ଗଣେଶ ଭସାଣି ବେଳେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ଗୋପରେ ମହିଳା ଏସ୍‌ଆଇଙ୍କୁ ମାଡ଼

ପୁରୀ : ଆଜି ଗଣେଣ ଭସାଣି ସମୟରେ ଦୁଇଟି ସ୍ଥାନରେ ଘଟିଛି ଅଘଟଣ। ପୁରୀ ସମୁଦ୍ରକୂଳ ଥାନା ଅନ୍ତର୍ଗତ ଭିଆଇପି ରୋଡ୍‌ରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ବେଳେ ଗୋପ ଥାନାର ଜନୈକ ମହିଳା ସବ୍‌ଇନ୍‌ସ୍ପେକ୍ଟରଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରିଥିବା ଜଣାପଡ଼ିଛି। ଏହି ଦୁଇଟି ଘଟଣାକୁ ପୁରୀ ଏସପି ଡା. ସାର୍ଥକ ଷଡ଼ଙ୍ଗୀ ଗୁରୁତ୍ୱର ସହ ନେଇଛନ୍ତି। ଏଣିକି ଆଉ ରାତି ବେଳା ଗଣେଶ ଭସାଣି ହେବନାହିଁ, ଦିନବେଳା ହେବ ବୋଲି ଏସପି ଡା. ଷଡ଼ଙ୍ଗୀ କହିଛନ୍ତି।

ଖବର ନେବାରେ ଜଣାପଡ଼ିଛି ଯେ, ଭିଆଇପି ରୋଡ୍‌ ଅନନ୍ୟା ହୋଟେଲ ପାଖରେ କେତେକ ଯୁବକ ଗଣେଶ ପୂଜା କରିଥିଲେ। ଆଜି ସନ୍ଧ୍ୟାରେ ଅନୁଷ୍ଠାନର ସଦସ୍ୟମାନେ ଗଣେଶ ମୂର୍ତ୍ତିକୁ ଶୋଭାଯାତ୍ରାରେ ନେଇ ସମୁଦ୍ରରେ ବିସର୍ଜନ କରିବାକୁ ଯାଇଥିଲେ। ଭସାଣି ସମୟରେ ଲିଟୁ ନାମକ ଜନୈକ ଯୁବକଙ୍କ ମୋବାଇଲ ହଜି ଯାଇଥିଲା। ଲିଟୁଙ୍କ ମୋବାଇଲକୁ ମଙ୍ଗଳାଘାଟର ରାଜା, ମାନସ ଏବଂ ପକା ନେଇ ଯାଇଥିଲେ। ଭିଆଇପି ରୋଡ୍‌ସ୍ଥିତ ସ୍ୱସ୍ତିକ ଆପାର୍ଟମେଣ୍ଟ ପାଖରେ ରହୁଥିବା କୁନୁ ନାୟକ (୧୮) ମାନସ ପାଖରୁ ମୋବାଇଲ ଆଣି ଲିଟୁଙ୍କୁ ଦେଇଥିଲେ। ପରେ କୁନୁ ବୈଷ୍ଣବଦେବୀ ମନ୍ଦିର ଗଳିକୁ ଯାଉଥିବା ବେଳେ କୌଣସି ଦୁର୍ବୃତ୍ତ ତାଙ୍କ ପେଟରେ ଛୁରୀ ଭୁସି ଫେରାର ହୋଇ ଯାଇଥିଲା। ରକ୍ତାକ୍ତ ଅବସ୍ଥାରେ କୁନୁ ସେଠାରେ ପଡ଼ିଯିବା ପରେ ସାଙ୍ଗମାନେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ କୁନୁଙ୍କ ମୃତ୍ୟୁ ଘଟିଥିଲା। ସମୁଦ୍ରକୂଳ ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିଥିଲେ। ଏ ନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ମୂର୍ତ୍ତି ବିସର୍ଜନ ସମୟରେ ଥିବା ଯୁବକମାନେ ଏ ସମ୍ପର୍କରେ ସଠିକ ତଥ୍ୟ ଦେଇପାରୁନାହାନ୍ତି। ଘଟଣାସ୍ଥଳରେ ଏସ୍‌ପି ଡା. ଷଡ଼ଙ୍ଗୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ସିଟି ଡିଏସ୍‌ପି, ଟାଉନ ଥାନା ଆଇଆଇସି ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସେହିପରି ଗୋପ ଥାନା ଇଲାକା ସେନାପତି ସାହି ଗଣେଶ ମୂର୍ତ୍ତି ବିସର୍ଜନ ଚାଲୁଥିବା ବେଳେ ରାସ୍ତାରେ ଯାଉଥିବା ଏକ ଟ୍ରକକୁ ଯୁବକମାନେ ସାଇଡ୍‌ ଦେଇନଥିଲେ। ଡ୍ୟୁଟିରେ ଥିବା ହୋମ୍‌ଗାର୍ଡମାନେ ଟ୍ରକ୍‌କୁ ସାଇଡ୍‌ ଦେବାକୁ କହିବାରୁ ଯୁବକମାନଙ୍କ ସହିତ ତାଙ୍କର ବଚସା ହୋଇଥିଲା। ଏହି ସମୟରେ ପୁଲିସ ପାଟ୍ରୋଲିଂ ଜିପ୍‌ ନେଇ ସେଠାରେ ମହିଳା ଏସ୍‌ଆଇ ସ୍ୱର୍ଣ୍ଣପ୍ରଭା ଜେନା ପହଞ୍ଚିଥିଲେ। ହୋମଗାର୍ଡମାନଙ୍କୁ କାହିଁକି ଦୁର୍ବ୍ୟବହାର କରୁଛ ବୋଲି ଏସ୍‌ଆଇ ଜେନା କହିବାରୁ ଯୁବକମାନେ ତାଙ୍କୁ ଗାଳିଗୁଲଜ କରିବା ସହିତ ଠେଲାପେଲା କରିଥିଲେ। ଏମିତିକି ତାଙ୍କୁ କେତେକ ଯୁବକ ମାଡ଼ ମଧ୍ୟ ମାରିଥିଲେ। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଘଟଣାସ୍ଥଳରୁ ବୁବୁ ସେନାପତି ନାମକ ଜଣେ ଯୁବକକୁ ଥାନାକୁ ନେଇ ଆସିଥିଲେ। ଏ ସମ୍ପର୍କରେ ଗୋପ ଥାନା ଆଇଆଇସି ରଞ୍ଜନ ସାହୁଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଥାନାର ମହିଳା ଏସ୍‌ଆଇଙ୍କୁ ଠେଲାପେଲା ଓ ମାଡ଼ ମାରିଥିବା ଅଭିଯୁକ୍ତ ବୁବୁକୁ ପୁଲିସ ଗିରଫ କରିଛି। ଏ ନେଇ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଛି।

ସମ୍ବନ୍ଧିତ ଖବର