ଧାଡ଼ି ଦର୍ଶନକୁ ନେଇ ମହାଭାରତ

ଟ୍ରାଫିକ୍ ପୋଷ୍ଟ ଜାଳିଦେଲେ

ଧାଡ଼ି ଦର୍ଶନକୁ ନେଇ ଉତ୍ତେଜନା ପରେ ଆଜି ଉତ୍ତ୍ୟକ୍ତ ଲୋକେ ବଡ଼ଦାଣ୍ଡରେ ଥିବା ୩ ଟ୍ରାଫିକ୍ ପୋଷ୍ଟକୁ ପେଟ୍ରୋଲ ଢ଼ାଳି ଜାଳି ଦେଇଛନ୍ତି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡର ମରୀଚିକୋଟ ଛକ, ମାର୍କେଟ୍ ଛକ ଓ ବଳଗଣ୍ଡି ଛକରେ ତିନୋଟି ଟ୍ରାଫିକ୍ ପୋଷ୍ଟ ରଖାଯାଇଥିଲା। ଆଜି ତିନି ଟ୍ରାଫିକ୍ ପୋଷ୍ଟରେ ଆନ୍ଦୋଳନକାରୀମାନେ ନିଆଁ ଲଗାଇଦେବା ପରେ ଏହା ଜଳିପୋଡ଼ି ପାଉଁଶ ହୋଇଯାଇଛି।

ମହେଶ୍ୱରଙ୍କ ଘରେ ଭଙ୍ଗାରୁଜା

ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ପୁଲିସ ଗିରଫ କରି ନେବା ପରେ ଲୋକେ ରକ୍ତମୁଖା ହୋଇ ପଡ଼ିଥିଲେ। ଉତ୍ତ୍ୟକ୍ତ ଜନତା ସିଂହଦ୍ୱାର ସାମନାରେ ବିରୋଧ କରି ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିଥିଲେ। ପରେ ଟାଉନ ଥାନାରେ ପ୍ରତିବାଦ ଜଣାଇବା ସହ ସ୍ଥାନୀୟ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କୁ ଟାର୍ଗେଟ୍‌ କରିଥିଲେ। କୁମୁଟି ସାହିସ୍ଥିତ ମହେଶ୍ୱରଙ୍କ ଘରେ ପହଞ୍ଚି ଫୁଲ କୁଣ୍ଡ ଭଙ୍ଗାରୁଜା କରିବା ସହିତ ତାଙ୍କ ଦୁଆରମୁହଁରେ ଫୁଲକୁଣ୍ଡ କଚାଡ଼ି ଦେଇଥିଲେ।

ଶ୍ରୀମନ୍ଦିରରେ ବାଜିଲା ଗୁଳି, ପତିତପାବନଙ୍କୁ ଢେଲା ମାଡ଼

ଦୀର୍ଘ ୭ ଘଣ୍ଟାର ତାଣ୍ଡବ ଲୀଳା ପରେ ସଶସ୍ତ୍ର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ ପାଇଁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ଅସନ୍ତୋଷକୁ ରୋକିବା ପାଇଁ ପୁଲିସ ରବର ଗୁଳି ଚଳାଇବା ବେଳେ ସେଥିରୁ କିଛି ଶ୍ରୀମନ୍ଦିରରେ ବାଜିଥିଲା। ଏଥିରେ ଲୋକେ ଉତ୍ତେଜିତ ହୋଇ ପୁଲିସ ଉପରକୁ ଆଖିବୁଜା ଢେଲା ମାଡ଼ କରିଥିଲେ। କିଛି ଢେଲା ଲକ୍ଷ୍ୟଭ୍ରଷ୍ଟ ହୋଇ ପତିତପାବନଙ୍କ ଆଖିରେ ବାଜିଥିଲା‌। ଏଭଳି ଘଟଣା ଭକ୍ତଙ୍କୁ ଆଘାତ ଦେଇଥିବା ବେଳେ ଲୋକେ ଆହୁରି ତାତିଥିଲେ।

ମନ୍ଦିର ଭିତରେ ଜୋତା ପିନ୍ଧି ପଶିଲା ପୁଲିସ

ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ ମୁତୟନ ହୋଇଥିବା ପୁଲିସ୍‌ ଜୋତା ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଯାହାକୁ ସେବାୟତମାନେ ବାରଣ କରିଥିଲେ। ଏହାକୁ ନେଇ ମୁହାଁମୁହିଁ ପରିସ୍ଥିତି ଉପୁଜିଥିବା ବେଳେ ବାହାରୁ ଲୋକମାନେ ପୁଲିସ ଉପରକୁ ଟେକା ମାଡ଼ କରିଥିଲେ। ରକ୍ତମୁଖା ଜନତାଙ୍କ କ୍ରୋଧରୁ ବର୍ତ୍ତିବା ପାଇଁ କେତେକ ପୁଲିସ ଜୋତା ପିନ୍ଧା ଅବସ୍ଥାରେ ମନ୍ଦିର ଭିତରକୁ ପଶି ଯାଇଥିଲେ।

ଅଘଟଣ ପଛରେ ଗୁଇନ୍ଦା ବିଫଳତା

ଆଜିର ଏତେ ବଡ଼ ଅଘଟଣ ପାଇଁ ସମସ୍ତେ ଗୁଇନ୍ଦା ବିଫଳତାକୁ ଦାୟୀ କରିଛନ୍ତି। ବନ୍ଦ ଡାକରାକୁ ପୁଲିସ ଅତ୍ୟନ୍ତ ହାଲୁକା ଭାବେ ନେବାରୁ ଆନ୍ଦୋଳନକାରୀମାନେ ବଡ଼ଧରଣର ହିଂସାକାଣ୍ଡ ଭିଆଇବାକୁ ସାହସ କଲେ। କେବଳ ସେତିକି ନୁହେଁ, ପୁଲିସ ଆନ୍ଦୋଳନକାରୀଙ୍କୁ ଲଙ୍କାକାଣ୍ଡ ଘଟାଇବା ପାଇଁ ପର୍ଯ୍ୟାପ୍ତ ସମୟ ବି ଦେଲା। ଆନ୍ଦୋଳନକାରୀମାନେ ସକାଳ ୭ରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଜଳାପୋଡ଼ା, ଭଙ୍ଗାରୁଜା କରୁଥିବା ବେଳେ ସ୍ବଳ୍ପସଂଖ୍ୟକ ପୁଲିସ ନିରବଦ୍ରଷ୍ଟା ସାଜିଥିଲେ। ପାଖାପାଖି ୭ ଘଣ୍ଟା ପରେ ପୁଲିସ ଫୋର୍ସ ଆସିବା ବେଳକୁ ସବୁ କିଛି ଛାରଖାର ହୋଇ ସାରିଥିଲା। ଶ୍ରୀମନ୍ଦିର ପ୍ରଶାସନ ଧାଡ଼ି ଦର୍ଶନକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରିବା ପୂର୍ବରୁ ଏହାକୁ ସମସ୍ତେ ବିରୋଧ କରିଥିଲେ। ଯେଉଁଦିନ ପରୀକ୍ଷାମୂଳକ ଭାବେ ଦର୍ଶନ ଆରମ୍ଭ ହେଲା ସେହିଦିନ ବି ଭକ୍ତମାନେ ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ। ତଥାପି ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ଏହାକୁ ହାଲୁକା ଭାବେ ନେଇଥିଲା। କହିଥିଲା, ଆରମ୍ଭରୁ ଏଭଳି ବିରୋଧାଭାସ ସ୍ୱାଭାବିକ କଥା। ପ୍ରଥମ ଦିନର ବିଶୃଙ୍ଖଳା କିଛି ମାଇନା ରଖେନି ବୋଲି ଶ୍ରୀମନ୍ଦିର ପ୍ରଶାସନ ଧରି ନେଇଥିଲା। ଦ୍ୱିତୀୟ ଦିନରେ ବି ଯେଉଁଭଳି ଧାଡ଼ି ଦର୍ଶନ ହେଲା ପ୍ରଶାସନ ଓ ପୁଲିସ ଭାବି ନେଇଥିଲେ, ଏଥର ଧାଡ଼ି ଦର୍ଶନ ପାଇଁ କୌଣସି ଅସୁବିଧା ହେବନି। କିନ୍ତୁ ଧାଡ଼ି ଦର୍ଶନକୁ ବିରୋଧ କରି ଆସୁଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଅସନ୍ତୋଷ ଚାପି ହୋଇ ରହିଥିଲା। ଯେଉଁଥି ପାଇଁ ଆଜି ପୁରୀ ବନ୍ଦ ଡାକରା ହିଂସାତ୍ମକ ମୋଡ଼ ନେଇଥିଲା। ଗୁଇନ୍ଦା ବିଭାଗ ବି ଏ ସଂପର୍କରେ କୌଣସି ପ୍ରାକ୍ ସୂଚନା ଦେଇନଥିଲା। ଏଣୁ ପୁଲିସ ଭାବିଥିଲା ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଗିରଫ କରିନେଲେ ପରିସ୍ଥିତି ସୁଧୁରିଯିବ। କିନ୍ତୁ ପରିଣାମ ଓଲଟା ହୋଇଥିଲା।

ମାଡ଼ ଖାଇଲେ ଭକ୍ତ, ପର୍ଯ୍ୟଟକ

ମାତ୍ର କେଇ ଘଣ୍ଟା ଭିତରେ ପୂରା ବଡଦାଣ୍ଡକୁ ଛାରଖାର କରିଦେଇଥିଲେ ଆନ୍ଦୋଳନକାରୀ। ଶ୍ରୀମନ୍ଦିର ଚାରିଦ୍ୱାର‌ରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ସମସ୍ତ ବ୍ୟାରିକେଡ୍‌କୁ ଭାଙ୍ଗି ଦେବା ସହିତ ସୁରକ୍ଷା ପାଇଁ ଲାଗିଥିବା ଲ‌ଗେଜ୍ ସ୍କାନର୍‌, ସୂଚନା ଫଳକ ସବୁକୁ ବାଡ଼େଇ ଚୂର୍‌ମାର୍‌ କରିଦେଇଥିଲେ। ସିଂହଦ୍ୱାରରୁ ମେଡିକାଲ ଛକ ପର୍ଯ୍ୟନ୍ତ ଦୀର୍ଘ ସମୟ ଧରି ଆତଙ୍କର ନିଆଁ ଜଳିଥିଲା। ଉତ୍ତ୍ୟକ୍ତ ଲୋକେ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପଶି ବହୁ ଗୁରୁତ୍ବପୂର୍ଣ୍ଣ ରେକର୍ଡ ନଷ୍ଟ କରିବା ସହିତ ଲକ୍ଷ ଲକ୍ଷ ଟଙ୍କାର ଆସବାବପତ୍ର ନଷ୍ଟ କରି ଦେଇଥିଲେ। ବନ୍ଦ ଆଳରେ ସବୁ କିଛି ନଷ୍ଟ କରି ଦିଆଯାଇଥିବା ବେଳେ ପୁଲିସ କେବଳ ଦେଖଣାହାରୀ ସାଜିଥିଲା। ଜଳାପୋଡ଼ା, ଭଙ୍ଗାରୁଜା ବେଳେ ସାଧାରଣ ଭକ୍ତ, ପର୍ଯ୍ୟଟକ, ସାମ୍ବାଦିକ ଆନ୍ଦୋଳନକାରୀଙ୍କ ଆକ୍ରୋଶରୁ ବର୍ତ୍ତି ପାରିନଥିଲେ। ମାଡ଼ ଖାଇ ଲହୁଲୁହାଣ ହୋଇଥିଲେ।

ଏସ୍‌ପିଙ୍କ ବାସଭବନକୁ ଢେଲା ମାଡ଼

ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ଭଙ୍ଗାରୁଜା କରିବା ପରେ ଉତ୍ତ୍ୟକ୍ତ ଜନତା ସିଧା ଏସ୍‌ପିଙ୍କ ବାସଭବନକୁ ଯାଇଥିଲେ। ବାସଭବନ ସମ୍ମୁଖରେ ବସି ଏସ୍‌ପିଙ୍କୁ ବରଖାସ୍ତ କରିବା ଦାବିରେ ସ୍ଲୋଗାନ୍ ଦେବା ସହିତ ତାଙ୍କ ଗେଟ୍‌କୁ ‌ଠେଲାପେଲା କରିଥିଲେ। କିଛି ସମୟ ପରେ ସେଠାରେ ପୁଲିସ ଫୋର୍ସ ଓ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। କିଛି ଲୋକ ଏସ୍‌ପିଙ୍କ ବାସଭବନ ଉପରକୁ ଢ଼େଲା ମାଡ଼ ମଧ୍ୟ କରିଥିଲେ। ଶେଷରେ ଲୋକମାନେ ରାଜରାସ୍ତାରେ ବସି ରହି ରାସ୍ତା ଅବରୋଧ କରିଥିଲେ। ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଶ୍ରୀମନ୍ଦିର କାର୍ଯ୍ୟାଳୟ ଛାରଖାର

ଆଜି ଆନ୍ଦୋଳନକାରୀମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଶି ଫୁଲକୁଣ୍ଡ, ଦାନବାକ୍ସ, ଗୁରୁତ୍ୱପୂର୍ଣ୍ଣ ରେକର୍ଡ ରହିଥିବା ଆଲମିରା, ଫ୍ୟାନ୍, ଏସି, ସିିସିଟିଭି କ୍ୟାମେରା, ଦାମୀ ଚେୟାର, ସୋଫା, ସମ୍ମିଳନୀ କକ୍ଷ ଭାଙ୍ଗି ଛାର୍‌ଖାର୍‌ କରିଦେଇଛନ୍ତି। ଏଥିରେ ଶ୍ରୀମନ୍ଦିର ପ୍ରଶାସନର ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି। ହିଂସାକାଣ୍ଡ ପରେ ମନ୍ଦିର କାର୍ଯ୍ୟାଳୟରୁ ଆସବାବପତ୍ର, ଚାଉଳ ବସ୍ତା, କମ୍ପ୍ୟୁଟର ସାମଗ୍ରୀ, ଦାନ ଟଙ୍କା ଲୁଟି ନିଆଯାଇଛି। ଆଜି ସକାଳେ ଉତ୍ତ୍ୟକ୍ତ ଜନତା ମିଳିତ ଭାବେ ଚାରି ଦ୍ୱାରରେ ଧସେଇ ପଶିଥିଲେ। ସିଂହଦ୍ୱାରଠାରେ ଲାଗିଥିବା ସୂଚନା ଫଳକକୁ ଉପାଡ଼ି ଦେଇଥିଲେ। ଲଗେଜ୍‌ ସ୍କାନର୍‌ ସହିତ ମେଟାଲ ଡିଟେକ୍ଟର ମେସିନ୍‌କୁ ଭାଙ୍ଗିଦେଇଥିଲେ। ଜୋତା ଷ୍ଟାଣ୍ଡକୁ ବି ଭାଙ୍ଗି ଫୋପାଡ଼ି ଦିଆଯାଇଥିଲା। ସିଂହଦ୍ବାରରୁ ମେଡିକାଲ ଛକ ଯାଏ ଯାହା ଆଗରେ ପଡିଲା ଉତ୍ତ୍ୟକ୍ତ ଜନତା ତାକୁ ଭାଙ୍ଗି ଚୂର୍‌ମାର୍‌ କରିଦେଇଥିଲେ।

ଜିଲ୍ଲାପାଳ ଡାକିଲେ ଶାନ୍ତି କମିଟି ବୈଠକ

ବୁଧବାର ପୁରୀରେ ଘଟିଥିବା ଲଙ୍କାକାଣ୍ଡକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଶାନ୍ତି କମିଟି ବୈଠକ ଡକାଯାଇଥିଲା। ସେବାୟତମାନଙ୍କ ଉପସ୍ଥିତିରେ ବୈଠକ ଆରମ୍ଭ ହୋଇଥିବା ବେଳେ ଧାଡ଼ି ଦର୍ଶନକୁ ନେଇ ଉପୁଜିଥିବା ବିବାଦର ସମାଧାନ ପାଇଁ ଶାନ୍ତି କମିଟି ଅଡ଼ି ବସିଥିଲା। ପ୍ରଶାସନ ଏଥିରେ ନରମ ଆଭିମୁଖ୍ୟ ପୋଷଣ କରି ସିଂହଦ୍ବାର ସମେତ ୪ ଦ୍ୱାର ଦେଇ ପୁରୀର ସମସ୍ତ ଜନସାଧାରଣ, ସେବାୟତ ଓ ତାଙ୍କ ପରିବାର ଲୋକ ଯାଆସ କରିପାରିବେ ବୋଲି କହିଥିଲେ। ଏଥିପାଇଁ ସେମାନେ ଫଟୋ ଥିବା ଯେ କୌଣସି ପରିଚୟପତ୍ର ବ୍ୟବହାର କରିବାକୁ କୁହାଯାଇଥିଲା। ଅନ୍ୟପକ୍ଷରେ ବନ୍ଦ ଡାକରା ଦେଇଥିବା ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ନିଃସର୍ତ୍ତରେ ଛାଡିବାକୁ ଶାନ୍ତି କମିଟି ଦାବି କରିବା ପରେ ପୁଲିସ ଶ୍ରୀ ପଟ୍ଟନାୟକଙ୍କୁ ଛାଡି ଦେଇଥିବା ଜଣାପଡିଛି। ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସେବାୟତଙ୍କ ପକ୍ଷରୁ ବିନାୟକ ଦାସ ମହାପାତ୍ର, ଦାମୋଦର ମହାସୁଆର, ରବି ଦାସ, ସୋମନାଥ ଖୁଣ୍ଟିଆ ଓ ଅନ୍ୟ କିଛି ସେବାୟତ ଉପସ୍ଥିତ ଥିଲେ। ତେବେ ବିନା ପ୍ରସ୍ତୁତିରେ ଧାଡି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିଥିବାରୁ ମନ୍ଦିର ପ୍ର‌ଶାସନକୁ ଆଜିର ଘଟଣା ପାଇଁ ଦା‌ୟୀ କରାଯାଇଛି। ଭଂଗାରୁଜା ଘଟଣାକୁ ନେଇ ଶାନ୍ତି କମିଟି ପକ୍ଷରୁ ଦୁଃଖପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର