ପୁରୀ ଏସ୍‌ସିଏସ୍‌ କଲେଜରେ ବ୍ୟାପକ ଭଙ୍ଗାରୁଜା, ଛାତ୍ରସଂଘ ସଭାପତି, ଉପସଭାପତି ଓ ଛାତ୍ରୀଙ୍କୁ ମାଡ଼

ବିରୋଧରେ ଛାତ୍ର ଆନ୍ଦୋଳନ, ପୁଲିସ ମୁତୟନ

ପୁରୀ: ସାମସ୍ତ ଚନ୍ଦ୍ର ଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରସଂଘ କୋଠରିରେ ବୁଧବାର ବ୍ୟାପକ ଭଙ୍ଗାରୁଜା ହୋଇଛି। ଛାତ୍ରସଂଘ ସଭାପତି ରବି ନାରାୟଣ ନାଏକ, ଉପ-ସଭାପତି ବୈଷ୍ଣବ ମହାନ୍ତି ଓ ଜଣେ ଛାତ୍ରୀଙ୍କୁ ଆକ୍ରମଣ ହୋଇଛି। ମିଳିଥିବା ସୂଚନା ଅନୁସାରେ ଛାତ୍ର ବିଜେଡ଼ି ଓ ଛାତ୍ର କଂଗେସ ମଧ୍ୟରେ କିଛି ଦିନ ହେବ ବାଦବିବାଦ ଲାଗି ରହୁଥିବାରୁ କଲେଜ ପରିସରରେ ବୁଧବାର ଅଶାନ୍ତିର ବାତାବରଣ ଦେଖାଯାଇଛି।

ଭଙ୍ଗାରୁଜା ବିରୋଧରେ ଛାତ୍ରଛାତ୍ରୀମାନେ କଲେଜ ପରିସରରେ ଥିବା ୨ୟ ଗେଟ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି। ଛାତ୍ର କଂଗେସ ନେତା ଶୁଭ୍ରାଂଶୁ ଖେଖର ସାମନ୍ତରାୟଙ୍କ ନେତୃତ୍ୱରେ ଅପରାହ୍ନ ୨ଟାରେ କିଛି ଛାତ୍ର ଅଚାନକ ସଂଘ କୋଠରି ପ୍ରବେଶ କରି ଭଙ୍ଗାରୁଜା କରିଥିଲେ। ସୂଚନା ପାଇ ଟାଉନ୍‌ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଛି। ରିପୋର୍ଟ ଲେଖାଯିବା ବେଳେକୁ ଭଙ୍ଗାରୁଜାର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର