କ୍ବାକଙ୍କୁ ନିର୍ମମ ହତ୍ୟା; ଶବ ପୋତି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କଲେ ଦୁର୍ବୃତ୍ତ

ବେଗୁନିଆପଡ଼ା/ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଦପଲ୍ଲୀ ପଞ୍ଚାୟତ ଗୁଣ୍ଡୁରିପଲ୍ଲୀ ରାସ୍ତା ବାଘମରା ନାଳ ନିକଟରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଜଣେ କ୍ବାକ୍‌ଙ୍କୁ ହତ୍ୟା କରି ଶବ ପୋତି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଛନ୍ତି। ଖବର ପାଇ ଖଲ୍ଲିକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତକ ଜଣଙ୍କ କୋଦଳା ଥାନା ଅନ୍ତର୍ଗତ ଶାଙ୍କୁଡ଼ା ଗ୍ରାମର ଜୟ ମହାନ୍ତି(୬୩) ବୋଲି ପୁଲିସ କହିଛି। ତାଙ୍କୁ କାହିଁକି ହତ୍ୟା କରାଗଲା ତାହା ସ୍ପଷ୍ଟ ହୋଇ ନାହିଁ। ପୁଲିସ ଏ ନେଇ ଅଧିକ ଖୋଳତାଡ଼ ଆରମ୍ଭ କରିଛି।

ଶାଙ୍କୁଡ଼ା ଗ୍ରାମର ଜୟ କ୍ବାକ୍‌ ଭାବେ କାମ କରୁଥିଲେ। ସେ ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ଚିକିତ୍ସା କରୁଥିଲେ। ସବୁଦିନ ପରି ଆଜି ଅପରାହ୍ଣରେ ଜୟ ନିଜର ସାଇକେଲରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଓ ଗୁଣ୍ଡୁରିପଲ୍ଲୀ ଅଭିମୁଖେ ଯାଇଥିଲେ। ହେଲେ ସଂଧ୍ୟା ସୁଦ୍ଧା ସେ ଘରକୁ ଫେରି ନଥିଲେ। ସେହି ରାସ୍ତାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ଶାଙ୍କୁଡ଼ାର କିଛି ବ୍ୟକ୍ତି ସେଠାକୁ ଯିବା ପରେ ରାସ୍ତାକଡ଼ରେ ଜୟଙ୍କ ସାଇକେଲ ଓ ଚପଲ ପଡ଼ିଥିବା ଦେଖିବାକୁ ମିଳିଥିଲା। ହେଲେ ଜୟଙ୍କ କୌଣସି ପତ୍ତା ମିଳି ନଥିଲା।

ଖବର ପାଇ ଖଲ୍ଲିକୋଟ ଥାନା ଓ ଭେଜିପୁଟ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସଂଧାନ ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରେ ଖୋଜିବା ପରେ ଏକ ବିଲରେ ଗାତ ଭିତରେ ଜୟଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଶବ ଉପରେ ଉପରେ କିଛି ଗଛ ଡାଳ ପକା ଯାଇଥିଲା। ଦୁର୍ବୃତ୍ତମାନେ ଜୟଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଶବ ପୋତିବାକୁ ଉଦ୍ୟମ କରିଥିଲେ। ବିଫଳ ହେବାରୁ ଶବ ଉପରେ ଗଛ ଡାଳ ପକାଇ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିବା ପୁଲିସ ଅନୁମାନ କରୁଛି। ଆସନ୍ତାକାଲି ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍‌ର ଉପସ୍ଥିତିରେ ଗାତ ଭିତରୁ ଶବ ବାହାର କରାଯିବ। ଜୟଙ୍କ ବେକରେ କଟା ଚିହ୍ନ ରହିଥିବା ବେଳେ ମୁଣ୍ଡରେ ଆଘାତ ଲାଗିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର