ବାରିପଦା : ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ମନ୍ଦିରର ବିକାଶ ହେବ। ଏନେଇ ରାଜ୍ୟ ସରକାର ୫ କୋଟି ଅନୁଦାନ ଦେଇଛନ୍ତି। ମାତ୍ର ଜଗନ୍ନାଥ ମନ୍ଦିରର ଏହି ଉନ୍ନତିକରଣ ଆରମ୍ଭ ହେଉ ହେଉ ବିବାଦ ତେଜିବାରେ ଲାଗିଛି। ଏପରିକି ଏହି ପାଞ୍ଚ କୋଟି ଟଙ୍କା ଖର୍ଚ୍ଚ ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି। ମନ୍ଦିରରେ ଆବଶ୍ୟକ ନଥାଇ ଅନେକ ନିର୍ମାଣ ଭଙ୍ଗାହେଉଛି। ମାତ୍ର ଦରକାର ବେଳକୁ କିଛି ହେଉନଥିବା ଅଭିଯୋଗ ହୋଇଛି। ବିକାଶ ଆଳରେ ପ୍ରାଚୀନ ଜଗନ୍ନାଥ ମନ୍ଦିରର ଐତିହ୍ୟ ଏବଂ ଭାସ୍କର୍ଯ୍ୟ ଭୁଲୁଣ୍ଠିତ ହେଉଥିବା ଅଭିଯୋଗ ଆଣିଛନ୍ତି ସେବାୟତଗୋଷ୍ଠୀ।
Advertisment
ଜଗନ୍ନାଥ ମନ୍ଦିର ଉନ୍ନତିକରଣ କାର୍ଯ୍ୟକୁ ନେଇ ସେବାୟତମାନେ ପୂର୍ବରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନଷ୍ଠାନ ନିଆଯାଇନାହିଁ । ଆଜି ପୁନର୍ବାର ସେବାୟତଗଣ ଦେବୋତ୍ତର ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳଙ୍କୁ ଭେଟି ଅସନ୍ତୋଷ ଝାଡିଛନ୍ତି। ଓବିସିସି ସଂସ୍ଥା ମାଧ୍ୟମରେ ଜାରୀରହିଥିବା ଏହି କାର୍ଯ୍ୟ ସଠିକ ଢଙ୍ଗରେ ହେଉ ନଥିବା ଦାବୀପତ୍ର ଦେଇଛନ୍ତି ସେବାୟତଗୋଷ୍ଠୀ। ଅଭିଯୋଗ ମୁତାବକ ମନ୍ଦିରର ଭଲ ସ୍ଥାନ ତଥା ନିର୍ମାଣ ଗୁଡିକୁ ଭାଙ୍ଗି ନଷ୍ଟ କରାଯାଉଥିବା ବେଳେ, ଯାହା ଆବଶ୍ୟକତା ଅଛି ତାହା କରାଯାଉ ନାହିଁ । ରୋଷଘର ନିର୍ମାଣ ଠିକ ଭାବରେ ହୋଇ ନଥିବାରୁ ସେବାୟତ ମାନଙ୍କୁ ହଇରାଣ ହେବାକୁ ପଡୁଛି । ସେହିପରି ମନ୍ଦିର ପାହାଚ, ନାଟ ମନ୍ଦିର ଆଦି ସ୍ଥାନରେ ଖଣ୍ଡଲାଇଟ ଟାଇଲ ଲଗାନଯାଇ ଗ୍ରାନାଇଟ ଲଗାଯିବା ଫଳରେ ପାଣିପଡି ସହଜରେ ଖସଡା ହୋଇ ଯାଉଥିବାରୁ ବିଭିନ୍ନ ସମୟରେ ସେବାୟତ ମାନେ ପାଦ ଖସାଇ ପଡିଯାଇ ଆହତ ହେଉଛନ୍ତି। ଆଗାମୀ ଦିନରେ ମନ୍ଦିର ସମ୍ପୂର୍ଣ୍ଣ ଖୋଲା ଗଲେ ଭକ୍ତମାନେ ମଧ୍ୟ ପଡି ଆହତ ହେବେ । ମନ୍ଦିର ବେଢା ଭିତରେ ପୂର୍ବରୁ ରହିଥିବା ମାଙ୍କଡା ପଥରକୁ ନଉଠାଇ ତା ଉପରେ ଖଣ୍ଡଲାଇଟ ମାର୍ବଲ ଲଗାଯାଉଛି । ଯାହାକି ପ୍ରାଚୀନ ଭାସ୍କର୍ଯ୍ୟ ଓ ପବିତ୍ରତା ନଷ୍ଟ ହେଉଥିବା ଅଭିଯୋଗ ହୋଇଛି। ଏଣୁ ଚାଲିଥିବା ମନ୍ଦିର ଉନ୍ନତିକରଣ କାର୍ଯ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ଠିକ ଭାବରେ ନିର୍ମାଣ କରାଯିବାକୁ ଦାବୀ କରିଛନ୍ତି ଓଡ଼ିଶା ମଠ ମନ୍ଦିର ସେବାୟତ ସଂଘ ସଭାପତି କାମେଶ୍ୱର ତ୍ରିପାଠୀ। ଆଧୁନିକରଣ ନାମରେ ପୁରାତନ କାରୁକାର୍ଯ୍ୟକୁ ନଷ୍ଟ କରିବା ଆଦୋୖ ଗ୍ରହଣୀୟ ନୁହେଁ ବୋଲି ଜଗନ୍ନାଥପ୍ରେମୀ ଅଭିଯୋଗ ଆଣିଛନ୍ତି।