ସୂର୍ଯ୍ୟମନ୍ଦିର ବନ୍ଦ ୩୧ ଯାଏ ଘୁଞ୍ଚିଲା

ଦୁଇ ଦିନରେ ମହାପ୍ରଭୁଙ୍କ ହୁଣ୍ଡିଦାନ ୮୦ ପ୍ରତିଶତ କମିଲା

କୋଣାର୍କ : ‘କରୋନ‌ା’ ସତର୍କତାକୁ ଦୃଷ୍ଟିରେ ରଖି ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ବନ୍ଦ ଅବଧିକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏ ନେଇ କୋଣାର୍କ ମନ୍ଦିର ଦାୟିତ୍ବରେ ଥିବା ସ୍ଥାନୀୟ ଏଏସ୍‌ଆଇ ଅଧିକାରୀ ନିରଜ ସିଂ ସୂଚନା ଦେଇଛନ୍ତି। ଫଳରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ସୂର୍ଯ୍ୟମନ୍ଦିର ଭିତରକୁ ଯାଇପାରିବେ ନାହିଁ। ସେହିପରି କୋଣାର୍କ ସଂଗ୍ରହାଳୟକୁ ମଧ୍ୟ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୭ ଦିନ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିର ଦର୍ଶନ ଉପ‌ରେ କଟକଣା ଲଗାଯାଇଥିଲା।

commons.wikimedia.org

ଦୁଇ ଦିନରେ ହୁଣ୍ଡିଦାନ ୮୦ ପ୍ରତିଶତ କମିଲା
ପୁରୀ : ‘କରୋନା’ ପ୍ରଭାବ ମହାପ୍ରଭୁଙ୍କ ହୁଣ୍ଡି ଉପରେ ବି ପଡ଼ିଛି। ଯେଉଁଥି ପାଇଁ ଦୁଇ ଦିନରେ ହୁଣ୍ଡିଦାନ ସଂଘାତିକ ଭାବେ କମିଛି। ଶ୍ରୀମନ୍ଦିର ସୂଚନା ଓ ଲୋକ ସଂପର୍କ ବିଭାଗ ସୂଚନା ମୁତାବକ, ଚଳିତ ମାସ ୮ ତାରିଖରେ ହୁଣ୍ଡିରୁ ସର୍ବାଧିକ ୪ ଲକ୍ଷ ୬୬ ହଜାର ୭୯୩ ଟଙ୍କା ଦାନ ଟଙ୍କା ମିଳିଥିଲା। ଏହା ପର ଠାରୁ କେତେବେଳେ ୪ ଲକ୍ଷ ଟଙ୍କା ଉପରେ ତ ଆଉ କେତେବେଳେ ୩ ଲକ୍ଷ ଟଙ୍କା ଉପରେ ଦାନ ଅର୍ଥ ମିଳିଛି। ଏହି ମାସରେ ସର୍ବନିମ୍ନ ୨ ଲକ୍ଷ ୨ ହଜାର ୨୭୮ ଟଙ୍କା ହୁଣ୍ଡିରୁ ମିଳିଥିଲା। ହାରାହାରି ହିସାବ କଲେ ହୁଣ୍ଡିରୁ ଦୈନିକ ପ୍ରାୟ ୩ ଲକ୍ଷ ୫୦ ହଜାର ଟଙ୍କା ମିଳୁଛି। ‘କରୋନା’ କଟକଣା ଲାଗୁ ପୂର୍ବ ଦିନ ବି ମହାପ୍ରଭୁଙ୍କ ହୁଣ୍ଡିରୁ ୩ ଲକ୍ଷ ୩୬ ହଜାର ୩୧୭ ଟଙ୍କା ମିଳିଥିଲା। କିନ୍ତୁ ଏହି ଦାନ ଅର୍ଥ ହଠାତ୍ ଲକ୍ଷେ ତଳକୁ ଖସିଆସିଛି। ଗତକାଲି ମହାପ୍ରଭୁଙ୍କ ହୁଣ୍ଡିରୁ ୯୮ ହଜାର ୮୭୨ ଟଙ୍କା ମିଳିଥିଲା। ଆଜି ୭୨ ହଜାର ୫୩୭ ଟଙ୍କା ଦାନ ଅର୍ଥ ହୁଣ୍ଡିରୁ ମିଳିଥିବା ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ଦାନ ପ୍ରାୟ ୮୦ ପ୍ରତିଶତ କମିଛି।

ସମ୍ବନ୍ଧିତ ଖବର