‘ପୁଅ ମୋର ବଡ଼ଲୋକ’ ଗୀତରେ ଅଭିନୟ କରି ଚର୍ଚ୍ଚାରେ ପୂର୍ଣ୍ଣଚନ୍ଦ୍ର

ପ୍ରଶଂସକଙ୍କ ଲାଇକ ଓ କମେଣ୍ଟର ଛୁଟୁଛି ସୁଅ

ବୈଶିଙ୍ଗା: ଅନେକ ଲୋକଙ୍କୁ ନିଜ ଲୁକ୍କାୟିତ ପ୍ରତିଭାର ପ୍ରଦର୍ଶନ ପାଇଁ ସୁଯୋଗ ଆଣିଦେଇଛି ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ ଭଳି ସମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)। ଏଠାରେ ଅନାମଧେୟ ଲୋକେ ନିଜ ପ୍ରତିଭା ଦେଖାଇ ରାତାରାତି ପ୍ରସିଦ୍ଧି ହାସଲ କରୁଛନ୍ତି। ସେମିତି ଜଣେ ପ୍ରତିଭା ହେଲେ ବେତନଟୀ ବ୍ଲକ ପୁରୁଣିଆ ପଞ୍ଚାୟତ ନୂଆଗାଁ ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକ ଓରଫ ପୂର୍ଣ୍ଣ ଦାଦା (୫୨)। ‘ପୁଅ ମୋର ବଡ଼ଲୋକ’ ଗୀତ ସମେତ ଅହୁରି ଅନେକ ଗୀତର ତାଳେତାଳେ ତାଙ୍କର ମର୍ମ୍ମସ୍ପର୍ଶୀ ଅଭିନୟ ଏବେ ତାଙ୍କୁ ସାରା ଓଡ଼ିଶାରେ ପରିଚିତ କରାଇଦେଇଛି। ତାଙ୍କ ଅଭିନୀତ ଛୋଟ ଭିଡିଓ ଗୁଡ଼ିକରେ ଏବେ ଲକ୍ଷ ଲକ୍ଷ ଲୋକଙ୍କ ଲାଇକ ଓ କମେଣ୍ଟ ଆସୁଛି।

Sambad

ଏକ ଭଙ୍ଗା ଦଦରା ଆଜବେଷ୍ଟସ୍‌ ଘରେ ପତ୍ନୀ ଅନ୍ନପୂର୍ଣ୍ଣାଙ୍କ ସହିତ ରହୁଛନ୍ତି ପୂର୍ଣ୍ଣ ଦାଦା। ଏକ ମାତ୍ର ପୁଅ ତାମିଲନାଡୁରେ ସପତ୍ନୀକ ରହୁଛି। ପରିବାର ଚଳାଇବା ପାଇଁ ସେ ଗାଁ ଛକରେ ଏକ ପାନ ଦୋକାନ କରିଛନ୍ତି। ଛୋଟ ବେଳୁ ତାଙ୍କ ଭିତରେ ଅଭିନୟ କରିବାର ସଉକ୍‌ ଥିଲା। ତେବେ ଆର୍ଥିକ ଅନଟନ ଓ ପାରିବାରିକ ଜଞ୍ଜାଳ ଭିତରେ ସେ ଅଭିନୟ କ୍ଷେତ୍ରରେ ଆଗକୁ ବଢ଼ି ପାରିନଥିଲେ। ଗାଁରେ ନାଟକ ହେଲେ କିମ୍ବା ଛୋଟମୋଟ ଯାତ୍ରା ପାର୍ଟିରେ କେବେ କେମିତି ସୁଯୋଗ ମିଳିଲେ ଅଭିନୟ କରୁଥିଲେ। ଏବେ ପରିଣତ ବୟସରେ ନିଜ ସ୍ତ୍ରୀଙ୍କ ପ୍ରେରଣା ଓ ସ୍ଥାନୀୟ କିଛି ଯୁବକଙ୍କ ସହାୟତାରେ ସମାଜରେ ଘଟୁଥିବା ନିତିଦିନିଆ ଘଟଣାକୁ ନେଇ ରିଲ୍‌ (ଛୋଟ ଭିଡିଓ) ତିଆରି କରିଥିଲେ। ଏଥିରୁ ‘ପୁଅ ମୋର ବଡ଼ଲୋକ’ ଗୀତରେ ଅଭିନୟ ତାଙ୍କୁ ଆଣିଦେଇଛି ପ୍ରସିଦ୍ଧି। ଏହି ଗୀତରେ ତାଙ୍କର ଅଭିନୟ ଦେଖି ଲୋକଙ୍କ ଆଖିରେ ଲୁହ ଆସିଯାଉଛି। ଲୋକେ ତାଙ୍କ ଅଭିନୟକୁ ପସନ୍ଦ କରୁଥିବାରୁ ଆଗକୁ ମଧ୍ୟ ସମାଜକୁ ଭଲ ବାର୍ତ୍ତା ଦେବାଭଳି ଭିଡିଓ ତିଆରି କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର