ୟୁକ୍ରେନ୍‌ରୁ ଫେରିଲେ ଡାକ୍ତରୀ ଛାତ୍ରୀ ପୂର୍ଣ୍ଣିମା; ଆଶ୍ବସ୍ତ ପରିବାର, ସରକାରଙ୍କୁ ଜଣାଇଲେ କୃତଜ୍ଞତା

ମୋହନା: ପିଣ୍ତିକି ବାସିନ୍ଦା ଗଣେଶ ଚୌଧୁରୀଙ୍କ ସାନଝିଅ ପୂର୍ଣ୍ଣିମା ଚୌଧୁରୀ ଆଜି ୟୁକ୍ରେନରୁ ଫେରିଛନ୍ତି। ସେ ନିର୍ବିଘ୍ନରେ ଫେରି ଆସିଥିବାରୁ ପରିବାରବର୍ଗ ଆଶ୍ବସ୍ତି ପ୍ରକାଶ କରିବା ସହ ଭାରତ ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି। ପୂର୍ଣ୍ଣିମା ଡାକ୍ତରୀ ପାଠପଢିବା ପାଇଁ ୟୁକ୍ରେନ୍‌ର ଡିନିପ୍ରୋ ଷ୍ଟେଟ୍‌ ମେଡିକାଲ ୟୁନିଭରସିଟିରେ ୨୦୧୬ ମସିହାରେ ନାମ ଲେଖାଇଥିଲେ। ପୂର୍ଣ୍ଣିମାଙ୍କର ଏହି ବର୍ଷ ପଢାର ଅନ୍ତିମ ବର୍ଷ ଥିଲା। ବର୍ତ୍ତମାନ ଋଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ହୋଇଥିବା ଯୋଗୁଁ ପୂର୍ଣ୍ଣିମା ପାଠପଢ଼ା ସମ୍ପୂର୍ଣ୍ଣ କରି ନ ପାରି ନିଜ ଗ୍ରାମକୁ ଫେରି ଆସିଛନ୍ତି। ପୂର୍ଣ୍ଣିମାଙ୍କ କହିବା ପ୍ରକାରେ ସେ ୟୁକ୍ରେନର ଯେଉଁ ଡିନିପ୍ରୋ ସହରରେ ରହୁଥିଲେ ସେହି ସହରରେ ପ୍ରଥମ କରି ସକାଳ ସମୟରେ ମିସାଇଲ ପଡ଼ିଥିଲା। ସେ ଶଦ୍ଦ ଶୁଣି ଭୟଭୀତ ହୋଇ ପଡ଼ିଥିଲେ। ସହରରୁ ଆସିବା ଭିତରେ ୨ଟି ମିସାଇଲ ପଡ଼ିଥିଲା। ଗୋଟିଏ ମିସାଇଲ ସେ ରହୁଥିବା ସ୍ଥାନ ଠାରୁ କେବଳ ୨୦ରୁ ୨୫ କିମି ଦୂରରେ ପଡ଼ିଥିଲା। ତାଙ୍କ ହଷ୍ଟେଲର ଝରକା କବାଟ ସବୁ ସେହି ଶଦ୍ଦ ଦ୍ବାରା ଦୋହଲି ଉଠିଥିଲା। ସେହିଦିନ ପରଠୁ ସେ ଏବ˚ ତାଙ୍କ ସହପାଠୀମାନେ କେମିତି ଶୀଘ୍ର ଘରକୁ ଫେରିବେ, ସେହି ଚିନ୍ତାରେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ। କିନ୍ତୁ, ଭାରତ ସରକାରଙ୍କ ପ୍ରଚେଷ୍ଟା ଯୋଗୁଁ ବିମାନର ବ୍ୟବସ୍ଥା ହୋଇଥିଲା। ସେଠାରୁ ବସ୍‌ର ବ୍ୟବସ୍ଥା କରି ପ୍ରାୟ ୩୬ ଘଣ୍ଟାର ଯାତ୍ରା ଶେଷ କରି ୟୁକ୍ରେନର ଚପ୍‌ ରେଳଷ୍ଟେସନରେ ପହଁଚିଥିଲେ। ସେଠାରୁ ହଙ୍ଗେରୀର ଜୋହାନିହୋଡର‌୍‌ରେ ପହଁଚିଥିଲେ। ସେଠାରୁ ପୁଣି ୪ ଘଣ୍ଟାର ରେଳଯାତ୍ରା କରି ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରେ ଏମ୍ବାସିର ସହାୟତାରେ ପହଁଚିଥିଲେ। ବୁଦାପେଷ୍ଟର ଏମ୍ବାସି ତାଙ୍କ ପାଇଁ ରହିବା ଓ ଖାଇବାର ବ୍ୟବସ୍ଥା କରିଥିଲେ। ଗୋଟିଏ ଦିନ ପରେ ପୁଣି ବସ୍‌ ସହାୟତାରେ ବିମାନବନ୍ଦରକୁ ପହଁଚିଥିଲେ।

ଏମ୍ବାସି ଡାକ୍ତରୀ ଛାତ୍ରମାନଙ୍କୁ ବିମାନ ବନ୍ଦରରେ ଛାଡ଼ିବା ପରେ ସେମାନେ ବହୁତ ସମୟ ଅପେକ୍ଷା କରିଥିଲେ। ତାପରେ ଭାରତ ସରକାରଙ୍କ ଦ୍ବାରା ବ୍ୟବସ୍ଥା କରାଯାଇ ଭାରତୀୟ ଆର୍ମି ବିମାନ ସି -୧୭ରେ ଇମିଗ୍ରେସନ ପ୍ରୋସେସ୍ ସାରି ଆର୍ମି ଅଫିସରଙ୍କ ସହାୟତାରେ ସେଥିରେ ଯାତ୍ରା କରି ହିଲଡନ୍‌ ଆର୍ମୀ ବେସ୍‌ରେ ପହଞ୍ଚିଥିଲେ। ସେଠାରୁ ପୁଣି ବ୍ୟବସ୍ଥା କରି ଦିଲ୍ଲୀର ଓଡ଼ିଶା ନିବାସକୁ ସେମାନଙ୍କୁ ଅଣାଯାଇଥିଲା। ତା’ ପରଦିନ ଓଡ଼ିଶା ସରକାରଙ୍କ ସହାୟତାରେ ସକାଳୁ ସକାଳୁ ସମସ୍ତେ ଭୁବନେଶ୍ବର ବିମାନବନ୍ଦରରେ ଆସି ପହଁଚିଥିଲେ। ସେଠାରେ ତାଙ୍କ ପାଇଁ ହେଲପ୍‌ ଡେସ୍କ ରହିଥିଲା ପିଲାଙ୍କୁ ନିଜ ନିଜ ଘରେ ଛାଡ଼ିବା ପାଇଁ। ୭ ଦିନର ଦୀର୍ଘ ଯାତ୍ରା ପରେ ଶେଷରେ ପୂର୍ଣ୍ଣିମା ନିଜ ଘରକୁ ପହଞ୍ଚି ପାରିଛନ୍ତି। ଝିଅର ଆସିବା ବାଟକୁ ଚାହିଁ ରହିଥିବା ପରିବାର ଲୋକ ଆଶ୍ବସ୍ତି ପ୍ରକାଶ କରିଛନ୍ତି। ଏଭଳି, ଜରୁରୀକାଳୀନ ପରିସ୍ଥିତିରେ ଭାରତ ସରକାର ଏବ˚ ଓଡ଼ିଶା ସରକାରଙ୍କ ପ୍ରୟାସ ଯୋଗୁ ପୂର୍ଣ୍ଣିମା ନିଜ ଘରେ ସୁରକ୍ଷିତ ଅବସ୍ଥାରେ ପହଞ୍ଚି ପାରିଥିବାରୁ ପୂର୍ଣ୍ଣିମାଙ୍କ ସମେତ ତାଙ୍କ ବାବା ଗଣେଶ ଚୌଧୁରୀ, ବଡ଼ଭଊଣୀ ଲତିକା, ଦାଦା ନୃସିଂହ ଚୌଧୁରୀ, ଲକ୍ଷ୍ଣଣ ଚୌଧୁରୀ, ପିୟୁସି ନାନି ଯଶୋବନ୍ତୀ, ନିନି, କୃଷ୍ଣା, କମଳା, ସୁନିଲ ପ୍ରମୁଖ ଭାରତ ସରକାର ଓ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର