ଅଜଗର ସାପ ଉଦ୍ଧାର: ଥୋଡ଼ିରେ ମାଡ଼ ହୋଇଥିବାରୁ ଚାଲିଛି ଚିକିତ୍ସା

ଜୟପୁର: ଗତ କାଲି ରାତି ୯ଟା ବେଳେ ଜୟପୁର ସହର ନିକଟବର୍ତ୍ତୀ ଓସିସି କଲୋନୀର ସିମେଣ୍ଟ ଷ୍ଠୋର କଲୋନୀ ଯିବା ରାସ୍ତାରୁ ୧୫ଫୁଟର ଅଜଗର ସାପ ଉଦ୍ଧାର କରାଯାଇଛି। ରାତିରେ ଏହି କଲୋନୀକୁ ଯିବା ରାସ୍ତାରେ ସାଫଟି ଅତିକ୍ରମ କରୁଥିଲା। ତେବେ ଏତେ ବଡ଼ ସାପକୁ ଦେଖି ସାହି ବାସିନ୍ଦା ଭୟ ପ୍ରକାଶ କରି ସ୍ନେକ୍ ହେଲ୍ପ ଲାଇନ୍ ‘ୱାରଟିମ୍(ୱାଇଲଡ୍ ଏନିମାଲ୍ ରେସ୍କ୍ୟୁ ଟିମ୍ ଅନ୍ ଏନଭାଇରମେଣ୍ଟାଲ ଆୱାରନେସ୍ ଏଣ୍ଡ ମ୍ୟାନଜମ୍ୟାଣ୍ଟ)ର କୃଷ୍ଣ କେଶବ ଷଡ଼ଙ୍ଗୀକୁ ଜଣାଇଥିଲେ।

ସେ ତୁରନ୍ତ ନିଜ ଟିମ୍ ନେଇ ସେଠାକୁ ଯାଇ ଏହି ଅଜଗର ସାପକୁ ଉଦ୍ଧାର କରି ଜୟପୁର ବନଖଣ୍ଡ ରେଂଜ କାର୍ଯ୍ୟାଳୟକୁ ଆଣିଥିଲେ। ସାପଟିର ଥୋଡ଼ିରେ ମାଡ଼ ଥିବାରୁ ତାକୁ ନେଇ ପ୍ରାଣୀଧନ ଡାକ୍ତରଙ୍କ ଠାରେ ଚିକିତ୍ସିତ କରାଇଥିଲେ। ସାପଟି ସୁସ୍ଥ ନ ହେବା ପର୍ଯ୍ୟନ୍ତ ତାକୁ ଜୟପୁର ରେଂଜ କାର୍ଯ୍ୟାଳୟ ପରିସରରେ ରଖାଯିବ। ଏହା ପରେ ଡିଏଫଓଙ୍କ ନିର୍ଦେଶରେ ଜଙ୍ଗଲରେ ଛଡ଼ାଯିବ ବୋଲି କହିଛନ୍ତି କୃଷ୍ଣ କେଶବ ଷଡ଼ଙ୍ଗୀ। ସାପଟିର ଓଜନ ୨୦କିଲୋ ଏବଂ ୧୦ବର୍ଷ ହେବ ବୋଲି ସେ କହିଛନ୍ତି।

ଏଭଳି ବିରଳ ସାପର ସୁରକ୍ଷା ନିହାତି ଜରୁରୀ। ଦିନକୁ ଦିନ ଏମାନଙ୍କର ସଂଖ୍ୟା କମି ଆସୁଥିବାରୁ ସାପକୁ ଉନ୍ନତ ଚିକିତ୍ସା କରାଇବା ଆବଶ୍ୟକ। ୱାରଟିମ୍ ପକ୍ଷରୁ ଗତ କିଛି ଦିନ ଧରି ଜୟପୁର ସହର ଓ ଆଖପାଖ ଅଂଚଳରେ ସାପ, ବଜ୍ରକାପ୍ତା ଆଦି ଉଦ୍ଧାର କରି ସେମାନଙ୍କ ସୁରକ୍ଷା ଦିଗରେ କରୁଥିବା କାମକୁ ନେଇ ସାଧାରଣରେ ପ୍ରଶଂସା କରାଯାଉଛି।

ସମ୍ବନ୍ଧିତ ଖବର