ଅପ୍ରାକୃତିକ ନିର୍ଯାତନା ପରେ ନାବାଳକକୁ ହତ୍ୟା ଉଦ୍ୟମ

ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲରେ ଭର୍ତି

ଅଭିଯୁକ୍ତ ଗିରଫ, ପିପିଲିରେ ଉତ୍ତେଜନା

ପିପିଲି : ପିପିଲି ପୌର ପରିଷଦ ଅନ୍ତର୍ଗତ ଭବାନୀପୁର ଅଞ୍ଚଳର ଜଣେ ୮ବର୍ଷର ନାବାଳକକୁ ଅପହରଣ ଓ ଅପ୍ରାକୃତିକ ଯୌନକ୍ରିୟା ପରେ ଇଟାରେ ଛେଚି ହତ୍ୟା ଉଦ୍ୟମ କରାଯିବ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପିପିଲି ପୁଲିସ ବିଳମ୍ବିତ ରାତିରେ ନାବାଳକକୁ ରାଜପଥ କଡ଼ ଏକ ଅର୍ଦ୍ଧନିର୍ମିତ ଘର ପଛପଟରୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରିଛନ୍ତି। ତାକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି। ସେଠାରେ ନାବାଳକ ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

ମିଳିଥିବା ଖବର ଅନୁଯାୟୀ, ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ଜଣେ ବ୍ୟକ୍ତି ଦୀର୍ଘଦିନ ହେବ ପିପିଲିରେ ରହି ମାର୍ବଲ ମିସ୍ତ୍ରି ଭାବେ କାମ କରନ୍ତି। ତାଙ୍କର ୮ ବର୍ଷର ପୁଅ ବାବୁଜାନ୍‌(ଛଦ୍ମନାମ) ଗତକାଲି ପୂର୍ବାହ୍ନ ୧୧ଟାରେ ଘରୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ବାପା ପିପିଲିର ପୂର୍ବତନ ପୌରାଧ୍ୟକ୍ଷଙ୍କ ସହାୟତାରେ ପୁଅ ନିଖୋଜ ସମ୍ପର୍କରେ ମାଇକ୍‌ ଯୋଗେ ଦିନସାରା ପ୍ରଚାର କରିଥିଲେ । ସନ୍ଧ୍ୟା ସୁଦ୍ଧା ପୁଅର ଖୋଜଖବର ନମିଳିବାରୁ ପରିବାର ଲୋକେ ପିପିଲି ଥାନାରେ ଅଭିଯୋଗ କରିଥିଲେ । ଘର ପାଖରେ ରହୁଥିବା ଡେଲାଙ୍ଗ ଘୋରଡ଼ିଆ ଗାଁ ବାରବାଟି ସାହିର ଜୁମା ଖାନ(୪୫) ସହ ବାବୁଜାନ୍‌ ନିକଟସ୍ଥ ଷଣ୍ଢବଟକୁ ଯାଇଥିବା କିଛି ଲୋକଙ୍କଠାରୁ ସୂଚନା ପାଇ ପୁଲିସ ଜୁମାକୁୁ ଘରୁ ଉଠାଇ ଆଣି ପଚରା ଉଚୁରା କରିବା ପରେ ଜୁମା ଦୋଷ ସ୍ୱୀକାର କରିଥିଲା। ଏହା ପରେ ପୁଲିସ୍‌ ରାତି ପ୍ରାୟ ଗୋଟାଏରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଦରଡ଼ା ଗ୍ରାମ୍ୟ ରାସ୍ତା ନିକଟ ଏକ ଅର୍ଦ୍ଧନିର୍ମିତ ଘର ପଛପଟୁ ଅପହୃତ ବାବୁଜାନ୍‌କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରିଥିଲା।

ପୁଲିସ ନିକଟରେ ଜୁମା ପ୍ରକାଶ କରିଛି ଯେ ସେ ବାବୁଜାନ୍‌କୁ ନେଇ ଷଣ୍ଢବଟ ଯାଇଥିଲା। ସେଠାରେ ଏକ ଅର୍ଦ୍ଧନିର୍ମିତ ଘରେ ସେ ବାବୁଜାନ୍‌ ସହ ଅପ୍ରାକୃତିକ ଯୌନକ୍ରିୟା କରିଥିଲା । ବାବୁଜାନ୍‌ ବାପା ମା’ଙ୍କୁ ସବୁକଥା କହିଦେବ ବୋଲି କହିବା ସହ ଖସି ଯିବାକୁ ଉଦ୍ୟମ କରିବାରୁ ତା ମୁହଁ ଓ ମୁଣ୍ଡକୁ ଇଟାରେ ଛେଚି ଦେଇଥିଲା। ନିସ୍ତେଜ ହୋଇଯିବା ପରେ ବାବୁଜାନ୍‌ ମରିଗଲା ଭାବି ଜୁମା ସେ ସ୍ଥାନ ଛାଡ଼ି ଚାଲିଯାଇଥିଲା । ମାତ୍ର ସେଠାରେ ବାବୁଜାନ୍‌ ସଂକଟାପନ୍ନ ଅବସ୍ଥାରେ ଦୀର୍ଘ ୭ଘଣ୍ଟା ପଡ଼ି ରହିଥିଲା। ପୀଡ଼ିତ ବାବୁଜାନ୍‌ର ମା’ ଏ ସମ୍ପର୍କରେ ପିପିଲି ଥାନାରେ ଦେଇଥିବା ଅଭିଯୋଗ ଭିତ୍ତିରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଜୁମାକୁ ଗିରଫ କରିଛି। ଥାନା ଅଧିକାରୀ ଶରତ ଚନ୍ଦ୍ର ସାହୁ, ଏସ୍‌ଡିପିଓ ଦିଲୀପ ତ୍ରିପାଠୀ, ବରିଷ୍ଠ ଅଧିକାରୀ କ୍ଷୀରୋଦ ମିଶ୍ରଙ୍କ ସମେତ ପୁରୀରୁ ଫରେନ୍‌ସିକ୍‌ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରିବା ସହ ତଦନ୍ତ କରି ଫେରିଛନ୍ତି। ବାବୁଜାନ୍‌କୁ ଆକ୍ରମଣରେ ବ୍ୟବହୃତ ରକ୍ତଭିଜା ଇଟାକୁ ପୁଲିସ ଜବତ କରିଛି । ଅଭିଯୁକ୍ତ ଜୁମା ଘରୁ ମଧ୍ୟ କେତେକ ମାରଣାସ୍ତ୍ର ଜବତ କରାଯାଇଛି।

ଘଟଣା ସଂପର୍କରେ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି ଯେ ଆବଶ୍ୟକ ପଡ଼ିଲେ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ।

ସମ୍ବନ୍ଧିତ ଖବର