ଭୟାବହ ଅଗ୍ନିକାଣ୍ତ: ୫ ଗାଈ ଓ ବାଛୁରୀ ଜଳିଗଲେ

ଜଳିଗଲା ୩ ଦୋକାନ

ବ୍ରହ୍ମଗିରି: ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମଗିରି ବ୍ଲକ୍ ଗଡ଼ରୋଡଙ୍ଗ ପଞ୍ଚାୟତ ହାଣ୍ଡିଆଳି ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ ବଖରା ଘର ପୋଡି ପାଉଁଶ ହୋଇ ଯାଇଥିବା ବେଳେ ୭ଟି ଗାଈ ଓ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସେହିପରି ୬ଟି ଗାଈ ଓ ବାଛୁରୀ ନିଆଁରେ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ବ୍ରହ୍ମଗିରିରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଅାୟତ୍ତ କରିଥିଲେ। ଗତକାଲି ରାତି ପ୍ରାୟ ୩ଟାରୁ ଭୋର ୪ଟା ମଧ୍ୟରେ ହାଣ୍ତିଆଳି ଗାଁର ଅଖାରୀ ବେହେରାଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଜଳୁଥିବା ଦେଖି ପୁରୀ-ସାତପଡା ରାଜପଥରେ ଯାଉଥିବା କିଛି ଲୋକେ ଡାକ ପକାଇଥିଲେ।

ଗାଁ ଲୋକେ ନିଆଁକୁ ଆୟତ୍ତ କରୁଥିବା ବେଳେ ବ୍ରହ୍ମଗିରିରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସେତେବେଳକୁ ଘରେ ଥିବା ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇ ଯାଇଥିଲା। ଗୁହାଳ ଘରେ ବନ୍ଧା ହୋଇଥିବା ଗାଈବାଛୁରୀ ଓ ବଳଦଙ୍କ ମଧ୍ୟରୁ ୨ଟି ଗାଈ ଓ ୫ଟି ବାଛୁରୀ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ୩ଟି ଗାଈ ଓ ୩ଟି ବାଛୁରୀ ନିଆଁରେ ପୋଡି ହୋଇ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡାକ୍ତର ପ୍ରୀତିତୋଷ ମହାପାତ୍ରଙ୍କ ସହିତ ଏକ ଦୁଇ ଜଣିଆ ଟିମ୍‌ ପହଞ୍ଚି ଗୁରୁତର ଗାଈ ଓ ବାଛୁରୀଙ୍କ ଚିକିତ୍ସା କରି ଫେରିଛନ୍ତି। ବିଜେପି ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ କୈଳାସ ପରିଡା, ସ୍ଥାନୀୟ ସରପଞ୍ଚ ଅର୍ନ୍ତଯ୍ୟାମୀ ପରିଡା, ସମିତି ସଭ୍ୟ ସତ୍ୟବ୍ରତ ପାତ୍ର ପହଞ୍ଚି ବିପନ୍ନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳରେ ତଦନ୍ତ କରି ଫେରିଛନ୍ତି। ମଶା ଧୂଆଁରୁ ଅଗ୍ନିକାଣ୍ତ ଘଟିଥିବା ବ୍ରହ୍ମଗିରି ଦମକଳ ବାହିନୀ ଅଧିକାରୀ ବିବେକାନନ୍ଦ ଦାସ କହିଛନ୍ତି।

ବ୍ରହ୍ମଗିରି: ଗତକାଲି ବିଳମ୍ବିତ ରାତିରେ କୃଷ୍ଣପ୍ରସାଦ ବ୍ଲକ୍ ବ୍ରହ୍ମଗିରି ଥାନା ଦହିଖିଆ ବଜାରରେ ଭୟାବହ ଅଗ୍ନିକାଣ୍ତ ଘଟିଛି। ଅଗ୍ନିକାଣ୍ତରେ ୩ଟି ଦୋକାନ ପୋଡି ପାଉଁଶ ହୋଇ ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଗତକାଲି ରାତି ପ୍ରାୟ ଏଗାରଟା ବେଳେ କୃଷ୍ଣପ୍ରସାଦ ବ୍ଲକ୍ ଦହିଖିଆ ବଜାରରେ ଥିବା ସୀତାରାମ ଜେନାଙ୍କ ଜଳଖିଆ ଦୋକାନରେ ହଠାତ୍ ନିଆଁ ଲାଗି ଯାଇଥିଲା। ସଙ୍ଗେ ସଙ୍ଗେ ନିଆଁ ପାଖରେ ଥିବା ରାଜେଶ ପଟ୍ଟନାୟକଙ୍କ ଚିକେନ କାଉଣ୍ଟରକୁ ବ୍ୟାପୀ ଯାଇଥିଲା। ଖବର ପାଇ ବ୍ରହ୍ମଗିରିରୁ ଦମକଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ତିନୋଟି ଦୋକାନ ପୋଡି ପାଉଁଶ ହୋଇ ସାରିଥିଲା। ଦୋକାନ ଭିତରେ ଥିବା ଏକ ଗ୍ୟାସ ସିଲିଣ୍ତର ଫାଟି ଯାଇଥିବାରୁ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ପାଇଁ ନାକେଦମ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର