ମୃତ ଶିଶୁକୁ ଜୀବିତ ଦର୍ଶାଇ କଟକ ସ୍ଥାନାନ୍ତର କଲେ ପୁରୀ ହସ୍ପିଟାଲର ଡାକ୍ତର! ଚିକିତ୍ସା ଅବହେଳା ଅଭିଯୋଗରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ପୁରୀ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ମୃତ ଶିଶୁକୁ ଜୀବିତ ଦର୍ଶାଇ କଟକ ବଡ଼ଡ଼ାକ୍ତରଖାନା ସ୍ଥାନାନ୍ତର କରିଛନ୍ତି ବୋଲି ମୃତ୍ୟୁ ହୋଇଥିବା ଶିଶୁଟିର ଅଭିଭାବକ ଶୁୁକ୍ରବାର ଅଭିଯୋଗ କରିଛନ୍ତି। ଶିଶୁ ମୃତ୍ୟୁକୁ କେନ୍ଦ୍ର କରି ଆଜି ସନ୍ଧ୍ୟାରେ ପୁରୀ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବା ଫଳରେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ଯାତାୟତ ପ୍ରଭାବିତ ହୋଇଛି।

ସୂଚନା ଅନୁସାରେ ସମୁଦ୍ରକୂଳ ଥାନା ଅନ୍ତର୍ଗତ ବାଲିମୋଚିସାହି ନିବାସୀ ପି. ଜଗଦୀଶ ନିଜର ଶିଶୁପୁତ୍ର ପି. ଜଗାକୁ ୧୬ ଦିନ ପୂର୍ବରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଜଗାର ବୟସ ବଢୁଥିବା ବେଳେ ଓଜନ ହ୍ରାସ ପାଉଥିବାରୁ ପରିବାରର ଚିନ୍ତା ବଢ଼ିଯାଇଥିଲା। ଜଗା ୩ ବର୍ଷର ପିଲା ହୋଇଥିଲେ ମଧ୍ୟ ଗୋଟିଏ ମାସର ପିଲା ଭଳି ଜଣାପଡୁଥିଲା। ସେଥିପାଇଁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ପୂର୍ବାହ୍ନ ୧୧ଟାରେ ହସ୍ପିଟାଲର ଡାକ୍ତର ଅଧିକ ଚିକିତ୍ସା ପାଇଁ ଜଗାକୁ କଟକ ବଡ଼ଡାକ୍ତରଖାନା ନେଇ ଯିବାପାଇଁ ପରାମର୍ଶ କରିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ପି. ଜଗଦୀଶ ପୁଅକୁ ନେଇ କଟକ ଯାଇଥିଲେ। ମାତ୍ର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପହଞ୍ଚିବା ବେଳେ ଜଗାର ମୃତ୍ୟୁ ହୋଇଯାଇଛି ବୋଲି ଡାକ୍ତର କହିଥିଲେ।

ଅନ୍ୟପକ୍ଷରେ ପୁଅର ମୃତ୍ୟୁ ନେଇ ପିତା-ମାତା ଭାଙ୍ଗି ପଡ଼ିଥିଲେ। ସେମାନେ ପୁରୀ ହସ୍ପିଟାଲ ଫେରିଆସି ଡାକ୍ତରଙ୍କୁ ଅଭିଯୋଗ କରିଥିଲେ ଯେ, ତାଙ୍କ ପୁଅକୁ ମାରି ଦିଆଯାଇଛି। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ଅବଗତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରୋକ ହେବା ଫଳରେ ଯାତାୟତ ପ୍ରଭାବିତ ହୋଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ଶିଶୁଟିର ମୃତଦେହ ପୋଷ୍ଟମର୍ଟମ ହୋଇନାହିଁ।

ସମ୍ବନ୍ଧିତ ଖବର