ଫୁଲବାଣୀ/ଖଜୁରୀପଡ଼ା : ପ୍ରଖ୍ୟାତ ଲୋକକବି ତଥା ସନ୍ନ୍ୟାସିନୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଓରଫ ଟାଡ଼ିସରୁ ବାଇଙ୍କୁ ଆଜି ‘ସମ୍ବାଦ’ ପକ୍ଷରୁ ଖଜୁରୀପଡ଼ାସ୍ଥିତ ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରାଯାଇଛି। ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ଶାଖା ପରିଚାଳକ ସୁଶୀଲ କୁମାର ପ୍ରଧାନ ପଦ୍ମଶ୍ରୀ ପୂର୍ଣ୍ଣମାସୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ପୂର୍ଣ୍ଣମାସୀଙ୍କ ଭଳି ଜଣେ ବିସ୍ମୟ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରି ‘ସମ୍ବାଦ’ ଗର୍ବିତ ବୋଲି ଶାଖା ପରିଚାଳକ ଶ୍ରୀ ପ୍ରଧାନ କହିଥିଲେ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ‘ସମ୍ବାଦ’ କନ୍ଧମାଳ ଜିଲ୍ଲା ପ୍ରତିନିଧି ରଞ୍ଜନ ପ୍ରଧାନ, ପ୍ରସାର ବିଭାଗ ମୁଖ୍ୟ ପ୍ରମୋଦ କୁମାର ନାୟକ, ବିଜ୍ଞାପନ ଏକ୍ଜିକ୍ୟୁଟିଭ୍ ବସନ୍ତ କୁମାର ସ୍ବାଇଁ, ଖଜୁରୀପଡ଼ା ବ୍ଲକ ପ୍ରତିନିଧି ବଳଦେବ ବେହେରା ପ୍ରମୁଖ ପଦ୍ମଶ୍ରୀ ପୂର୍ଣ୍ଣମାସୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜ୍ଞାପନ କରିଥିଲେ। ସୂଚନାଯୋଗ୍ୟ, ପୂର୍ଣ୍ଣମାସୀଙ୍କ ନାମ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା ହେବା ପରେ କନ୍ଧମାଳ ଜିଲ୍ଲା କାହିଁକି, ସମଗ୍ର ଓଡ଼ିଶାରେ ଆନନ୍ଦର ଲହରୀ ଖେଳିଯାଇଛି। ଜଣେ ସମ୍ପୂର୍ଣ୍ଣ ନିରକ୍ଷର ଆଦିବାସୀ କନ୍ଧ ମହିଳା ଆଦୌ ସ୍କୁଲ୍ ଶିକ୍ଷା ଗ୍ରହଣ ନ କରି ମଧ୍ୟ ପୁରାଣ, ପୋଥିକୁ ଯେଉଁଭଳି ଭାବେ ଆୟତ୍ତ କରି ପାରିଛନ୍ତି, ତାହା ହିଁ ବିସ୍ମୟ। ସେ ଆଖିବୁଜି ଗାଇ ପାରନ୍ତି ରାମାୟଣ, ମହାଭାରତ ଓ ଭାଗବତ ଭଳି ପୁରାଣ। ପାଠଘରେ ଶୂନ ହେଲେ କ'ଣ ହେବ, ସେ ସୃଷ୍ଟି କରି ପାରିଛନ୍ତି ରାଶିରାଶି ଭକ୍ତିରସପୂର୍ଣ୍ଣ ଭଜନ, ଜଣାଣ, ସ୍ତୁତି ଓ ଛାନ୍ଦ। ତାଙ୍କ ମୁଖନିଃସୃତ ୨୦ ହଜାର ଭଜନ, ଜଣାଣ ଲିପିବଦ୍ଧ କରାଯିବା ସହ ରେକର୍ଡିଂ କରି ରଖାଯାଇଛି। ଆଜି ତାଙ୍କ ଦ୍ବାରା ସୃଷ୍ଟି ଭଜନ, ଜଣାଣ, ଛାନ୍ଦ, ଚଉତିଶାକୁ ନେଇ ବହୁ ଉଚ୍ଚତର ଗବେଷଣା ହୋଇଛି। ବହୁ ଗବେଷକ ତାଙ୍କ ଉପରେ ଗବେଷଣା କରି ପିଏଚ୍ଡି ଲାଭ କରିଛନ୍ତି। ସେ ଏକାଧାରରେ କନ୍ଧମାଳ ଜିଲ୍ଲାର ଚାରଣ କବି, ସନ୍ନ୍ୟାସିନୀ ଓ ଜଣେ ବିଷ୍ଣୁ ଉପାସିକା ଭାବେ ପରିଚିତ। ବୈଷ୍ଣବ ସାହିତ୍ୟକୁ ଲୋକପ୍ରିୟ କରିବାରେ ତାଙ୍କ ଅବଦାନ ଅବିସ୍ମରଣୀୟ। ତାଙ୍କୁ ଓଡ଼ିଆ ସିଦ୍ଧ କବିତାର ଶେଷ ସନ୍ତକ ବୋଲି ବିବେଚନା କରାଯାଉଛି।
୧୯୪୪ ମସିହାରେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ପୂର୍ଣ୍ଣମାସୀ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ନୀଳକଣ୍ଠ ଜାନୀ ଏବଂ ମାତାଙ୍କ ନାମ ରାଣୀମତି ଜାନୀ। ପୂର୍ଣ୍ଣମାସୀଙ୍କ ପିତା ଜଣେ ଶିକ୍ଷକ ଥିଲେ ମଧ୍ୟ ସେ ସମୟରେ ଗ୍ରାମାଞ୍ଚଳରେ ନାରୀ ଶିକ୍ଷା କ୍ଷେତ୍ରରେ ବହୁ ପ୍ରତିବନ୍ଧକ ଥିବାରୁ ସେ ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ ଥିଲେ। ସନ୍ଥକବି ଭୀମ ଭୋଇଙ୍କ ଭଳି ପୂର୍ଣ୍ଣମାସୀ ରାଶିରାଶି ଭଜନ, ଜଣାଣ ସୃଷ୍ଟି କରି ଓଡ଼ିଆ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛନ୍ତି। ସେ ଘଣ୍ଟା ଘଣ୍ଟା ଧରି ଆଧ୍ୟାତ୍ମିକ ପ୍ରବଚନ ଦେଇ ଶ୍ରୋତାମଣ୍ଡଳୀକୁ ସ୍ତବ୍ଧ କରି ପାରନ୍ତି।
ଆତ୍ମିକ ଦୃଷ୍ଟିରୁ ପୂର୍ଣ୍ଣମାସୀଙ୍କ ଭଜନଗୁଡ଼ିକ ଭକ୍ତି, ପ୍ରେମ, ଶ୍ରଦ୍ଧା, ଯୋଗ, ଧ୍ୟାନ, ନାମପ୍ରେମ ଓ ସଗୁଣ ନିର୍ଗୁଣ ଉପାସନାରେ ପରିପୂର୍ଣ୍ଣ। ସେଥିରେ ରହିଛି ଶୂନ୍ୟତତ୍ତ୍ବ, ଜୀବ ପରମ ତତ୍ତ୍ବ, ଶରୀର ଭେଦ ସାଧନ ତତ୍ତ୍ବ, ରାଧାକୃଷ୍ଣ ଲୀଳା, ଶ୍ରୀଗୁରୁ ସ୍ତୁତି, ଜଗନ୍ନାଥ ସ୍ତୁତି, ନାମ ମାହାତ୍ମ୍ୟ, ମନବାଇ ଗୀତ, ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ବ। ତାଙ୍କ ସାରସ୍ବତ ସୃଷ୍ଟି ଅତ୍ୟନ୍ତ ମାର୍ଜିତ ଓ ରୁଚିପୂର୍ଣ୍ଣ। ତାଙ୍କ ପଦ୍ୟାବଳୀରେ ରାଧାକୃଷ୍ଣ ପ୍ରେମ, ଗୋପଲୀଳା, ଯମୁନା କୂଳ, କଦମ୍ବମୂଳ, ବଂଶୀସ୍ବର ଓ କୃଷ୍ଣପ୍ରେମ ଚେତନା ସ୍ପଷ୍ଟ ପ୍ରତିଫଳିତ। ତାଙ୍କ ଭଜନ ଓ ଜଣାଣ ସମଗ୍ର କନ୍ଧମାଳ ଜିଲ୍ଲାରେ ଲୋକପ୍ରିୟ ହୋଇପାରିଛି। ତାଙ୍କର ଅନେକ କବିତା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକା ବଚନ ଭଳି ରହସ୍ୟମୟ ଓ ଗଭୀର ଅର୍ଥପୂର୍ଣ୍ଣ ଭଳି ମନେ ହୁଏ। କୁହାଯାଏ, ତାଙ୍କ ଶରୀରରେ ତାଙ୍କ ଗୁରୁ ଟାଡିସରୁ ମୁନିଙ୍କ ଆତ୍ମା ସବାର ହେଲେ ସେ ଅନନ୍ୟ ଶକ୍ତିର ଅଧିକାରିଣୀ ହୋଇ ଉଠନ୍ତି ଏବଂ ତାଙ୍କ ମୁହଁରୁ ଅନର୍ଗଳ ଭଜନ, ଜଣାଣ ନିଃସୃତ ହୋଇଥାଏ।
ପୂର୍ଣ୍ଣମାସୀ ୬ଟି ସନ୍ତାନ ଜନ୍ମ ଦେଇଥିଲେ ମଧ୍ୟ ସମସ୍ତ ସନ୍ତାନଙ୍କର ପରଲୋକ ହୋଇ ଯାଇଥିଲା। ଏହି ଦୁଃଖ ପୂର୍ଣ୍ଣମାସୀଙ୍କୁ ଗଭୀର ଆଘାତ ଦେଇଥିଲା ଏବଂ ପରବର୍ତ୍ତୀ ସମୟରେ ପୂର୍ଣ୍ଣମାସୀ ସନ୍ନ୍ୟାସିନୀ ପାଲଟି ଯାଇଥିଲେ। ପୂର୍ଣ୍ଣମାସୀ ଜଙ୍ଗଲରେ ଏକ ପାହାଡ଼ ଗୁମ୍ଫାରେ ରହି ସନ୍ଥ ଜୀବନ ବିତାଇଥିଲେ। ୧୯୬୯ ମସିହାରେ ପୂର୍ଣ୍ଣମାସୀ ଟିକାବାଲି ନିକଟସ୍ଥ ବପଲମେଣ୍ଡି ପାହାଡ଼ (ଟାଡିସରୁ) ପାଦଦେଶରେ ତପସ୍ୟା କରି ନିର୍ବାଣପ୍ରାପ୍ତ ହୋଇଥିଲେ। କୁଇ ଭାଷାରେ 'ଟାଡି' ଅର୍ଥ ଉଚ୍ଚ ଏବଂ 'ସରୁ' ଅର୍ଥ ପାହାଡ଼। ପୂର୍ଣ୍ଣମାସୀ ବପଲମେଣ୍ଡି ଭଳି ଏକ ଉଚ୍ଚ ପାହାଡ଼ରେ କଠୋର ତପସ୍ୟା କରି ସିଦ୍ଧିଲାଭ କରିଥିବାରୁ ସେ ଟାଡିସରୁ ବାଇ ଭାବେ ପରିଚିତ ହୋଇଛନ୍ତି।