ଫେସ୍‌ବୁକ୍‌ରେ ଭିଡିଓ ଅପଲୋଡ଼ କରି ଆତ୍ମହତ୍ୟା ପ୍ରସଙ୍ଗ: ପତ୍ନୀ ଓ ପ୍ରେମିକ ଅଟକ

ପୁରୀ: ଦୁଇ ଦିନ ତଳେ ଫେସ୍‌ବୁକ୍‌ରେ ଭିଡିଓ ଅପ୍‌ଲୋଡ କରି ଆତ୍ମହତ୍ୟା କରିଥିବା ଯୁବକଙ୍କ ମାମଲାରେ ପୁରୀ ସଦର ଥାନା ପୁଲିସ ତାଙ୍କ ପତ୍ନୀକୁ ଅଟକ ରଖି ପଚରାଉଚରା କରିଛି।  ଆତ୍ମହତ୍ୟା କରିଥିବା ଯୁବକ ଦେଇଥିବା ଫେସ୍‌ବୁକ୍‌ ପୋଷ୍ଟ ମୁତାବକ ମୃତ୍ୟୁ ପାଇଁ ଯୁବକ ଜଣକ ନିଜକୁ ଦାୟୀ କରିଛନ୍ତି। ତେବେ ଏହି ଘଟଣାରେ ଯୁବକଙ୍କ ଫେସ୍‌ବୁକ୍‌ ବୟାନ ଅନୁଯାୟୀ ପୁଲିସ ମହିଳାଙ୍କ ପୂର୍ବତନ ପ୍ରେମିକକୁ ଜଗତସିଂହପୁର ଟାଉନ ପୁଲିସ ଅଟକ ରଖିଥିବା ବେଳେ ପୁରୀ ସଦର ପୁଲିସ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ଆଣୁଛି।

ସିକ୍ୟୁରିଟି ଗାର୍ଡ ଥିଲେ ଶାନ୍ତନୁ, ସଫ୍ଟଓୟାର ଇଞ୍ଜିନିୟର କହି କରିଥିଲେ ବିବାହ

ଥାନାରେ ଅଟକ ଥିବା ପତ୍ନୀ କହିଛନ୍ତି, ଶାନ୍ତନୁ ମିଛ କହି ବିବାହ କରିଥିଲେ। ବେଙ୍ଗାଲୁରୁରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ବେଳେ ସଫ୍ଟେଓ୍ଵର ଇଞ୍ଜିନିୟର ଅଛନ୍ତି ବୋଲି କହିଥିଲେ। ଭଉଣୀ କହି ସେ ଆଉ ଜଣେ ଯୁବତୀଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିଲେ। ପତ୍ନୀ କହିଛନ୍ତି, ବିବାହ ପରେ ସେମାନେ ବେଙ୍ଗାଲୁରୁ ଯାଇଥିଲେ। ସେଠାରେ ସେ ସିକ୍ୟୁରିଟି ଗାର୍ଡ ଥିବା ଜାଣି ପାରିଥିଲେ। ମହିଳା ଜଣକ ଶାନ୍ତୁନୁଙ୍କ ସହିତ ସମ୍ପର୍କ ଥିବା ଯୁବତୀଙ୍କ ଫଟୋ ମଧ୍ୟ ଥାନାରେ ଦେଖାଇଛନ୍ତି।

ସୂଚନାଯୋଗ୍ୟ, ସଦର ଥାନା ଅନ୍ତର୍ଗତ ଗଡ଼ଭିଙ୍ଗୁରା ଗ୍ରାମର ଶାନ୍ତନୁ ପାତ୍ର ୮ମାସ ତଳେ ସତ୍ୟବାଦୀ ଅଞ୍ଚଳରେ ଜଣେ ଝିଅକୁ ବିବାହ କରିଥିଲେ। ବିବାହ ପରେ ସେ ଜାଣିଲେ ଯେ, ନିଜ ପତ୍ନୀ ସହିତ ଜଗତସିଂହପୁର ଟାଉନ ଅଞ୍ଚଳର ଅମରେଶ ସ୍ୱାଇଁ ନାମରେ ଜଣେ ଯୁବକଙ୍କ ପ୍ରେମ ସମ୍ପର୍କ ରହିଛି। ଅନେକଗୁଡ଼ିଏ ଫଟୋରୁ ଶାନ୍ତନୁ ଜାଣି ପାରିଥିଲେ ଯେ, ପତ୍ନୀ ତା’ର ପୂର୍ବତନ ପ୍ରେମିକ ସହିତ ଶାରୀରିକ ସମ୍ପର୍କ ରଖିଛି। ଏସବୁ ଘଟଣା ସହ୍ୟ କରି ନ ପାରି ସେ ଆତ୍ମହତ୍ୟା କରୁଛନ୍ତି ବୋଲି ଫେସ୍‌ବୁକ୍‌ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ଶାନ୍ତୁନୁ ଯେଉଁ ଦିନ ଫେସ୍‌ବୁକ୍‌ରେ ଭିଡିଓ ପୋଷ୍ଟ କରିଥିଲେ, ସେ ବହୁତ କଷ୍ଟ ଅନୁଭବ କରିଥିଲେ। ପରଦିନ ତାଙ୍କର ମୃତଦେବ ବନ୍ଦ କୋଠରିରେ ଝୁଲୁଥିଲା। ଶାନ୍ତନୁର ମା’ ପ୍ରଥମେ ମୃତଦେହକୁ ଦେଖିଥିଲେ। ପରେ ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର