ପୁରୀ: ଶ୍ରୀମନ୍ଦିର ପରିସରରେ ଆଉ ଲୁହାର ରେଲିଂ ରହିବ ନାହିଁ। ଧୀରେଧୀରେ ଏହାକୁ ଅପସାରଣ କରାଯାଉଛି। ଲୁହା ବଦଳରେ ପିତ୍ତଳ ରେଲିଂ ସ୍ଥାପନ କରାଯାଉଛି। ଆଗାମୀ କିଛି ମାସ ମଧ୍ୟରେ ଶ୍ରୀମନ୍ଦିର ପରିସରରୁ ସଂପୂର୍ଣ୍ଣ ରୂପେ ରେଲିଂ ହଟିବ। ଶ୍ରଦ୍ଧାଳୁମାନେ ପିତ୍ତଳ ରେଲିଂ ଦେଇ ମହାପ୍ରଭୁଙ୍କ ନିକଟକୁ ପହଞ୍ଚିବେ। ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ମନ୍ଦିରଗୁଡ଼ିକରେ ମଧ୍ୟ ସମାନ ପ୍ରକାରର ବ୍ୟବସ୍ଥା କରାଯାଉଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ. ଅରବିନ୍ଦ ପାଢ଼ୀ ମଙ୍ଗଳବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। 

Advertisment

ଶ୍ରୀ ପାଢ଼ୀ କହିଛନ୍ତି ଯେ, ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ଚାଲିଥିବା ଅନେକ ପ୍ରକଳ୍ପ ଉପରେ ଆଲୋଚନା ହୋଇଛି। ପ୍ରକଳ୍ପ ସାଂସ୍କୃତିକ ସବ୍‌ କମିଟି ଓ ପ୍ରକଳ୍ପ ବୈଷୟିକ ସବ୍‌ କମିଟି ବୈଠକ ମାଧ୍ୟମରେ ଆଜି ଆଲୋଚନା ହୋଇଛି।

ଏହି ବୈଠକ‌ରେ ଗଜପତି ମହାରାଜ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଓଡ଼ିଶା ସେତୁ ନିର୍ମାଣ ନିଗମ (ଓବିସିସି)ର ପରିଚାଳନା ନିର୍ଦ୍ଦେଶକ ଓ ତାଙ୍କର ଟିମ୍‌ ଉପସ୍ଥିତ ଥିଲେ। ବୈଠକରେ ଆଲୋଚନା ହୋଇଥିଲା ଯେ, ଯାହା ବି ପ୍ରକଳ୍ପ ନିର୍ମାଣ ହେବ, ତାହା ଅନ୍ତର୍ଜାତୀୟ ସ୍ତରର ହେବ। ମହାପ୍ରଭୁଙ୍କ ନାମରେ ଥିବା ଜମିରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେବ।  

ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି, ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଯୁଗ୍ମ ବୈଠକରେ ଶ୍ରୀଜଗନ୍ନାଥ ଧାମ୍ ପାଇଁ ଆଧ୍ୟାତ୍ମିକ, ସାଂସ୍କୃତିକ, ଧାର୍ମିକ ତତ୍ୱ ଉପରେ ଆଲୋଚନା ହୋଇଥିଲା। ଯାହା ବି ପ୍ରକଳ୍ପ ହେବ ତାହା ଅନ୍ତରାଷ୍ଟ୍ରୀୟ ସ୍ତରୀୟ ହେବ। ମହାପ୍ରଭୁଙ୍କ ନାମରେ ଥିବା ଜମିରେ ପ୍ରକଳ୍ପ ହେବ। ଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନର ଉନ୍ନତୀକରଣ ଉପରେ ଆଲୋଚନା ହୋଇଥିଲା। ସେହିପରି ଶ୍ରୀମାର୍ଗ ଉନ୍ନତୀକରଣ, ପିଲଗ୍ରୀମ୍ ସେଣ୍ଟର ରକ୍ଷଣାବେକ୍ଷଣ, ଗୁଣ୍ଡିଚା ମନ୍ଦିରର ଉନ୍ନତୀକରଣ ଉପରେ ଆଲୋଚନା ହୋଇଥିଲା। ଗୁଣ୍ଡିଚା ମନ୍ଦିରରେ ଜାରି ଥିବା ନିର୍ମାଣ କାମ ଆସନ୍ତାବର୍ଷ ସୁଦ୍ଧା ଶେଷ କରାଯିବାକୁ ଲକ୍ଷ୍ୟ କରାଯାଇଛି। ଏହି ସମୟ ମଧ୍ୟରେ ମରାମତି ହୋଇ ନପାରିଲେ ରଥଯାତ୍ରା ପରେ କରିବେ।

ବୈଠକରେ ଶ୍ରୀମନ୍ଦିରର ଅଭ୍ୟର୍ଥନା କେନ୍ଦ୍ର, ସାଂସ୍କୃତିକ କେନ୍ଦ୍ର, ରଘୁନନ୍ଦନ ଲାଇବ୍ରେରୀ ଉପରେ ଆଲୋଚନା ହୋଇଥିଲା। ସେବକ ବାସଗୃହ ପ୍ରକଳ୍ପ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅସମ୍ପୂର୍ଣ୍ଣ କାମ ଖୁବଶୀଘ୍ର ଶେଷ ହେବ। ଶ୍ରୀମନ୍ଦିରର ଅନ୍ନକ୍ଷେତ୍ର, ହୋମଯଜ୍ଞ, ନାମଯଜ୍ଞ ପରବର୍ତ୍ତୀ ପର୍ଯ୍ୟାୟରେ ଆଲୋଚନା ହୋଇଥିଲା। ଏଏସଆଇ ଦ୍ବାରା ଶ୍ରୀମନ୍ଦିରର ଐତିହ୍ୟ ଆଲୋକୀକରଣ କରାଯିବ। ଡିପିଆର୍ ପହଞ୍ଚିସାରିଛି। ମୁଖ୍ୟ ମନ୍ଦିର, ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଛାଡି ବାହାରପାର୍ଶ୍ୱ ଆଲୋକୀକରଣ କରାଯିବ। ଶ୍ରୀମନ୍ଦିର ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରଣ ସଂସ୍ଥାପନ ଉପରେ ଆଲୋଚନା ହୋଇଛି। ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି।  

puri