ଶ୍ରୀମନ୍ଦିର ପାଇଁ ଖାଲି କୁମ୍ଭୀର କାନ୍ଦଣା!

ଅଧାପନ୍ତରିଆ ରହିଗଲା ଜଷ୍ଟିସ ବି ପି ଦାସ କମିସନ
ଏଯାଏ ବିଧାନସଭାକୁ ଆସିଲାନି ରତ୍ନଭଣ୍ଡାର ରିପୋର୍ଟ

ପୁରୀ, (ସୁମନ୍ତ ପରିଡ଼ା): ଶ୍ରୀମନ୍ଦିରରେ ସଂସ୍କାର ଅଣାଯିବ। ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ଶେଷ ହେବ। ଦର୍ଶନ ପାଇଁ ଆସୁଥିବା ଭକ୍ତ ସକରାତ୍ମକ ଭାବନା ନେଇ ଫେରିବେ। ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯିବ।

ଏଭଳି କିଛି ମହତ ଲକ୍ଷ୍ୟ ନେଇ ୫ ବର୍ଷ ତଳେ ରାଜ୍ୟ ସରକାର ଗଠନ କରିଥିଲେ ଜଷ୍ଟିସ ବି ପି ଦାସ କମିସନ। ଏ ଭିତରେ କମିସନଙ୍କୁ ଅଧାପନ୍ତରିଆ ଭାବେ ରଖିଦେଲେ ସରକାର। କମିସନଙ୍କ ପ୍ରାରମ୍ଭିକ ରିପୋର୍ଟରେ ଥିବା ସୁପାରିସ ବି ଏଯାଏ କାର୍ଯ୍ୟାନ୍ବୟନ ହୋଇପାରିନାହିଁ।

ଆହୁରି ବିଚିତ୍ର ସ୍ଥିତି ସୃଷ୍ଟି େହାଇଛି ଜଷ୍ଟିସ ରଘୁବୀର ଦାସ କମିସନଙ୍କ ରିପୋର୍ଟକୁ ନେଇ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ଗଠନ କରିଥିବା ଏହି କମିସନଙ୍କ ରିପୋର୍ଟ ଦାଖଲ କରିବା ୨ ବର୍ଷ ବିତିଲାଣି, ତଥାପି ଭକ୍ତ ଏ ପ୍ରସଙ୍ଗରେ ଅନ୍ଧାରରେ ଅଛନ୍ତି। ଆଜି ସୁଦ୍ଧା ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇପାରିଲା ନାହିଁ।

ଶ୍ରୀମନ୍ଦିର ଏବଂ ପୁରୀକୁ ସର୍ବାଧିକ ଗୁରୁତ୍ବ ଦେଉଥିବା ରାଜ୍ୟ ସରକାର ଏହି ଦୁଇଟି ପ୍ରସଙ୍ଗରେ ଗ୍ରହଣ କରିଥିବା ଆଭିମୁଖ୍ୟ ଏବେ ସବୁ ମହଲକୁ ବିସ୍ମିତ କରୁଛି। କୌତୂହଳ କଥା ହେଲା, ଏହି ରିପୋର୍ଟର ସ୍ଥିତି କଣ, ସେ ନେଇ କେହି କିଛି କହିବାକୁ ପ୍ରସ୍ତୁତ ନୁହଁନ୍ତି।

atlasobscura.com

୨୦୧୫ ନୀଳାଦ୍ରି ବିଜେ ଅଘଟଣ ପରେ ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ୨୦୧୬ ଜୁଲାଇ ୨୩ରେ ରାଜ୍ୟ ସରକାର ଗଠନ କରିଥିଲେ ସଂସ୍କାର କମିସନ। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବି ପି ଦାସଙ୍କୁ ନେଇ ଗଠନ ହୋଇଥିଲା ଏହି ସ୍ବତନ୍ତ୍ର କମିସନ। ଲକ୍ଷ୍ୟ ଥିଲା ଶ୍ରୀମନ୍ଦିର ଶୃଙ୍ଖଳିତ ନୀତିକାନ୍ତିରେ ଶୃଙ୍ଖଳା ସାଙ୍ଗକୁ ଭକ୍ତଙ୍କ ସୁରକ୍ଷା, ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ସହ ପ୍ରଶାସନିକ ବ୍ୟବସ୍ଥାରେ ସଂସ୍କାର ଆଣିବା। କମିସନ ଏଥିପାଇଁ ସର୍ବସାଧାରଣଙ୍କ ମତ ବି ସଂଗ୍ରହ କରିଥିଲେ। ସେ ସମୟରେ ଏ ଉପରେ ୨୧ହଜାର ୧୨୧ଟି ସତ୍ୟପାଠ, ୧୫୭୬ଟି ପରାମର୍ଶମୂଳକ ଚିଠି ସହ ୧୭୬ଟି ମେଲ୍ ପାଇଥିଲେ କମିସନ। ୨ ବର୍ଷର କାର୍ଯ୍ୟକାଳ ଅବଧି ଭିତରେ ରାଜ୍ୟ ସରକାରଙ୍କୁ ଅନେକ ସଂସ୍କାରମୂଳକ ସୁପାରିସ କରିଥିଲେ କମିସନ। ଦୁଇ ଦୁଇଥର ଏଥିପାଇଁ ଅନ୍ତରୀଣ ରିପୋର୍ଟ ବି ଦାଖଲ କରିଥିଲେ। ପ୍ରଥମ ରିପୋର୍ଟ ୨୦୧୭ ଏପ୍ରିଲ ୧୪ ଓ ଦ୍ବିତୀୟ ରିପୋର୍ଟ ଡିସେମ୍ବର ୭ରେ ଦାଖଲ କରିଥିଲେ କମିସନ।

ତେବେ ହଠାତ୍ କମିସନଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି କରାଗଲାନାହିଁ। କେବଳ ସେତିକି ନୁହେଁ, କମିସନଙ୍କ ରିପୋର୍ଟ ଏଯାଏ ସର୍ବସାଧାରଣକୁ ବି ଆସିପାରିନାହିଁ।

କୁହାଗଲା, ସୁପ୍ରିମକୋର୍ଟ ବି ଜଷ୍ଟିସ ବି ପି ଦାସ କମିସନଙ୍କ ରିପୋର୍ଟ ଆଧାରରେ ୧୨ ସୂତ୍ରୀ ଅନ୍ତରୀଣ ଆଦେଶ ଦେଇଥିଲେ।ହେଲେ ତାହା ମଧ୍ୟ କାର୍ଯ୍ୟକାରୀ ହୋଇପାରିଲାନି। ନୀତିକାନ୍ତିରେ ଏବେ ବି ଶୃଙ୍ଖଳା ଆସିପାରିନି। ସୁନା ଅଳଙ୍କାର ଗଣତି କଳିରୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ୩ ଘଣ୍ଟା ବିଳମ୍ବ ହେବା ଏହା ରଗୋଟିଏ ଗୋଟିଏ ଉଦାହରଣ। ଦାନ, ଦକ୍ଷିଣାକୁ ନେଇ ଯେଉଁ ପ୍ରସଙ୍ଗ ଉଠିଥିଲା ତାହା ବି ବନ୍ଦ ହୋଇପାରିନି। ଏବେ ବି ଶ୍ରୀମନ୍ଦିର ଭିତରେ ଓ ବାହାରେ ଥାଳି, ଗରା ଆଦି ରହୁଛି। ଭକ୍ତମାନେ ଦାନ ଦେବା ପାଇଁ ଚାରିଦ୍ବାରରେ ସ୍ବତନ୍ତ୍ର ହୁଣ୍ଡି ସ୍ଥାପନ ପାଇଁ ପ୍ରସ୍ତାବ ଥିଲେ ବି ଆଜି ପର୍ଯ୍ୟନ୍ତ ହୁଣ୍ଡି ସ୍ଥାପନ ହୋଇପାରିନି। ପ୍ରଶାସନିକ ବ୍ୟବସ୍ଥା ପୁରୁଣା ଢାଞ୍ଚାରେ ଚାଲିଛି। ଆଜି ପର୍ଯ୍ୟନ୍ତ ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି ହୋଇପାରିନାହାନ୍ତି। ବଂଶଗତ ସେବା, ସେବାୟତ କଲ୍ୟାଣ ପ୍ରସଙ୍ଗ ଅଧାରେ ଅଟକିଛି। ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରଚାର ଦିଗରେ ଜମାରୁ ଆଗେଇ ନାହାଁନ୍ତି ସରକାର।

ଅନ୍ୟପକ୍ଷରେ ଦୀର୍ଘ ୩୪ ବର୍ଷ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲେ ରତ୍ନଭଣ୍ଡାରର ରହସ୍ୟ ଜାଣିବା ପାଇଁ। କିନ୍ତୁ ହଠାତ୍ ଚାବି ହଜିଯାଇଥିବା କହି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ଅଟକାଇ ଦେଇଥିଲା କମିସନ ଏ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବା ଦୁଇବର୍ଷ ବିତିଲାଣି, ତଥାପି ଅନ୍ଧାରରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ।

ସମ୍ବନ୍ଧିତ ଖବର