ଦୁର୍ଗମ ଗାଁର ଝିଅଙ୍କ ପ୍ରଶ୍ନ: ‘ଆମ ସ୍କୁଲ କେବେ ଖୋଲିବେ ଆଜ୍ଞା’

ଗାଁ ପିଲା ସାଜିଲେ ଶିଶୁ ଶ୍ରମିକ, ସହର ପିଲା ମୋବାଇଲ ଗେମ୍ ପ୍ଲେୟର

ଜୟପୁର: ଦୁର୍ଗମ ଗାଁର ଝିଅ ମାନଙ୍କ ପ୍ରଶ୍ନ ଆମ ସ୍କୁଲ କେବେ ଖୋଲିବ। ଆମେ କେବେ ଠାରୁ ପୁଣି ସ୍କୁଲକୁ ଯିବୁ। ଆମେ ଏଭଳି ଶିଶୁ ଶ୍ରମିକରୁ ଦିନ ମଜୁରିଆ ସାଜିବୁ ନାଁ ଆମେ ପାଠ ପଢ଼ି ଆମର ଭବିଷ୍ୟତ ଗଠନ କରିବୁ। ଆଉ କେତେ ଦିନ ଆମେ ଏଭଳି ଘରେ ରହିବୁ। ଏଭଳି ପ୍ରଶ୍ନ କରିଛନ୍ତି ଦୁର୍ଗମ ଆଉଁଳି, ପରସଲା, ଖଣ୍ଡିଗୁଡ଼ା ଆଦି ଗାଁର ଆସମତି ପୁଜାରୀ, ଟଭା ପୁଜାରୀ, ମୋତି ପୁଜାରୀ, ଦିନ ମଣି ପୁଜାରୀ, ନଗେନ୍ଦ୍ର ଅମନାତ୍ୟ, ମନ୍ଦର ପୁଜାରୀ।

ଗତ ଦେଢ଼ ବର୍ଷ ହେବ କ‌ରୋନା ସଂକ୍ରମଣ ଭୟରେ ସବୁ ସ୍କୁଲ, ଛାତ୍ରାବାସ ବି ବନ୍ଦ ହୋଇଯାଇଛି। ସହରାଂଚଳର ପିଲା ମାନେ ପଡ଼ୁଥିବା ବିଦ୍ୟାଳୟରୁ ଅନଲାଇନ୍ କ୍ଲାସ୍ କରାଯାଉଥିବା ବେଳେ ଗ୍ରାମାଂଚଳର ପିଲାଙ୍କ ପାଇଁ ଏଭଳି ପାଠ ପଢ଼ାଇବାର କିଛି ସୁବିଧା ଓ ସୁଯୋଗ କରାଯାଇନି। ଗତ ଦେଢ଼ ବର୍ଷ ମଧ୍ୟରେ ଗ୍ରାମାଂଚଳର ପିଲା ମାନେ ଶିଶୁ ଶ୍ରମିକ ସାଜିଛନ୍ତି। ସେଭଳି ସହରର ପିଲା ମାନେ ଅନଲାଇନ୍ ପାଠ ପଢ଼ା ନାଁରେ ମୋବାଇଲରେ ଗେମ୍ ପ୍ଲେୟର ସାଜିଛନ୍ତି। ଉପରୋକ୍ତ ଗାଁର ଉପରୋକ୍ତ ପିଲାଙ୍କ ସହ୨୦ରୁ ଉର୍ଦ୍ଧ୍ବ ପୁଅ ଓ ଝିଅ ଚାଳି ଚାଳି ମଝିଆଗୁଡା ଗାଁ ନିକଟରେ ମକା ମଂଜି ପୋତିବା କାମ ପାଇଁ ଆସୁଥିବା ଦେଖିବାକୁ ମିଳିଥିଲା।

ଏହି ଛାତ୍ରଛାତ୍ରୀ ମାନେ କେଉଁ ଆଡେ ଯାଉଛ ବୋଲି ପଚାରିବାରେ ଜମିରେ କାମ କରିବାକୁ ଯାଉଥିବା ଅତ୍ୟନ୍ତ ମନଦୁଃଖରେ କହିଥିଲେ। ସ୍କୁଲ ଖୋଲୁ ନଥିବାରୁ ସବୁ ପାଠ ଭୁଲିବାକୁ ବସିଲେଣି ବୋଲି କହିଥିଲେ ଆସମତି। ଅନ୍ୟ ପକ୍ଷରେ ସ୍କୁଲ ଖୋଲୁ ନଥିବାରୁ ପରିବାରବର୍ଗ ପ୍ରତିଦିନ ଜମି କାମ ସହ ଅନ୍ୟାନ୍ୟ କାମ କରିବାକୁ ପଠାଉଥିବା ଅଭିଯୋଗ ବାଢ଼ିଥିଲେ। ଆମେ ଆଉ ସ୍କୁଲ ଛାତ୍ରଛାତ୍ରୀ ହୋଇ ରହିନୁ ଏବେ ଶିଶୁ ଶ୍ରମିକ ସାଜି ଗଲୁଣି ବୋଲି କହିଥିଲେ ମନ୍ଦର। ସରକାର ସବୁ ଖୋଲୁଛନ୍ତି , ଆମ ସ୍କୁଲ ବେଳକୁ ଶହେ ରକମର ପେଂଚ ବୋଲି କହିଛନ୍ତି ଚୁଟିଆଗୁଡା ବସ୍ତିର ତ୍ରିନାଥ ନାଗ। ସ୍କୁଲ ଖୋଲୁ ନାହାନ୍ତି।

ଅନଲାଇନ୍ କ୍ଲାସରେ ଠିକରେ ବୁଝି ହେଉନି ବୋଲି କହିଛନ୍ତି ପ୍ରଣତି ପଟ୍ଟନାୟକ। ତାଙ୍କ ଭାଇ, ଭାଇର ସାଙ୍ଗ ମାନେ ଅନଲାଇନ୍ କ୍ଲାସ ନାଁରେ ମୋବାଇଲ ନେଇ ସେଥିରେ ପବଜି, ପ୍ରିପାୟର ଆଦି ଗେମ୍ ଏବଂ କିଛି ପିଲା ଇଂରାଜୀ ୱେବ ସିରିଜ୍ ଦେଖି ସମୟ ନଷ୍ଟ କରୁଛନ୍ତି ବୋଲି କହିଛନ୍ତି ପ୍ରଣତି ଓ ସୁଧିର ଶତପଥୀ। ଉଭୟ ପିଲାଙ୍କର ଭବିଷ୍ୟତକୁ କରୋନା ସର୍ବନାଶ କରିଦେଲା ବୋଲି କହିଛନ୍ତି ଶିକ୍ଷାବିତ୍ ସୁରେନ୍ଦ୍ର ପଟ୍ଟନାୟକ। ପିଲାଙ୍କର ଲକ୍ଷ୍ୟ ଓ ଅଭିମୁଖ୍ୟ ନଷ୍ଟ ଭ୍ରଷ୍ଟ ହୋଇ ଗଲାଣି। ଗାଁନ ପିଲା ଠାରୁ ଆରମ୍ଭ କରି ସହରର ପିଲା ସମସ୍ତଙ୍କ ଅନୁରୋଧ ସୋମନଙ୍କ ସ୍କୁଲ ଶ୍ରୀଘ୍ର ଖୋଲାଯାଉ। ତେବେ ରାଜ୍ୟ ସରକାର ଏହି ଲକଡାଉନ୍ ସରିବା ପରେ ଖୋଲିବ ନାଁ ତୃତୀୟ ପର୍ଯ୍ୟାୟ ଭୟରେ ବନ୍ଦ ରଖିବ ତାହା ସମୟ ହିଁ କହିବ।

ସମ୍ବନ୍ଧିତ ଖବର