ପୁରୀ ମେଡିକ‌ାଲରୁ ସନ୍ଦିଗ୍ଧ ବିଦେଶୀ ନାବାଳିକା ରାତାରାତି କୋଲକାତା ପାର୍‌

ତାଳମେଳ ରହୁନି ଅଧିକାରୀଙ୍କ କଥାରେ, ‘ଅଣ୍ଡର୍‌ଟେକିଂ ଲେଖିଦେଲେ, ଛାଡ଼ିଦେଲୁ’

ପୁରୀ : ଶନିବାର ପୁରୀ ମେଡିକ‌ାଲରେ ଚିକିତ୍ସ‌ା ପାଇଁ ଭର୍ତ୍ତି ହୋଇଥିବା ଜ‌ଣେ କରୋନା ସନ୍ଦିଗ୍ଧ ବିଦେଶୀ ନାବାଳିକାଙ୍କୁ ହସ୍ପିଟାଲରୁ ଛାଡ଼ି ଦିଆଯାଇଛି। ଏହି ନାବାଳିକା ଏବେ କେଉଁଠି, କ’ଣ ତାଙ୍କର ଠିକଣା ସେ ଖବର ମେଡିକାଲ କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ। ସନ୍ଦିଗ୍ଧ ନାବାଳିକା ଓ ତାଙ୍କ ପରିବାର ରାତାରାତି କୋଲକାତ‌ା ପଳାଇଛନ୍ତି। ସେମାନେ ରହିବାକୁ ରାଜି ହେଲେ ନାହିଁ, ନିଜ ଇଚ୍ଛାରେ ଚାଲିଗଲେ ବୋଲି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ବିରଜା ଶଙ୍କର ରଥ କହିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ସନ୍ଦିଗ୍ଧ ବିଦେଶୀ ନାବାଳିକା ଓ ତାଙ୍କ ପରିବାର କୋଲକାତା ପଳାଇବା ଘଟଣା ସାମ୍ନାକୁ ଆସିବା ପରେ ପୁରୀ ଜିଲ୍ଲା ପ୍ରଶାସନର କରୋନା ସତର୍କତା ଓ ପ୍ରସ୍ତୁତି ନେଇ ସନ୍ଦେହ ସୃଷ୍ଟି ହୋଇଛି। ମେଡିକାଲ୍‌କୁ ଆସିଥିବା କରୋନା ସନ୍ଦିଗ୍ଧ କେଉଁ ପରିସ୍ଥିତିରେ ଉଭାନ ହୋଇଗଲେ ତାକୁ ନେଇ ଏକ ବଡ଼ ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ ଏ ନେଇ ମେଡିକାଲ୍‌ କର୍ତ୍ତୃପକ୍ଷ କିନ୍ତୁ ନିଜର ସୁରକ୍ଷ‌‌ା ପାଇଁ ସଫେଇ ଦେବାରେ ଲାଗିଛନ୍ତି। ସନ୍ଦିଗ୍ଧ ନାବାଳିକାଙ୍କ ମା’ ଅଣ୍ଡରଟେକିଂରେ ତାଙ୍କ ଝିଅକୁ ଏଠାରୁ ନେଉଛନ୍ତି, ଏଥିପାଇଁ କେହି ମେଡିକାଲ କର୍ମଚାରୀ ଦାୟୀ ନାହାନ୍ତି ବୋଲି ହାତ କାଟି ଲେଖି ଦେଇଛନ୍ତି। ତେବେ ଏ ଅଣ୍ଡରଟେକିଂ ତାଙ୍କ ମା’ଲେଖିଛନ୍ତି ନା କର୍ତ୍ତୃପକ୍ଷ ନିଜ ସୁରକ୍ଷା ପାଇଁ ଏଭଳି କରିଛନ୍ତି ତାକୁ ନେଇ ସନ୍ଦେହ ଉପୁଜିଛି। ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସ‌ା ଅଧିକାରୀ ନୀଳକଣ୍ଠ ମିଶ୍ର କହିଛନ୍ତି; ଏହି ବିଦେଶୀ ନାବାଳିକା‌ କରୋନା ସନ୍ଦିଗ୍ଧ ନୁହଁନ୍ତି।ସେ ଅଣ୍ଡରଟେକିଂ ଦେଇଛନ୍ତି, ଏବେ ସେ ହୋମ୍‌ ଆଇସୋଲେସନ୍‌ରେ ରହିଥିବା କଥା କହିଛନ୍ତି। ଏହି ଘଟଣାରେ ଏଡିଏମଓ, ସିଡିଏମଓ ଭିନ୍ନ ମତ ଦେଉଥିବାରୁ ସନ୍ଦେହ ଉପୁଜିଛି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କରୋନାକୁ ବିଶ୍ବ ମହାମାରୀ ଘୋଷଣ‌ା କରିଥିବା ବେଳେ ପୁରୀ ମେଡିକାଲ କର୍ତ୍ତୃପକ୍ଷ ସନ୍ଦିଗ୍ଧଙ୍କୁ ତାଙ୍କ ସହମତିରେ ଯିବାକୁ ଅନୁମତି ଦେବା ଏକ ସାଂଘାତିକ ଘଟଣା ହୋଇଥିଲେ ହେଁ ପ୍ରଶାସନ ଏହାକୁ ଅତି ହାଲୁକା ଭାବେ ନେଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସଂପୃକ୍ତ ରୋଗୀ କରୋନା ସନ୍ଦିଗ୍ଧ ନୁହନ୍ତି ବୋଲି କହିଛନ୍ତି। ତେବେ ଯଦି ସଂପୃକ୍ତ ରୋଗୀ କରେନା ସନ୍ଦିଗ୍ଧ ନଥିଲେ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ଆଉଟ୍‌ଡୋର୍‌ରୁ ଡିସଚାର୍ଜ କଲେ ନାହିଁ କାହିଁକି? ତାଙ୍କୁ କରୋନା ୱାର୍ଡରେ ରଖାଯାଇଥିଲା କାହିଁକି? ଯଦି ତାଙ୍କୁ ଥଣ୍ଡା ଜ୍ବର ଥିଲା, ତାଙ୍କ ମା’ଙ୍କଠାରୁ ଅଣ୍ଡରଟେକିଂ ରଖିଲେ କାହିଁକି? ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସଂପୃକ୍ତ ରୋଗୀ ହୋମ୍‌ ଆଇସୋଲେସନ୍‌ରେ ଥିବା କହୁଥିବା ବେଳେ ଏଡିଏ୍‌ମଓ ସେ କଲିକତା ପଳାଇଥିବା କହୁଛନ୍ତି। ଏଥିରୁ କାହା କଥା ସତ? ସର୍ବୋପରି ମେଡିକାଲକୁ ଆଣି ବିନା ପରୀକ୍ଷାରେ ରୋଗୀଙ୍କ ପରିବାର ସହମତିରେ ଛାଡ଼ି ଦେବା ବିପର୍ଯ୍ୟୟ ଆଇନର ଉଲ୍ଲଂଘନ ନୁହେଁ କି? ଏହିଭଳି ବିଭିନ୍ନ ପ୍ରଶ୍ନ ଉଠୁଥିବା ବେଳେ ସଂପୃକ୍ତ ଦୁଇ ଅଧିକାରୀଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ସୂଚନାଯୋଗ୍ୟ, ୟୁରୋପର ଲିଥୁଆନିଆ ଦେଶର ଜଣେ ୭ ବର୍ଷର ନାବାଳିକାଙ୍କୁ ଗତକାଲି ମୋଚିସାହିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସନ୍ଦେହ ହେବାରୁ ସଂପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କରୋନା ୱାର୍ଡରେ ନାବାଳିକାଙ୍କ ଚିକିତ୍ସା କରାଯାଉଥିଲା। ତେବେ ପାଖାପାଖି ୪ ଘଣ୍ଟା କରୋନା ୱାର୍ଡରେ ରହିବା ପରେ କରୋନା ସନ୍ଦିଗ୍ଧ ଓ ତାଙ୍କ ପରିବାର ସମସ୍ତଙ୍କୁ ଚକ୍‌ମା ଦେଇ ‌ଡାକ୍ତରଖାନାରୁ ଫେରାର ହୋଇଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ପରେ ମେଡିକାଲ କର୍ତ୍ତୃପକ୍ଷ ବହୁ ଖୋଜାଖୋଜି କରିବା ପରେ ମିଳି ନଥିଲେ। ଗତକାଲି ରାତିରେ ‌ହିଁ ସେ କଲିକତା ପଳାଇଥିବା ନିଜେ ଏଡିଏମ୍‌ଓ କହିଛନ୍ତି। ରକ୍ତନମୁନା ଦେବାକୁ ମନା କରିବା ସହ ସଂପୃକ୍ତ ପରିବାର ଲୁଚି ପଳାଇବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରିଥିଲା। ପୁରୀ ମେଡିକାଲ କର୍ତ୍ତୃପକ୍ଷ ବିଦେଶୀ ନାଗରିକଙ୍କୁ ବିନା ପରୀକ୍ଷାରେ ଯିବାକୁ ଦେବା ଘଟଣାକୁ ସାଧାରଣରେ ସମାଲୋଚନା କରାଯାଇଛି।

ସମ୍ବନ୍ଧିତ ଖବର