କୋଣାର୍କ: ପବିତ୍ର ଶାମ୍ବ ଦଶମୀକୁ ନେଇ ଚଳଚଞ୍ଚଳ କୋଣାର୍କ। ଏହି ଅବସରରେ ଶହ ଶହ ଶ୍ରଦ୍ଧାଳୁ ଆଜି ଚନ୍ଦ୍ରଭାଗାରେ ବୁଡ଼ ପକାଇ ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କରିଛନ୍ତି। ଭକ୍ତଙ୍କ ସମାଗମକୁ ଆଖିରେ ରଖି ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ଏଠାରେ ଭକ୍ତଙ୍କ ମେଳରେ ସୂର୍ଯ୍ୟ ରଥ ଗଡ଼ିଛି।

Advertisment

ଆଜି ସୂର୍ଯ୍ୟ ଉପାସନା ସହିତ ଜଡ଼ିତ ପବିତ୍ର ଶାମ୍ବଦଶମୀ। ଏଥିପାଇଁ ସାଧୁସନ୍ଥଙ୍କ ସମାଗମରେ କୋଣାର୍କ ଚଳଚଞ୍ଚଳ ହୋଇଛି। ଶାମ୍ବଦଶମୀ ତିଥି ଅବସରରେ ଗତକାଲିଠାରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟ ସୌର ମହାଯଜ୍ଞ ମଣ୍ଡପରେ ପରିସରରେ ତ୍ରିଦିବସୀୟ ସୌର ମହାଯଜ୍ଞ ଆରମ୍ଭ ହୋଇଛି। ସନାତନ ସଂସ୍କୃତିର ପ୍ରାଚୀନପୀଠ ସୂର୍ଯ୍ୟମନ୍ଦିର ସଂଲଗ୍ନ ଅବଧୁତ ମଠ ପରିସରରେ ଓଡ଼ିଶା ରାଜ୍ୟ ସୌର ବ୍ରାହ୍ମଣ ପରିଷଦ ପକ୍ଷରୁ ଜାରି ରହିଥିବା ତ୍ରିଦିବସୀୟ ବିଶ୍ବଶାନ୍ତି ମହାଯଜ୍ଞର  ପୂର୍ଣ୍ଣାହୁତି ଦିଆଯାଇଛି। ରବିବାର ପ୍ରତ୍ୟୁଷରୁ ଅବଧୁତ ମଠ ପରିସରରୁ ପୁରାଣ ବର୍ଣ୍ଣିତ ସୂର୍ଯ୍ୟ ରଥଯାତ୍ରା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ,ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟ ପୂଜାର ପର୍ବ, ଯେପରି କୁମାର ପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ। ବର୍ଷର ୧୨ମାସ ଯାକ ବିଭିନ୍ନ ପର୍ବପର୍ବାଣୀ ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ । ଶାମ୍ବ ଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କହିବାର ତାତ୍ପର୍ଯ୍ୟ ହେଉଛି ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଛଅମାସ ଆଉ ଏତେ ପିଠାପଣାର ପର୍ବ ପଡ଼େ ନାହିଁ । କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟରେ ପନିପରିବାରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଥାଏ । ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ “ଘଡ଼ଘଡ଼ା ତିଅଣ” କୁହାଯାଏ । ଏହି ପର୍ବର ମୁଖ୍ୟ ହେଉଛି ଏହି ଘାଣ୍ଟ ତରକାରୀ ଘଡ଼ାଘଡ଼ା ତିଅଣ ।
କେଉଁ ଆଦିମ ଓ ବୈଦିକ କାଳରୁ ଆଦିଦେବତା ଭାବରେ ସୂର୍ଯ୍ୟ ଉପାସିତ ହୋଇ ଆସିଛନ୍ତି। ସେ ହିଁ ପୃଥିବୀର ସକଳ ଶକ୍ତିର ଆଧାର। ତେଣୁ ଗୃହାଙ୍ଗନଠାରୁ ମନ୍ଦିର ପର୍ଯ୍ୟନ୍ତ, ସର୍ବତ୍ର ସୂର୍ଯ୍ୟ ପୂଜନକୁ ପ୍ରାଥମିକତା ଦିଆଯାଇଥାଏ। ପ୍ରତ୍ୟେକ ଦିନ ସ୍ନାନାନ୍ତେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବାର ପରଂପରା ରହିଛି । ବ୍ରହ୍ମପୁରାଣ, କପିଳ ସଂହିତା, ପ୍ରାଚୀମାହାତ୍ମ୍ୟ ଓ ଶାମ୍ବପୁରାଣ ଆଦି ଗ୍ରନ୍ଥରେ, ପୌଷ ଶୁକ୍ଳପକ୍ଷ ଦଶମୀ ତିଥି ଅର୍କକ୍ଷେତ୍ରରେ ସୂର୍ଯ୍ୟଙ୍କର ଆବିର୍ଭାବ ଦିବସ ରୂପେ ବର୍ଣ୍ଣିତ ଅଛି। ସେହି ଅନୁସାରେ, ଓଡ଼ିଶାର ପ୍ରତ୍ୟେକ ଗୃହରେ ‘ଶାମ୍ବ ଦଶମୀ’ ବା ‘ସମ୍ବର ଦଶମୀ’ ଭାବରେ ସୂର୍ଯ୍ୟଙ୍କର ଏକ ବିଶେଷ ପୂଜା ଅନୁଷ୍ଠିତ ହୋଇଥାଏ।