ପୁରୀ: ପର୍ଯ୍ୟଟକଙ୍କୁ ଆକ୍ରମଣ ସମେତ ୩ ଅପରାଧ ଘଟଣାରେ ସଂପୃକ୍ତ ୪ ଅଭିଯୁକ୍ତ ଗିରଫ

ପୁରୀ: ଟାଉନ ଥାନା ପୁଲିସ ଗୁରୁବାର ୩ ଅପରାଧିକ ଘଟଣାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ତୀର୍ଥଯାତ୍ରୀଙ୍କ ଠାରୁ ଜିନିଷ ପତ୍ର ଏବଂ ମୋବାଇଲ ଲୁଟିବା ଓ ଜମିଜମା ବିବାଦକୁ କେନ୍ଦ୍ର କରି ହତ୍ୟା କରିବା ଘଟଣାରେ ସଂପୃକ୍ତ ଥିଲେ ବୋଲି ପୁଲିସ କହିଛି। ପୁଲିସ ଅଭିଯୁକ୍ତଙ୍କ ଠାରୁ ମାରଣାସ୍ତ୍ର, ମୋବାଇଲ ଓ ଅନ୍ୟାନ୍ୟ ଜିନିଷପତ୍ର ଉଦ୍ଧାର କରି କୋର୍ଟ ଚାଲାଣ କରିଛି।

ପ୍ରଥମ ଘଟଣା:

ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଅଂଚଳର ପ୍ରମୋଦ ଜେନା ନାଁରେ ଜଣେ ପର୍ଯ୍ୟଟକଙ୍କୁ ବଡ଼ଦାଣ୍ଡରେ ଅଭିଯୁକ୍ତ ଜୟଦେବ କାଣ୍ଡି, ନବଘନ ଦାସ ଓ କାଳୁଚରଣ ଭୋଇ ଆକ୍ରମଣ କରିଥିଲେ। ଡିସେମ୍ବର ୨୫ରେ ଘଟିଥିବା ଏହି ଘଟଣା ସମୟରେ ପ୍ରମୋଦ ନିଜ ସାଙ୍ଗରେ ଆସିଥିବା ଅନ୍ୟ ପର୍ଯ୍ୟଟକମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପରେ କାର ପାର୍କିଂ କରି ଜିନିଷ ପତ୍ର ପୋଛାପଛି କରୁଥିଲେ। ଏହି ସମୟରେ ଅଭିଯୁକ୍ତମାନେ ପ୍ରମୋଦ ଠାରୁ ଜିନିଷ ପତ୍ର ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଏଥିରେ ପ୍ରମୋଦ ବାଧା ଦେବାରୁ ସେମାନେ ଛୁରୀରେ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ।

ଦ୍ୱିତୀୟ ଘଟଣା:

ସେହି ଦିନ ଅଭିଯୁକ୍ତମାନେ ନରେନ୍ଦ୍ର କୋଣରେ ଅଜିତ ବେହେରା ନାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯିବା ଘଟଣାରେ ସଂପୃକ୍ତ ଥିଲେ। ଜମି ବିବାଦକୁ ନେଇ ଘଟିଥିବା ହତ୍ୟାକାଣ୍ଡରେ ସେମାନେ ମୁଖ୍ୟ ଅଭିଯୁକ୍ତ ଚିକୁଙ୍କୁ ସହଯୋଗ କରିଥିଲେ।

ତୃତୀୟ ଘଟଣା:

ବାଲିଘାଟ ଅଂଚଳର କାର୍ତ୍ତିକ ଦାସ ବୁଧବାର ନିଜ ଭଉଣୀକୁ ନେଇ ନରେନ୍ଦ୍ର କୋଣ ବୁଲିବାକୁ ଯାଇଥିଲେ। ସେଠାରେ ସେମାନେ ଏକ ଦୋକାନରୁ ଆଇସକ୍ରିମ କିଣୁଥିବା ବେଳେ ଜୟଦେବ, ନବଘନ ଓ କାଳୁଚରଣ ମୋବାଇଲ ଛଡ଼ାଇ ନେଇଥିଲେ।

ସମ୍ବନ୍ଧିତ ଖବର