ଲୁଟ୍ ଘଟଣାରେ ମୃତ ଅନାମଙ୍କ ୨ ସହଯୋଗୀ ଗିରଫ

ପୁରୀ: ଗତ ୧୦ ତାରିଖରେ ଚନ୍ଦନପୁର ଥାନା ବାଙ୍ଗରୁବା ବ୍ରିଜ ଓ ଢ଼ୋଲ ବିରଞ୍ଚିଦାସପୁର ଅଞ୍ଚଳରେ ଘଟିଥିବା ଲୁଟ୍ ଘଟଣାରେ ପୁଲିସ ଆଜି ଦୁଇ ଜଣଙ୍କୁ ଗିରଫ କରିଛି। ଲୁଟ୍ ଘଟଣାରେ ସମ୍ପୃକ୍ତ ବାଙ୍ଗରୁବା ବାଲି ସାହିର ଅନାମ ଜେନାର ଏମାନେ ଦୁଇ ଜଣ ସହଯୋଗୀ ଥିଲେ। ସେମାନେ ହେଲେ ବାଲିପଡ଼ା ଉତ୍ତର ସାହିର ନୃସିଂହ ସୁବୁଦ୍ଧି (୧୯) ଓ କାଳିଆକେରା ନିବାସୀ ବିଭୂତି ଭୂଷଣ ଦାସ (୨୨)। ପୁଲିସ ସୂଚନା ଅନୁସାରେ, ଗତ ୧୦ ତାରିଖରେ ବିରଞ୍ଚିଦାସପୁର ନିବାସୀ ଗୋବିନ୍ଦ ଚନ୍ଦ୍ର ଦାସ ଏକ ମୋପେଡ଼ ନେଇ ଯାଉଥିଲେ। ଏହି ସମୟରେ ତାଙ୍କୁ ପ୍ରାୟ ୬ ଜଣ ଲୁଟ୍ ଉଦ୍ଦେଶ୍ୟରେ ଘେରି ଯାଇଥିଲେ। ସେମାନଙ୍କୁ ଦେଖି ଗୋବିନ୍ଦ ଭୟଭୀତ ହୋଇ ସେଠାରୁ ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିଲେ। ପରେ ଏହି ମୋପେଡ଼କୁ ନେଇ ଦୁର୍ବୃତ୍ତମାନେ ଆହୁରି ତିନୋଟି ଅପରାଧ ଘଟାଇବା ପରେ ବାବା ମିଶ୍ରଙ୍କ ସିମେଣ୍ଟ ଗୋଦାମରେ ପଶି ଦାଦାବଟି ମାଗିଥିଲେ। ସେଠାରେ ଲୋକମାନେ ଏମାନଙ୍କୁ ବାଡ଼େଇବା ପାଇଁ ଗୋଡ଼ାଇବା ବେଳେ ସମସ୍ତେ ସେଠାରୁ ଖସି ଯାଇଥିବା ବେଳେ ଅନାମ ଧରାପଡ଼ିଯାଇଥିଲା। ଲୋକଙ୍କ ଢ଼େଲା ମାଡ଼ରେ ଅନାମ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଥିଲେ। ଏ ସମ୍ପର୍କରେ ଅନାମଙ୍କ ବାପା ଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି ହତ୍ୟା ମାମଲା ରୁଜୁ କରିନାହିଁ। ପୋଷ୍ଟମର୍ଟମ୍‌ ରିପୋର୍ଟ ଆସିବା ପରେ ପୁଲିସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସଦର ଏସ୍‌ଡିପିଓ ସୁଶୀଲ ମିଶ୍ର କହିଛନ୍ତି। ସେ କହିଛନ୍ତି ଯେ, ଗତ ୧୦ ତାରିଖରେ ଅନାମ, ନୃସିଂହ, ବିଭୂତି ଓ ଅନ୍ୟମାନେ ତିନି ରାଉଣ୍ଡ ଫାଇରିଂ କରିଥିଲେ। ସ୍ଥାନୀୟ ଲୋକମାନେ ଏହାର ପ୍ରତିରୋଧ କରିବାକୁ ଯାଇ ଢ଼େଲା ମାଡ଼ କରିବାରୁ ଅନାମ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର