ଭଦ୍ରକ: ଭଦ୍ରକ ଜିଲ୍ଲାର ଜଣେ ଜଣାଶୁଣା ରାଜନେତା, ବରିଷ୍ଠ ନାଗରିକ ତଥା ସାହିତ୍ୟିକ ସାଧୁଚରଣ ମହାପାତ୍ରଙ୍କ କରୋନା ମହାମାରୀଙ୍କୁ ନେଇ ତାଙ୍କ ଅନୁଭୁତି ସଂପର୍କରେ 'ସମ୍ବାଦ' କୁ ନିଜର ଅନୁଭୂତି ସେୟାର କରିଛନ୍ତି । ନିଜ ଘରେ ଗୃହବନ୍ଦୀ ତାଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। କରୋନା ଭାଇରସକୁ ନେଇ ଯାହା ସବୁ ଶୁଣାଯାଉଛି। ତାହାକୁ ନେଇ ସେ ବେଶ୍ ଚିନ୍ତିତ ଅଛନ୍ତି। ଆମେତ ପାଚିଲା ବୃକ୍ଷ, କିନ୍ତୁ ଯେଉଁ ଯୁବକ ଓ ନୂଆ କଳିଆ ଏ ଦୁନିଆ ବିଷୟରେ କିଛି ଜାଣି ନାହାନ୍ତି। ସେମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇ ଯାଉଛି। ଏପରି ଏକ ମହାମାରୀ ଯାହାର କୌଣସି ଔଷଧ ମଧ୍ୟ ବିଶ୍ବରେ କୌଣସି ଦେଶ ଗବେଷେଣା କରି ବହାର କରି ପାରୁ ନାହାନ୍ତି। ନିଜର ଜୀବନ କାଳ ଭିତରେ ସେ କଂଗ୍ରେସ ରାଜନୀତିରେ ବେଶ କିଛି ଦିନ ସକ୍ରିୟ ରାଜନୀତିରେ ରହିଥିବା ବେଳେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିଲି।

Advertisment

ସାରସ୍ବତ ସାଧକ ଭାବରେ ଜଣେ ସମାଜସେବୀ ଭାବେ ପ୍ରତିଦିନ ସେ ଲୋକଙ୍କ ସହ ମିଶି ରହୁଥିଲେ। ଏବେ ସଙ୍ଗରୋଧ ଜୀବନ ତାଙ୍କୁ ଅଧିକ ନିସଙ୍ଗ କରି ଦେଇଛି। କରୋନା କଟକଣା ପାଇଁ ବାହାରେ ଚାକିରି କରିଥିବା ତାଙ୍କର ପୁତ୍ର ବଧୂ ଏବେ ଘରକୁ ପଳାଇ ଆସିଛନ୍ତି। ଦୁଇ ପୁଅ ଓ ଦୁଇ ବହୂଙ୍କ ସହ ନିଜର ନାତୀ ନାତୁଣୀଙ୍କ ମେଳରେ ପୂରା ପରିବାର ପୂରିଲା ପୂରିଲା ଲାଗୁଥିବା ବେଳେ ଅନିଶ୍ଚିତ କରୋନା ଆଶଙ୍କାରେ ସେ ବେଶ୍ ବିଚିତ। କେତେ ସମୟ ଘରେ ବସି ରହିବେ। କେତେ ଶୋଇ ରହିବେ। କାହା ସହ ଦେଖା ନାହିଁ କି ସାକ୍ଷାତ ନାହିଁ। ମୁହଁରେ ମାସ୍କ ପୁଣି ନିରୋଳା ଜୀବନ ତାଙ୍କୁ ଏସବୁ କେ‌ମିତି କେମିତି ଲାଗୁଛି।

ଶ୍ରୀ ମହାପାତ୍ର ଭଦ୍ରକ ବ୍ଲକ ଅନ୍ତର୍ଗତ ଜଗଦଳପୁର ପପଞ୍ଚାୟତର ସରସତିଆ ଗାଁରେ ୧୯୩୮ ମସିହାରେ ଜନ୍ମ ହୋଇଥିଲେ। ଏବେ ସେ ୮୨ ବର୍ଷରେ ପଦାର୍ପଣ କରିଛନ୍ତି। ନିଜର ଜୀବନ କାଳ ଭିତରେ ସେ ଝାଡାବାନ୍ଦି, ହଇଜା ଭଳି ମହାମାରୀର କଥା ଶୁଣିଥିଲେ। ମାତ୍ର କରୋନା ପରି ବିଶ୍ବ ମହାମାରୀ ତାଙ୍କୁ ଏବେ ବେଶ୍ କିଛି ଶଙ୍କାଗ୍ରସ୍ତ କରି ପକାଇଛି।

ମୋଟର ସାଇକେଲରେ ଯାତାରୟାତ ଉପରେ କ‌ଟକଣା ଲଗାଯାଇଥିବାରୁ ସେ ନିଜର ପରିଚିତ ଭଦ୍ରକ ସହରକୁ ମଧ୍ୟ ବାହାରି ପାରୁ ନାହାନ୍ତି। ତାଙ୍କର ଅତି ପ୍ରୀୟ ଓ ପରିଜନକୁ ଦେଖି ପାରୁ ନାହାନ୍ତି। କେହି କାହା ଘରକୁ ଆସୁନାହାନ୍ତି। ଯିଏ ଯେଉଁଠି ଅଛନ୍ତି। ସମସ୍ତେ ଏବେ ଗୃହ ବନ୍ଦୀ ଜୀବନ ଯନ୍ତ୍ରଣାରେ ଜୀଇଁଛନ୍ତି। କଣ ହେବ ଆଗକୁ କରୋନାର କରାଳ ରୂପ। ତାକୁ ନେଇ ସାରା ବିଶ୍ବ ଆତଙ୍କିତ ହୋଇଥିବା ବେଳେ ଧର୍ମୀୟ ଭାବନା ଓ ବିଶ୍ବାସବୋଧ ଭିତରେ କରୋନା ରୋଗ ଭଲ ହେବ ନାହିଁ ବୋଲି ସେ ବିଶ୍ବାସ କରନ୍ତି। ବୈଜ୍ଞାନିକ ଗବେଷଣା ଦ୍ବାରା ଔଷଧ ପ୍ରସ୍ତୁତି ହୋଇ କରୋନା ଭାଇରସକୁ ନିପାତ କରାଯିବ। ଏ ବିଶ୍ବାସ ତାଙ୍କର ରହିଛି। ଏଥିପାଇଁ ବିଶ୍ବର ସବୁ ଦେଶର ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଖୁବ୍ ଶୀଘ୍ର ଏହାର ଔଷଧ ବାହାରିବ ବୋଲି ଶ୍ରୀ ମହାପାତ୍ର ଆଶାବାଦୀ ଅଛନ୍ତି।

ସେତେଦିନ ପର୍ଯ୍ୟନ୍ତ ତାଙ୍କୁ ଏଭଳି କଟକଣା ଓ ନିସଙ୍ଗ ଜୀବନ ବିତାଇବାକୁ ପଡିବ। ଏମିତି ନିସଙ୍ଗ ଜୀବନ ତାଙ୍କ ଜୀବଦଶା ମଧ୍ୟରେ ସେ କେବେ ଭୋଗି ନାହାନ୍ତି। କେଉଁଠି କୋଳାହଳ ନାହିଁ। ଗାଁ ଠୁଁ ସହର ସବୁଠି ଶୁନ୍ ଶାନ୍ । ଏଭଳି ନୀରବତା ଏବେ ମଣିଷ ମନରେ ଝଡ ସୃଷ୍ଟି କରିଛି ବୋଲି କହନ୍ତି ଭଦ୍ରକର ଏଇ ବରିଷ୍ଠ ନାଗରିକ ସାଧୁ ଚରଣ ମହାପାତ୍ର।