ଆସୁଛନ୍ତି ମହାବାହୁ

ଆଉ ୫ ଦିନ ପରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଚଳଚଞ୍ଚଳ ହୋଇ ଉଠିଲାଣି ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ରଥ-ପଥ-ଭକ୍ତ ସମସ୍ତେ ପ୍ରସ୍ତୁତ। ସ୍ନାନଯାତ୍ରା ଦିନଠାରୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ବିଶ୍ରାମ ନେଇଥିବା ମହାପ୍ରଭୁ ମ‌ହୌଷଧି ଖାଇ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଆସନ୍ତା ୨ ତାରିଖରେ ଚତୁର୍ଦ୍ଧା ମୂର୍ତ୍ତି ରତ୍ନ ବେଦୀରେ ଭକ୍ତମାନଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ। ୪ ତାରିଖ‌ରେ ଧାଡି ପହଣ୍ଡିରେ ରଥାରୂଢ ହୋଇ ଶ୍ରୀଗୁଣ୍ଡିଚା (ଜନ୍ମ ବେଦୀ)କୁ ଯାତ୍ରା କରିବେ ଏବଂ ‌ସେଠାରେ ଆଡପ ମଣ୍ଡପରେ ୯ ଦିନ ବ୍ୟାପୀ ଭକ୍ତଙ୍କୁ ଦର୍ଶନ ‌ଦେବା ପରେ ବାହୁଡା ଯାତ୍ରା, ସୁନାବେଶରେ ଦର୍ଶନ ଦେଇ ମହାପ୍ରଭୁ ନୀଳାଦ୍ରି ବିଜେ ଦିନ ରତ୍ନ ବେଦୀରେ ଅଧିଷ୍ଠିତ ହେବେ। ଯଦିଓ ମେ ୩ ତାରିଖରେ ପ୍ରଳୟଙ୍କରୀ ବାତ୍ୟା ‘ଫନି’ ଶ୍ରୀକ୍ଷେତ୍ରରେ ତାଣ୍ଡବଲୀଳା ରଚିଥିଲା, କିନ୍ତୁ ମହାପ୍ରଭୁଙ୍କ ଅପାର ଲୀଳା ଓ କୃପାରୁ ବାତ୍ୟାର ଠିକ୍ ଦୁଇ ମାସ ପରେ ସବୁ କିଛି ପ୍ରସ୍ତୁତ ହୋଇଯାଇଛି। ଏବେ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବାକୁ ମହାପ୍ରଭୁ ଆତୁର।

ଦଶମୂଳର ଇତିବୃତ୍ତ

ପୁରୀ : ମହାପ୍ରଭୁଙ୍କ ଦଶମୂଳ ସେବା ପରମ୍ପରା କାହିଁ କେଉଁ ଆବାହମାନ କାଳରୁ ଚାଲିଆସିଛି। ବୈଦ୍ୟରତ୍ନ ମାଗୁଣି ବ୍ରହ୍ମାଙ୍କ ପୂର୍ବଜମାନେ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ସେବା କରି ଆସୁଥିଲେ। ପରେ ବୈଦ୍ୟରତ୍ନ ମାଗୁଣି ବ୍ରହ୍ମା ଏହି ସେବା ନିଷ୍ଠାର ସହ ତୁଲାଇଥିଲେ। ଏବେ ତାଙ୍କ ବଂଶଧର ସ୍ବର୍ଗତ ମାଗୁଣିଙ୍କ ନାତିମାନେ ଏହି ନୀତି ସଂପାଦନ କରୁଛନ୍ତି। ମାଗୁଣି ବ୍ରହ୍ମାଙ୍କ ଚାରିଅଂଶ ଏହି ସେବା ନିଷ୍ଠାର ସହ ବର୍ଷ ବର୍ଷ ଧରି କରି ଆସୁଛନ୍ତି। ନୀଳକଣ୍ଠ ମିଶ୍ର, ବିନାୟକ ମିଶ୍ରଙ୍କ ପୁଅ ସର୍ବେଶ୍ବର ମିଶ୍ର, କ୍ଷୀରୋଦ ମିଶ୍ର, ଦୁର୍ଗାପ୍ରସାଦ ମିଶ୍ର, ରୁଦ୍ରନନ୍ଦନ ମିଶ୍ର, ଦୁର୍ଗାନନ୍ଦନ ମିଶ୍ର, ନନ୍ଦନନ୍ଦନ ମିଶ୍ର ଓ ସେମାନଙ୍କ ପରିବାର ବୈଦ୍ୟ ସେବା କରି ଆସୁଛନ୍ତି। ଚାରିଅଂଶ ଭିତରେ ନୀଳକଣ୍ଠ ମିଶ୍ର ଓ ବିନାୟକ ମିଶ୍ରଙ୍କ ଏକ ଅଂଶ, କ୍ଷୀରୋଦ ମିଶ୍ର ଏକ ଅଂଶ, ଦୁର୍ଗାପ୍ରସାଦ ମିଶ୍ର ଏକ ଅଂଶ ଓ ରୁଦ୍ରନନ୍ଦନ ମିଶ୍ର ଏକ ଅଂଶର ସେବା କରୁଛନ୍ତି। ମହୌଷଧି ଦଶମୂଳ ସେବା ଓ ପୂଜାବିଧି ବି ସ୍ବତନ୍ତ୍ର। ବରିଷ୍ଠ ବୈଦ୍ୟ ନୀଳକଣ୍ଠ ମିଶ୍ର କହିଛନ୍ତି, ଚାରି ଅଂଶରୁ ଦଶମୂଳ ପ୍ରସ୍ତୁତି ହୋଇ ୪ଟି ତାଳପେଡ଼ିରେ ଶ୍ରୀମନ୍ଦିର ନିଆଯାଇଥାଏ। ଗୋଟିଏ ପେଡ଼ିରେ ୫ଟି ଓଳି ରହିଥାଏ। ପ୍ରତି ଓଳିରେ ୫ଟି ଗୁଳା ମହୌଷଧି ରହିଥାଏ। ଏଥି ପାଇଁ ମାସେ ଧରି ଶୁଦ୍ଧପୁତ ଭାବେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପଡ଼ିଥାଏ।

ମହୌଷଧି ପ୍ରସ୍ତୁତି ପ୍ରଣାଳୀ

ପରମ୍ପରା ମୁତାବକ ମହାପ୍ରଭୁଙ୍କ ଚକାବିଜେ ନୀତି ପରେ ଶ୍ରୀମନ୍ଦିରକୁ ଏହି ଦଶମୂଳ (ମୋଦକ) ବିଜେ କରାଯାଇଥାଏ। ମହାପ୍ରଭୁଙ୍କ କବିରାଜମାନେ ଏହି ମହୌଷଧିକୁ ମାସେ ଆଗରୁ ଶୁଦ୍ଧପୁତ ଭାବରେ ପ୍ରସ୍ତୁତ କରିଥାନ୍ତି। ଆୟୁର୍ବେଦ ପଦ୍ଧତି ଏବଂ ଶାସ୍ତ୍ରାନୁସରଣରେ ଏହି ମହୌଷଧି ପ୍ରସ୍ତୁତ ହୋଇଥାଏ। ଏକାଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କୁ ଦଶମୂଳ ଲାଗି କରିବାର ବିଧି ରହିଛି। ଔଷଧ ତିଆରି ପୂର୍ବରୁ ବୈଦ୍ୟମାନେ ଚେରମୂଳ ସଂଗ୍ରହରେ ମାସେ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି। ଶ୍ରୀମନ୍ଦିର ବୈଦ୍ୟ ମାନ୍ୟତାପ୍ରାପ୍ତ କବିରାଜ ସେବକମାନେ ପୁରୁଷାନୁକ୍ରମେ ପ୍ରଭୁଙ୍କ ପାଇଁ ଏହି ମହୌଷଧି ପ୍ରସ୍ତୁତି ସେବାରେ ନିୟୋଜିତ ଅଛନ୍ତି। କବିରାଜମାନଙ୍କ କହିବା ମୁତାବକ, ଶାଳପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣିବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି, ଦେଶୀଘିଅ, ମହୁ, ନବାତ, ଖୁଆ ସର ଆଦି ଉତ୍ପାଦ ସମ୍ମିଶ୍ରଣରେ ମହାପ୍ରଭୁଙ୍କ ପାଇଁ ଏହି ମହୌଷଧି ପ୍ରସ୍ତୁତ ହୋଇଥାଏ। ହବିଷାନ୍ନ ବ୍ରତ ପାଳନ ସହ ମହାପ୍ରଭୁଙ୍କ ଏହି ମହୌଷଧି ପ୍ରସ୍ତୁତିରେ ୩ କିଲୋରୁ ଅଧିକ ଚେରମୂଳି ବ୍ୟବହୃତ ହୋଇଥାଏ। ଧନ୍ୱନ୍ତରୀ ଆୟୁର୍ବେଦ ଶାସ୍ତ୍ର ମୁତାବକ ପ୍ରଥମେ ଶାଳପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣିବଥୁ, ପଟଳି, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି ଆଦିକୁ ଶୁଖାଇ ଶୁଷ୍କ କରାଯାଇଥାଏ। ପରେ ଏହାର ଚୁର୍ଣ୍ଣ ପ୍ରସ୍ତୁତ କରି ଏଥିରେ ଦେଶୀ ଘିଅ, ଖୁଆସର ଆଦି ମିଶ୍ରଣ କରାଯାଇଥାଏ। ଏହାକୁ ଓଳିରେ ରଖି‌ ଏବଂ ପେଡ଼ିରେ ଭର୍ତି କରି ମହାପ୍ରଭୁଙ୍କ ଲାଗି ପାଇଁ ଶ୍ରୀମନ୍ଦିର ନିଆଯାଇଥାଏ।

ସମ୍ବନ୍ଧିତ ଖବର