ଧାର୍‌ ଟଙ୍କା ମାଗିବାରୁ ଯୁବକଙ୍କୁ ହତ୍ୟା

ନିମାପଡ଼ା : ନିମାପଡ଼ା ବ୍ଲକ୍‌ ଅନ୍ତର୍ଗତ ଅଳନ୍ଧା ଗ୍ରାମର ଜଣେ ଯୁବକ ଧାର ଦେଇଥିବା ଟଙ୍କା ମାଗିବାରୁ ତାଙ୍କୁ ହତ୍ୟା କରାଯାଇଛି। ଏ ନେଇ ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖିଛି। ମିଳିଥିବା ଖବରରୁ ପ୍ରକାଶ ଅଳନ୍ଧାର ଧୀରଞ୍ଜନ ରାଉତ ନାମକ ଯୁବକ ଦପିରଣ୍ଟା ଗ୍ରାମର ପରୀକ୍ଷିତ ପ୍ରଧାନଙ୍କ ପୁଅ ପ୍ରତାପ ପ୍ରଧାନଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ। ଗତକାଲି  ଧୀରଞ୍ଜନ ଏହି ଟଙ୍କା ମାଗିବାରୁ  ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।  ଅପରାହ୍ନ ୬ଟାବେଳକୁ ଧୀରଞ୍ଜନ ପେଟାଘାଇ ଛକରେ ପରୀକ୍ଷିତ ପ୍ରଧାନ କରିଥିବା ହୋଟେଲ ନିକଟକୁ ଆସିଥିବା ବେଳେ ପୁଣି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ହୋଟେଲ ଚଳାଉଥିବା ପରୀକ୍ଷିତ ପ୍ରଧାନଙ୍କ ଦୁଇପୁଅ ପ୍ରତାପ ଓ ପ୍ରଦୀପ ଏବଂ ତାଙ୍କ ସାଙ୍ଗ ନିକଟସ୍ଥ ଅଣ୍ଢିଆସାହିର ଗାନୁଆଁ ବେହେରା ଏବଂ ଅନ୍ୟମାନେ ମିଶି ଧୀରଞ୍ଜନଙ୍କୁୁ ଏକ ଲୁହାରଡ୍‌ରେ ପିଟି ହତ୍ୟା କରିଥିବା ଧୀରଞ୍ଜନଙ୍କ ବଡ଼ଭାଇ କାଳନ୍ଦୀ ରାଉତ ଥାନାରେ ଅଭିଯୋଗ କରିଛନ୍ତି। ଧୀରଞ୍ଜନଙ୍କର ଘଟଣାସ୍ଥଳରେ ମୃତ୍ୟୁ  ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ନିମାପଡ଼ା ଡାକ୍ତରଖାନା ଏବଂ ପରେ କ୍ୟାପିଟାଲ୍‌ ହସ୍‌ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ଧୀରଞ୍ଜନଙ୍କୁ ମୃତ ଘୋଷଣା କରିବା ପରେ ଗତକାଲି ବିଳମ୍ବିତ ରାତିରେ ନିମାପଡ଼ା ଥାନା ପକ୍ଷରୁ ହତ୍ୟା ମାମଲା ରୁଜୁ ହୋଇଛି। ଆଜି ଅପରାହ୍ନରେ ଭୁବନେଶ୍ୱରରୁ ଧୀରଞ୍ଜନଙ୍କ  ଶବ ବ୍ୟବଚ୍ଛେଦ ହୋଇ ନିମାପଡ଼ା ଫେରିିବା ସମୟରେ ଗାଁର ଉତ୍ତ୍ୟକ୍ତ ଯୁବକମାନେ ଶବକୁ ଥାନାକୁ ନେଇ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବି କରିଥିଲେ। ପରେ ପୁଲିସ ଦିପିରଣ୍ଟା ଗ୍ରାମକୁ ଯାଇ ଅଭିଯୁକ୍ତ ପରୀକ୍ଷିତ ପ୍ରଧାନକୁ ଥାନାକୁ ନେଇ ଆସିଥଲା।

ସମ୍ବନ୍ଧିତ ଖବର