ଦୀପ ତଳ ଅନ୍ଧାର: ସାମ୍ନାକୁ ଆସିଲା ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶିକ୍ଷା ଅବ୍ୟବସ୍ଥା

ପୁରୀ: ଶିକ୍ଷାମନ୍ତ୍ରୀଙ୍କ ଗଡ଼ରେ ଶିକ୍ଷାର ନଗ୍ନ ଚିତ୍ର । ଓଡ଼ିଆରେ ଲେଖିପାରୁନାହାନ୍ତି ଚତୁର୍ଥ ଶ୍ରେଣୀର ପିଲା । କେଉଁ ସ୍କୁଲରେ ପିଲା ଶିକ୍ଷକଙ୍କ ଅପେକ୍ଷାରେ ତ କେଉଁଠି ଶିକ୍ଷକ ଖଟିରେ ବ୍ୟସ୍ତ । ଏପରି ଏକ ଲଜ୍ୟାକର ଘଟଣା ଦେଖିବାକୁ ମିଳିଛି ଖୋଦ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ନିର୍ବାଚନ ମଣ୍ଡଳୀରେ ।

ଗଣଶିକ୍ଷା ମନ୍ତ୍ରୀଙ୍କ ଗଡ଼ରେ ଉଜୁଡା ଶିକ୍ଷା ବ୍ୟବସ୍ଥା । ସାର୍ ଆସନ୍ତି ପ୍ରେଜେଣ୍ଟ ପକାଇ ପଳାଇ ଯାଆନ୍ତି । ବିଦ୍ୟାଳୟରେ ପ୍ରାର୍ଥନା ସରିବାର ୨ରୁ ୩ ଘଂଟା ଅପେକ୍ଷା କରିବା ପରେ ପାଠପଢା ହୁଏ । ଏମିତି ସବୁଦିନ ଚାଲେ, ଅଳ୍ପ ଅଳ୍ପ ପାଠପଢା ହୁଏ । ଏମିତି ଚାଲିଛି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସଙ୍କ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଗୋପ ଶିକ୍ଷା ବିଭାଗ ଅଧିନରେ ଥିବା ଗଡ଼କରମାଳା ନୋଡ଼ାଲ ପ୍ରାଥମିକ ବିଦ୍ୟାଳୟ । ସ୍କୁଲ ଠିକ୍ ଭାବେ ପାଠପଢା ହେଉନଥିବା ଅଭିଯୋଗ କରିଛନ୍ତି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ।

ସେହିପରି କରମଳା ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଆହୁରି ସଙ୍ଗୀନ । ବିଦ୍ୟାଳୟର ପରିବେଶ ଅସ୍ୱାସ୍ଥ୍ୟକର ଥିବା ବେଳେ ଚତୁର୍ଥ ଓ ପଂଚମ ଶ୍ରେଣୀର ଛାତ୍ରଛାତ୍ରୀ ଠିକ୍ ଭାବରେ ଓଡିଆ ଲେଖି ପାରୁନାହାନ୍ତି । ଅନ୍ୟପଟେ ମଧ୍ୟାହ୍ନ ଭୋଜନର ମେନୁ ଅନୁଯାଇ ଅଣ୍ଡା ତରକାରୀ ଦେବା ବଦଳରେ ପିଲାଙ୍କୁ ଖାଇବାକୁ ଦିଆଯାଉଛି ଅଣ୍ଡା ଭୁଜିଆ ଏବଂ ସ୍କୁଲରେ ୧୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ବେଳେ ୧୬ ଜଣ ମଧ୍ୟାହ୍ନ ଭୋଜନ ଖାଇଥିବା ସରକାରୀ ଖାତା ଉଠୁଛି । ଆଉ ଏସବୁ ଚାଲିଛି ଗୋପ ବ୍ଲକ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ । ତେବେ ସରକାର ରାଜ୍ୟରେ ଶିକ୍ଷାର ବିକାଶ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ତାହା ଦୀପ ତଳ ଅନ୍ଧାର ଭଳି । ଯାହା ଗଣଶିକ୍ଷା ମନ୍ତ୍ରୀଙ୍କ ଅଂଚଳର ଶିକ୍ଷାର ସଂସ୍କାରକୁ ଦେଖିଲେ ସ୍ପଷ୍ଟ ବାରି ହେଉଛି ।

ସମ୍ବନ୍ଧିତ ଖବର