ଭିଡିଓ: କୁକୁଡ଼ା ଖାଉଥିବା ବେଳେ ଉଦ୍ଧାର ହେଲା ୧୦ ଫୁଟ ଲମ୍ବା ଅଜଗର ସାପ

ମାଲକାନଗିରି: ସ୍ଥାନୀୟ ଝାଟିମାଟି କଲୋନିରୁ ୧୦ ଫୁଟ ଲମ୍ବାର ଅଜଗର ସାପକୁ ଉଦ୍ଧାର କରାଯାଇଛି। ବରୁଣ ମଣ୍ଡଲଙ୍କ ଘରେ ପଶି କୁକୁଡ଼ା ଖାଉଥିବା ସମୟରେ ପରିବାର ଲୋକେ ଅଜଗର ସାପକୁ ଦେଖିଥିଲେ। ଏନେଇ ସୂଚନା ମିଳିବା ପରେ ସ୍ନେକ ହେଲପ୍‌ଲାଇନ୍‌ର ସଦସ୍ୟମାନେ ପହଞ୍ଚି ଉଦ୍ଧାର କରିଥିଲେ ମଧ୍ୟ ଶ୍ୱାସ ରୁଦ୍ଧ ହୋଇ ଦୀର୍ଘ ସମୟ ଧରି ରହିଥିଲା। ବୟସ୍କ ଅଜଗରଟିର ଓଜନ ପ୍ରାୟ ୨୦ କିଲୋଗ୍ରାମ ହେବ ବୋଲି କୁହାଯାଉଛି। ତାକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମାଲକାନଗିରି ସହର ଏବଂ ଆଖପାଖ ଅଞ୍ଚଳରୁ ଚଳିତ ବର୍ଷ ୨୦ରୁ ଉର୍ଦ୍ଧ୍ୱ ଅଜଗର ସାପ ଉଦ୍ଧାର ହୋଇ ସାରିଲେଣି। ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ଜନବସତି ଆଡ଼କୁ ଚାଲି ଆସୁଥିବା ଅନୁମାନ କରାଯାଉଛି। ଘରେ ପଶି କୁକୁଡ଼ା ଖାଇବା ସମୟରେ ଅଧିକାଂଶ ସାପ ଉଦ୍ଧାର ହୋଇଛନ୍ତି। ତେବେ କୌଣସି ଲୋକଙ୍କ ଉପରେ ଆଜି ସୁଦ୍ଧା ଅଜଗର ଆକ୍ରମଣ କରିଥିବା ଖବର ମିଳିନାହିଁ। ତଥାପି ଲୋକେ ଚିନ୍ତାରେ ରହିଛନ୍ତି।

ପ୍ରତିବର୍ଷ ବର୍ଷା ଋତୁ ଆସିଲେ ଅଜଗର ଜଙ୍ଗଲରୁ ସହର ମୁହାଁ ହେଉଥିବା ବେଳେ କୌଣସି ମୂହୁର୍ତ୍ତରେ ପିଲାଙ୍କ ଉପରେ ଆକ୍ରମଣ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି କୁହାଯାଉଛି। ବନ ବିଭାଗ ତରଫରୁ ଅଜଗର ଉଦ୍ଧାର ସହ ଜନବସତିକୁ ଯେମିତି ନ ଆସିବେ ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର