ମାଲକାନଗିରିରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର, କ୍ବାକ୍ କରୁଛନ୍ତି ରୋଗୀ ଚିକିତ୍ସା, ଗଛରେ ବନ୍ଧାଯାଇଛି ସାଲାଇନ ବୋତଲ

ପଡିଆ : ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଗିରିକାନପଲ୍ଲି ପଞ୍ଚାୟତ ଅନ୍ତର୍ଗତ ଇତଲଗୁଡା ଗ୍ରାମରେ ଦେଖିବାକୁ ମିଳିଛି ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ।  ଶରୀର ଅସୁସ୍ଥ ହେଲେ ଲୋକେ ନିକଟସ୍ଥ ଡାକ୍ତରଖାନା, ଉପ-ଡାକ୍ତରଖାନା କିମ୍ବା ଏଏନମ ଓ ଆଶା ଦିଦିଙ୍କ ପାଖକୁ ନଯାଇ ସ୍ଥାନୀୟ କ୍ବାକ୍ (ନକଲି ଡାକ୍ତର) ପାଖକୁ ଯାଉଛନ୍ତି । କ୍ବାକ୍ ମଧ୍ୟ ଅଭିଜ୍ଞ ଡାକ୍ତରଙ୍କ ଭଳି ରୋଗୀଙ୍କୁ ଔଷଧ, ଇଞ୍ଜେକସନ ଓ ସାଲାଇନ୍ ଦେଉଛନ୍ତି ।

 ଗତକାଲି ଏହି ଗ୍ରାମରେ ସ୍ଥାନୀୟ ଅଞ୍ଚଳର ଜଣେ କ୍ବାକ୍ କିଛି ରୋଗୀଙ୍କୁ ମାଟି ଚଟାଣରେ ବିଛଣା ଉପରେ ଶୁଆଇ ପାଖରେ ଥିବା ଏକ ଗଛରେ ସାଲାଇନ ବୋତଲକୁ ବାନ୍ଧି ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା। ଏଥିସହ ଖୋଲା ଆକାଶ ତଳେ ରୋଗୀଙ୍କୁ ଇଞ୍ଜେକସନ ଦେବା ସହ ଅଭିଜ୍ଞ ଡାକ୍ତରଙ୍କ ଭଳି ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳର ଅନେକ ସଂଖ୍ୟାରେ ରୋଗୀ କ୍ବାକଙ୍କ ଆତ୍ମବିଶ୍ୱାସ ଭରା କଥା ଓ ଯାଦୁକାରୀ ହାତ ଭାବି ଏଭଳି ଚିକିତ୍ସିତ ହେଉଥିବା ବେଳେ ସବୁ ଜାଣି ସୁଦ୍ଧା ସ୍ୱାସ୍ଥ୍ୟ ବିଭାଗ ନୀରବଦ୍ରଷ୍ଟା ସାଜିଛି । ଯାହାଫଳରେ ଶହ ଶହ ସଂଖ୍ୟାରେ ରୋଗୀ ଏହି କ୍ବାକଙ୍କଠାରେ ଚିକିତ୍ସିତ ହୋଇ ବିପଦରେ ପଡ଼ୁଛନ୍ତି ।

ବିଗତ ଦିନରେ ପଡିଆ ବ୍ଳକ ଶିମିଳିବାଞ୍ଛା ପଞ୍ଚାୟତ ରେ ଲସି ପିଇ ଗୁରୁତର ହୋଇଥିବା ଜଣେ ନାବାଳିକା ଏଭଳି କ୍ବାକ୍ ହାତରେ ଚିକିତ୍ସିତ ହୋଇ ମୃତ୍ୟୁମୁଖରେ ପଡିଥିବା ବେଳେ ଦୁର୍ଗମ ଅଞ୍ଚଳରେ ଏଭଳି ଏକାଧିକ ଘଟଣା ଘଟୁଥିଲେ ମଧ୍ୟ ତାହା ସମ୍ମୁଖକୁ ଆସୁନଥିବା କୁହାଯାଉଛି। ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ଘଟଣା ସମ୍ମୁଖକୁ ଆସିଲେ ଆଖିଦୃଶିଆ କାର୍ଯ୍ୟନୁଷ୍ଠାନ ଗ୍ରହଣ ପରିବର୍ତେ କେବଳ ସଜାଗ କରି ଛାଡ଼ି ଦିଆଯାଉଥିବାରୁ ଦୁର୍ଗମ ଅଞ୍ଚଳରେ କ୍ବାକ୍ଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଉଛି। ଏପରିସ୍ଥିତିରେ ଗ୍ରାମାଞ୍ଚଳରେ କାୟା ବିସ୍ତାର କରିଥିବା ଏହି କ୍ବାକ୍ ଙ୍କୁ ତୁରନ୍ତ ଚିହ୍ନଟ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି କରାଯାଉଛି ।

ସମ୍ବନ୍ଧିତ ଖବର