ଯୁବକଙ୍କ ଭଙ୍ଗାରୁଜା

ପୁରୀ : ବଡ଼ଦାଣ୍ଡରେ ଥିବା ଏକ ରେସ୍ତୁରାଁ ଆଜି ରକ୍ତରଂଜିତ ହୋଇଛି। ରାତି ପ୍ରାୟ ସାଢ଼େ ୧୦ଟାରେ ମାଉସୀ ମା’ ମନ୍ଦିର ସମ୍ମୁଖ ଏକ ରେସ୍ତୁରାଁରେ ୧୦ରୁ ଅଧିକ ଯୁବକ ମାରଣାସ୍ତ୍ର ଧରି ବ୍ୟାପକ ଭଙ୍ଗାରୁଜ କରି ଆତଙ୍କ ରଚିଛନ୍ତି। ଏହି ଘଟଣାରେ ୫ରୁ ଅଧିକ ଯୁବକ ଆହତ ହୋଇଥିବା ବେଳେ ଭୟରେ ବଡ଼ଦାଣ୍ଡ ଦୋକାନ ବଜାର ସବୁ ବନ୍ଦ ହୋଇଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଆଜି ରାତି ପ୍ରାୟ ସାଢ଼େ ୧୦ଟାରେ କିଛି ଯୁବକ ଦୁଇଟି ଗାଡ଼ିରେ ଯିବା ସମୟରେ ମାଉସୀ ମା’ ମନ୍ଦିର ସମ୍ମୁଖ ନିର୍ବାଣ ନିବାସ ରେସ୍ତୁରାଁ ଆଗରେ ରଖାଯାଇଥିବା ବୋର୍ଡ଼ରେ ଧକ୍କା ଖାଇଥିଲେ। ଏହାକୁ ନେଇ ରେସ୍ତୁରାଁର କିଛି ଯୁବକ ସେମାନଙ୍କ ସହ ପାଟିତୁଣ୍ଡ କରିଥିଲେ। ବାଇକ୍‌ରେ ଯାଉଥିବା ଯୁବକମାନେ ସ୍ଥାନୀୟ ବଳଗଣ୍ଡି ଛକର ହୋଇଥିବାରୁ କିଛି ସମୟ ପରେ ମାତାଲ ଅବସ୍ଥାରେ ୧୦ରୁ ଅଧିକ ଯୁବକ ରେସ୍ତୁରାଁରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଖବର ପାଇ ପୁଲିସ ପହଞ୍ଚିଯିବାରୁ ଯୁବକମାନେ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଘଟଣାସ୍ଥଳରେ କିଛି ସମୟ ରହି ଚାଲି ଯିବା ପରେ ଛତ୍ରଭଙ୍ଗ ଦେଇଥିବା ଯୁବକମାନେ ପୁଣି ଆସି ଭଙ୍ଗାରୁଜା ଆରମ୍ଭ କରି ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକାରୀ ଯୁବକଙ୍କୁ ଧରି ଥାନାରେ ଅଟକ ରଖିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଛି। ଗଣ୍ଡଗୋଳକାରୀ ଯୁବକମାନଙ୍କ ମଧ୍ୟରୁ ବିରଞ୍ଚି ନାରାୟଣ ମିଶ୍ର (୨୫) ଗୁରୁତର ଆହତ ହୋଇ କଟକକୁ ସ୍ଥାନାନ୍ତର ହୋଇଛନ୍ତି।

ସମ୍ବନ୍ଧିତ ଖବର