ମହାପ୍ରଭୁଙ୍କୁ ଲାଗି ପାଇଁ ଶ୍ରୀମନ୍ଦିର ଭିତରେ ଯେଭଳି ସ୍ବତନ୍ତ୍ର ରତ୍ନଭଣ୍ଡାର ରହିଛି, ବିଶ୍ବରେ ଅନ୍ୟ କୌଣସି ଦେବଦେବୀ ମନ୍ଦିରରେ ବୋଧହୁଏ, ଏଭଳି ରତ୍ନଭଣ୍ଡାର ନଥିବ। ଏହି ରତ୍ନଭଣ୍ଡାରର ରହସ୍ୟ ଆଜି ବି ବିଶ୍ବର ଅଗଣତି ଭକ୍ତଙ୍କ ମନକୁ ଆନ୍ଦୋଳିତ କରୁଛି। ଶେଷଥର ୧୯୭୮ ମସିହାରେ ଏହି ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାର ଗଣତି ଓ ମଣତି କରାଯାଇଥିଲା। ଏହା ପରେ ୧୯୮୨ ମସିହାରେ ରତ୍ନଭଣ୍ଡାର ଖୋଲିଛି ସତ, କିନ୍ତୁ କେବଳ ମହାପ୍ରଭୁଙ୍କ ଅଳଙ୍କାରର ମରାମତି ପାଇଁ। ଏ ଭିତରେ ୪୭ ବର୍ଷ ବିତିଗଲାଣି, କିନ୍ତୁ ରତ୍ନଭଣ୍ଡାର ଖୋଲିପାରିନି କି ଏଥିରେ ଥିବା ଅଳଙ୍କାରର ଗଣତି ଓ ମଣତି କରାଯାଇନି। ୪୭ ବର୍ଷ ପରେ ପୁଣିଥରେ ରତ୍ନଭଣ୍ଡାର ଖୋଲିବାକୁ ପ୍ରୟାସ ଆରମ୍ଭ ହୋଇଛି।
ମିଳିଥିବା ତଥ୍ୟ ମୁତାବକ, ୧୯୭୮ ମସିହା ଅଗଷ୍ଟ ୧୯ରେ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ପି. ରଥ ରାଜ୍ୟ ଆଇନ ବିଭାଗକୁ ରତ୍ନଭଣ୍ଡାର ଯାଞ୍ଚ ସମ୍ପର୍କିତ ଏକ ଚିଠି(ନଂ-୩୧୨୫) କରିଥିଲେ। ଯେଉଁଥିରେ ସେ ଉଲ୍ଲେଖ କରିଥିଲେ କି ୧୯୬୦ ମସିହା ଶ୍ରୀମନ୍ଦିର ଆଇନ ଆଧାରରେ ୧୯୬୨ ମସିହାରେ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ତିରୁପତି ମନ୍ଦିରର ଏକ ବିଶେଷଜ୍ଞ ଦଳଙ୍କ ସହ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ କରିଥିଲେ। କେତେ ସୁନା, ରୁପା ରହିଛି, ତାର ହିସାବ କରିଥିଲେ। ପରେ ୧୯୬୭ ମସିହାରେ ବି ତତ୍କାଳୀନ ପ୍ରଶାସକ ଆର ସି ଶତପଥୀଙ୍କ ଦ୍ବାରା ଯାଞ୍ଚ ଉଦ୍ୟମ କରାଯାଇଥିଲା, କିନ୍ତୁ ଏହା ସଂପୂର୍ଣ୍ଣ ହୋଇପାରିନଥିଲା। ଏହିବର୍ଷ କିଛି ସୁନା ଅଳଙ୍କାରର ମରାମତି ପାଇଁ ରତ୍ନଭଣ୍ଡାରରୁ ସୁନା କଢ଼ାଯାଇଥିଲା। ୧୯୬୯ ମସିହାରେ ଚନ୍ଦନଯାତ୍ରା ସମୟରେ ବ୍ୟବହୃତ ମହାପ୍ରଭୁଙ୍କ ବିମାନ ସଜେଇବା ପାଇଁ ରତ୍ନଭଣ୍ଡାରରୁ ଏକ ବ୍ୟାଗ ଭର୍ତ୍ତି ଭଙ୍ଗା ରୁପା କଢ଼ାଯାଇଥିଲା। ୧୯୭୨ ଓ ୧୯୭୪ ମସିହାରେ ନୂଆ ମହାଲକ୍ଷ୍ମୀ ମୂର୍ତ୍ତି ତିଆରି ପାଇଁ ରତ୍ନଭଣ୍ଡାର ଖୋଲାଯାଇ ସୁନା ଅଳଙ୍କାର ଅଣାଯାଇଥିଲା। ପରେ ୧୯୭୮ ମସିହାରେ ରତ୍ନଭଣ୍ଡାରର ସଂପୂର୍ଣ୍ଣ ଯାଞ୍ଚ ସହ ଗଚ୍ଛିତ ସୁନା, ରୁପା, ରତ୍ନ ଆଦି ଅଳଙ୍କାରର ତାଲିକା ପ୍ରସ୍ତୁତ କରାଯାଇଥିଲା।
ଏହି ଗଣତି ପ୍ରକ୍ରିୟା ୧୯୭୮ ମସିହା ମେ ମାସ ୧୩ ତାରିଖରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ପରେ ପୂର୍ବ ତାଲିକା ସହ ମେଳ କରାଯାଇ ସଂପୂର୍ଣ୍ଣ ତାଲିକା ପ୍ରସ୍ତୁତ କରାଯାଇଥିଲା। ପରେ ୧୯୮୨ ମସିହା ଡିସେମ୍ବର ୨୬ରେ ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ଭିତର ରତ୍ନଭଣ୍ଡାର ଖୋଲାଯାଇ ୩ହଜାର ୩୩୭ ଭରି ୧୦ଅଣା ରୁପା କଢ଼ାଯାଇଥିଲା। ଶେଷ ଥର ୧୯୮୫ ମସିହା ଜୁଲାଇ ୧୪ରେ ବଡ଼ଠାକୁରଙ୍କ ଚିତା ମରାମତି ପାଇଁ ଭିତର ରତ୍ନଭଣ୍ଡାର ଖୋଲାଯାଇ କିଛି ସୁନା ଅଣାଯାଇଥିଲା। ସେସମୟରେ ଆଇନ ବିଭାଗ ପକ୍ଷରୁ ବିଶ୍ବନାଥ ମିଶ୍ର, ଜିଲ୍ଲାପାଳଙ୍କ ପ୍ରତିନିଧି ଭାବେ ମଦନମୋହନ ନନ୍ଦ, ଏସ୍ପିଙ୍କ ପ୍ରତିନିଧି ଭାବେ ଡିଏସ୍ପି ପଦ୍ମଚରଣ ମିଶ୍ର, ଶ୍ରୀମନ୍ଦିର ପ୍ରଶାସକ ଗୁରୁପ୍ରସାଦ ମହାନ୍ତି, ନରସିଂହ ଦାସମହାପାତ୍ର, ଶ୍ରୀମନ୍ଦିର ସହକାରୀ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, ଭିତରଚ୍ଛ ମଧୁସୂଦନ ମହାପାତ୍ର, କୈଳାସ ଚନ୍ଦ୍ର ମହାନ୍ତି, ଏନ୍. ମେକାପ, ତଢ଼ଉକରଣ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ଦେଉଳକରଣ ରାଧାମୋହନ ରାଉତରା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତି ୩ ବର୍ଷରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ଇନ୍ଭେଣ୍ଟୋରି କରିବାର ନିୟମ ରହିଥିବାବେଳେ ୧୯୮୫ ମସିହା ପରଠାରୁ ରତ୍ନଭଣ୍ଡାର ଆଉ ଖୋଲା ହୋଇନି। ଶେଷଥର ୨୦୧୮ ଏପ୍ରିଲ ୪ରେ ହାଇକୋର୍ଟଙ୍କ ଆଦେଶକ୍ରମେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରାଯାଇଥିଲେ ବି ଏହା ବିଫଳ ଯାଇଥିଲା। ଏଣୁ ଭକ୍ତ ମହଲରେ ରତ୍ନଭଣ୍ଡାରରେ ଗଚ୍ଛିତ ରତ୍ନ ଅଳଙ୍କାରକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି।
ପୁରୀ ଜିଲ୍ଲାପାଳ ରେକର୍ଡ ରୁମ୍ରେ ଥିଲା ତାଲିକା
୧୯୨୬ରେ ରହିଥିଲା ୮୩୭ ପ୍ରକାର ଅଳଙ୍କାର
ଗଜପତି ମୁକୁନ୍ଦ ଦେବଙ୍କ ମୃତ୍ୟୁ ପରେ ତାଙ୍କ ପାଳିତ ପୁତ୍ର ତଥା ବାମଣ୍ଡା ରାଜା ସୁଢ଼ଳ ଦେବଙ୍କ ନାତି ମୋହିନୀ ମୋହନ ୧୯୨୬ ମସିହା ଫେବ୍ରୁଆରି ୧୪ ତାରିଖରେ ଗଜପତି ରାମଚନ୍ଦ୍ର ଦେବ ଭାବେ ରାଜପଦରେ ଅଭିଷିକ୍ତ ହୋଇଥିଲେ। ତାଙ୍କୁ ଶ୍ରୀଜଗନ୍ନାଥ ମନ୍ଦିରର ଅଧୀକ୍ଷକ ଭାବେ ଦାୟିତ୍ବ ଭାର ସହ ଶ୍ରୀମନ୍ଦିର ସମ୍ପତ୍ତିର ଦାୟିତ୍ବ ଅର୍ପଣ କରାଯାଇଥିଲା। ଗଜପତି ରାମଚନ୍ଦ୍ର ଦେବ (ଚତୁର୍ଥ)ଙ୍କ ସମୟରେ ତାଙ୍କର ସ୍ବୀକାରୋକ୍ତି ପରେ ତତ୍କାଳୀନ ଜିଲ୍ଲାପାଳ ଦୟାନିଧି ଦାସଙ୍କ ଦସ୍ତଖତରେ ରତ୍ନ ଅଳଙ୍କାରର ତାଲିକା ପୁରୀ କଲେକ୍ଟରେଟ୍ ରେକର୍ଡ ରୁମ୍ରେ ରଖାଯାଇଥିଲା। ରାୟ ବାହାଦୂର ଲୋକନାଥ ମିଶ୍ର ଓ ତତ୍କାଳୀନ ଏମାର ମଠ ମହନ୍ତ ଗଦାଧର ରାମାନୁଜ ଦାସଙ୍କ ସ୍ବୀକାରୋକ୍ତି ମଧ୍ୟ ରହିଥିଲା। ଏହି ରେକର୍ଡ ମୁତାବକ ସେତେବେଳେ ରତ୍ନ ଭଣ୍ଡାର ମଧ୍ୟରେ ୮୩୭ ପ୍ରକାରର ରତ୍ନ ଅଳଙ୍କାର ଓ ଅନ୍ୟ ସାମଗ୍ରୀ ରହିଥିଲା।
ରତ୍ନଭଣ୍ଡାରର ଗଠନ ଶୈଳୀ
ଶ୍ରୀମନ୍ଦିର ସାତପାହାଚ ଦେଇ ନାଟମଣ୍ଡପକୁ ଯିବା ପରେ ଜୟବିଜୟ ଦ୍ବାର ଦେଇ ଭକ୍ତ ଭିତର କାଠରୁ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି। ଭିତର କାଠ ଡାହାଣ ପାର୍ଶ୍ବକୁ ରହିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର। ଯେଉଁଠି ମହାପ୍ରଭୁଙ୍କ ମହଣ ମହଣ ସୁନା ଅଳଙ୍କାର ଗଚ୍ଛିତ ହୋଇ ରହିଛି। ମହାପ୍ରଭୁଙ୍କ ରତ୍ନଭଣ୍ଡାର ତିନୋଟି ପର୍ଯ୍ୟାୟରେ ଥିବାବେଳେ ପ୍ରଥମଟି ଚଳନ୍ତି ଭଣ୍ଡାର, ଦ୍ବିତୀୟଟି ବାହାର ଭଣ୍ଡାର ଓ ତୃତୀୟଟି ଭିତର ଭଣ୍ଡାର। ଚଳନ୍ତି ଭଣ୍ଡାର ଦୈନନ୍ଦିନ ନୀତିକାନ୍ତି ପାଇଁ ବ୍ୟବହୃତ ଅଳଙ୍କାର ରଖିବା ଘର। ବାହାର ରତ୍ନଭଣ୍ଡାର ରଥଯାତ୍ରା, ଯାନିଯାତ୍ରା ସମୟରେ ବ୍ୟବହୃତ ଅଳଙ୍କାର ରଖିବା ଘର। ଶେଷ ତଥା ଭିତର ରତ୍ନଭଣ୍ଡାର ସର୍ବଦା ରହସ୍ୟମୟ। ଏଠାରେ ରାଜା ମହାରାଜାମାନେ ଦାନ ଦେଇଥିବା ସୁନା, ରୁପା, ହୀରା, ନୀଳା, ମୋତି, ମାଣିକ ଗଚ୍ଛିତ ରହିଛି। ମହାପ୍ରଭୁଙ୍କ ଅଳଙ୍କାର ମରାମତି ପାଇଁ ସୁନା, ରୁପା ଆଦି ଆବଶ୍ୟକ ପଡ଼ିଲେ ଏଠାରୁ କଢ଼ାଯାଇଥାଏ।
ସାପଙ୍କୁ ନେଇ ରହସ୍ୟ
ପ୍ରଭୁ ଶ୍ରୀଲୋକନାଥ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ରକ୍ଷକ। ଭିତର ରତ୍ନଭଣ୍ଡାରର ସୁରକ୍ଷା ଦାୟିତ୍ବରେ ପ୍ରଭୁ ଶ୍ରୀଲୋକନାଥ ସର୍ପ ରୂପରେ ଜଗିଥାନ୍ତି ବୋଲି ଜନମତ ରହିଛି। ଯେହେତୁ ଶ୍ରୀଲୋକନାଥ ଭିତର ରତ୍ନଭଣ୍ଡାର ଦାୟିତ୍ବ ସହ ଏହାର ସୁରକ୍ଷା ଦାୟିତ୍ବ ମଧ୍ୟ ତୁଲାଇଥା’ନ୍ତି ବୋଲି ବିଶ୍ବାସ ରହିଛି, ତେଣୁ ରତ୍ନଭଣ୍ଡାର ଭିତରେ ଏକ ବିଶାଳ ସର୍ପ ଏହାକୁ ଜଗିଥିବା ଏକ ବିଶ୍ବାସ ରହିଛି। ମାତ୍ର ଏହି ବିଶ୍ବାସ ଉପରେ କୌଣସି ପ୍ରାମାଣିକ ତଥ୍ର ନାହିଁ। ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ସ୍ବର୍ଗତ ରବୀନ୍ଦ୍ର ନାରାୟଣ ମିଶ୍ର ଥରେ ଏକ ଭିଡିଓ ବାର୍ତ୍ତାରେ କହିଥିଲେ, ତଡ଼ଉକରଣଙ୍କ ରେକର୍ଡ ମୁତାବକ ଶ୍ରୀଲୋକନାଥ ଭିତର ରତ୍ନଭଣ୍ଡାର ଜଗିଥାନ୍ତି। ଏକଥା ବି ସେ କୁହନ୍ତି ଯେ ବହୁଦିନ ଧରି ଏକ ସର୍ପ ଉଦ୍ଦେଶ୍ୟରେ ମହାପ୍ରସାଦ ପ୍ରଦାନ କରାଯାଉଥିଲା। ସମ୍ଭବତ‘ ଏହା ଶ୍ରୀଲୋକନାଥଙ୍କ ଉଦ୍ଦେଶ୍ୟରେ ଥିଲା ବୋଲି କୁହାଯାଇପାରେ। ସ୍ବର୍ଗତ ମିଶ୍ର ପୁଣି କହିଥିଲେ ଯେ ସେ ଦୁଇଦୁଇଥର ରତ୍ନଭଣ୍ଡାର ଭିତରକୁ ଯାଇଥିଲେ। ମାତ୍ର ସର୍ପଙ୍କ ଉପସ୍ଥିତି ସେ ଅନୁଭବ କରିପାରିନଥିଲେ।ସ୍ବର୍ଗତ ମିଶ୍ର ନିଜେ ପ୍ରଶାସନିକ ଅଧିକାରୀ ଓ ସେବକଙ୍କ ସହ ଦୁଇଥର ଭିତର ରତ୍ନଭଣ୍ଡାରକୁ ଯାଇଥିଲେ। ଥରେ ଅଳଙ୍କାର ଆଣିବା ପାଇଁ ଏବଂ ଆଉଥରେ ରୁପା କବାଟ ତିଆରି କରିବା ପାଇଁ ରୁପା ଆଣିବା ଲାଗି ଯାଇଥିଲେ। ମାତ୍ର ସେ କୌଣସି ସର୍ପର ଉପସ୍ଥିତି ଦେଖିନଥିଲେ। ତେବେ ପୂର୍ବଥର ସାପଧରାଳିଙ୍କ ସହଯୋଗ ନିଆଯାଇଥିଲା ବୋଲି ସେ କହିଛନ୍ତି। ମାତ୍ର ସାପ ଥିବା କଥା ଗୁଜବ ବୋଲି ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି।
ଗଜପତିମାନେ ଦାନ କରିଛନ୍ତି ବିପୁଳ ସୁନା, ଅଳଙ୍କାର
ମହାପ୍ରଭୁ ହେଉଛନ୍ତି ଗରିବମାନଙ୍କ ଦେବତା। ମାତ୍ର ମହାପ୍ରଭୁଙ୍କ ଶ୍ରୀମନ୍ଦିର ହେଉଛି ସର୍ବବୃହତ୍ ରତ୍ନ ଅଳଙ୍କାରର ଭଣ୍ଡାର। ଏଥିପାଇଁ ମହାପ୍ରଭୁଙ୍କ ଭଣ୍ଡାରଘରକୁ କୁହାଯାଏ ରତ୍ନଭଣ୍ଡାର। ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜାମାନେ ରାଜ୍ୟ ଜୟ କରି ଆଣୁଥିବା ଧନରତ୍ନକୁ ଭକ୍ତି ନୈବେଦ୍ୟ ସ୍ବରୂପ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭେଟି ଦିଅନ୍ତି। ବହୁ ଭକ୍ତ ମଧ୍ୟ ହୃଦୟ ଖୋଲି ରତ୍ନ ଦାନ କରିଛନ୍ତି। ଲାଲମୋହନ ପଟ୍ଟନାୟକଙ୍କ ଏକ ଆଲେଖ୍ୟ ମୁତାବକ, ‘ମାଦଳା ପାଞ୍ଜି’ର ତଥ୍ୟ ଅନୁଯାୟୀ ରାଜା ଅନଙ୍ଗଭୀମ ଦେବ ମହାପ୍ରଭୁଙ୍କ ସ୍ବର୍ଣ୍ଣ ଅଳଙ୍କାର ପ୍ରସ୍ତୁତି ନିମନ୍ତେ ୨ଲକ୍ଷ ୫୦ ହଜାର ମାଢ଼ ସୁନା ଦାନ କରିଥିଲେ। ୧ ମାଢ଼ ୧/୨ ତୋଳା ବା ୫.୮୩୧୯ ଗ୍ରାମ। ସେହିଭଳି ରାଜ୍ୟର ସୂର୍ଯ୍ୟବଂଶୀ ରାଜାମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ରତ୍ନ ଅଳଙ୍କାର ଓ ସୁନା ଦାନ କରିଛନ୍ତି। ଶ୍ରୀମନ୍ଦିରର ଦିଗବିଜୟ ଦ୍ବାର କାନ୍ଥରେ ଥିବା ଶିଳାଲେଖ ଅନୁଯାୟୀ ଗଜପତି କପିଳେନ୍ଦ୍ର ଦେବ ୧୪୬୬ ଖ୍ରୀଷ୍ଟାବ୍ଦରେ ପ୍ରଚୁର ସୁନା ଓ ରତ୍ନ ଅଳଙ୍କାର ସମେତ ବାସନ ଦାନ ଦେଇଥିଲେ। ବିଶିଷ୍ଟ ଐତିହାସିକ ଆର୍.ଡି ବାନାର୍ଜୀଙ୍କ ‘ହିଷ୍ଟ୍ରି ଅଫ୍ ଓଡ଼ିଶା’ ପୁସ୍ତକର ପୃଷ୍ଠା ୩୦ରେ ୧୪୬୬ ଖ୍ରୀଷ୍ଟାବ୍ଦରେ ବହୁ ରତ୍ନ ଦାନ ସୂତ୍ରରେ ଶ୍ରୀମନ୍ଦିରକୁ ଦିଆଯାଇଥିବା ଉଲ୍ଲେଖ ରହିଛି।