍ରଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ଟି ରାସ୍ତା କଡ଼ରେ ଥିବା ନୟନଯୋରି (ଖାଲ) ତଳକୁ ଖସିପଡ଼ିବା ଫଳରେ ବାପ, ଝିଅ, ମା ୩ ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ ସସ୍ମିତାଙ୍କୁ ମୃତ ଘୋଷଣା କରିଥିଲେ। ଆହତ ବାପ ଝିଅଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଦିନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ। ଫଳରେ ଯାନବାହନ ଚଳାଚଳ ବାଧାପ୍ରପ୍ତ ହୋଇଥିଲା। ଖବର ପାଇ ତହସିଲଦାର କସ୍ତୁରି ପ୍ରଧାନ, ଅତିରିକ୍ତ ତହସିଲଦାର ଉଲ୍ଲାସ କୁମାର ସେଠୀ, ବିଡିଓ ସରୋଜ କୁମାର ଦତ୍ତ, ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଓ ଏଏସ୍ଆଇ ବାନାମ୍ବର ବେହେରା ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଉକ୍ତ ଛକରେ ସ୍ପିଡ୍ ବ୍ରେକର୍, ଆଲୋକ ବ୍ୟବସ୍ଥା ଓ ଟ୍ରାଫିକ୍ ପୁଲିସ ମୁତୟନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରେକ ହଟିଥିଲା।
ବାପ ଘରେ ପହଞ୍ଚି ପାରିଲେନି ସସ୍ମିତା:ଦୁର୍ଘଟଣାରେ ମା ମୃତ; ବାପ-ଝିଅ ଗୁରୁତର
/sambad/media/post_attachments/wp-content/uploads/2019/06/puri-3.jpg)
/sambad/media/agency_attachments/2024-07-24t043029592z-sambad-original.webp)